ଅମୃତ ପଳାତକ ଘୋଷିତ

ଚଣ୍ଡୀଗଡ଼, ୧୯ା୩: ଖଲିସ୍ଥାନୀ ନେତା ତଥା ୱାରିସ ପଞ୍ଜାବ ଦେ ସଂଗଠନର ମୁଖିଆ ଅମୃତପାଲ ସିଂହକୁ ପଞ୍ଜାବ ପୁଲିସ ପଳାତକ ଘୋଷଣା କରିବା ସହ ତାକୁ ଧରିବା ପାଇଁ ରାଜ୍ୟବ୍ୟାପୀ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ରବିବାର ସନ୍ଧ୍ୟାସୁଦ୍ଧା ପୁଲିସ୍ ୱାରିସ୍ ପଞ୍ଜାବ ଦେ ସଂଗଠନ ସହ ସମ୍ପୃକ୍ତ ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଅମୃତପାଲକୁ ଅର୍ଥ ଯୋଗାଉଥିବା ଦଲଜିତ ସିଂହ କଲସିକୁ ଗୁରୁଗ୍ରାମରୁ ଗିରଫ କରାଯାଇଛି । କଲସି ଜଣେ ଅଭିନେତା ତଥା ଫିଲ୍ମ ପ୍ରଯୋଜକ । ଅମୃତପାଲର ୪ ସହଯୋଗୀଙ୍କୁ ଚାର୍ଟର୍ଡ ବିମାନ ଯୋଗେ ଆସାମର ଦିବ୍ରୁଗଡ଼ ଜେଲ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଇଣ୍ଟରନେଟ୍ ଓ ବଲ୍କ ଏସ୍ଏମ୍ଏସ୍ ସେବା ବନ୍ଦ ଅବଧିକୁ ଆଉ ୨୪ ଘଣ୍ଟା ବଢ଼ାଇ ଦିଆଯାଇଥିବା ଜଣାଯାଇଛି ।
ପୁଲିସ କହିଛି ଯେ ଅମୃତପାଲ ଆନନ୍ଦପୁର ଖାଲସା ଫୋର୍ସ (ଏକେଏଫ୍) ନାମରେ ଏକ ପ୍ରାଇଭେଟ୍ ଆର୍ମି ଗଢ଼ୁଥିଲା । ତା’ ଘରୁ ବିପୁଳ ମାରଣାସ୍ତ୍ର ମିଳିଛି । ସବୁଥିରେ ଏକେଏଫ୍ ଲେଖାଅଛି । ସୂତ୍ର ଅନୁଯାୟୀ ତା’ ବିରୋଧରେ ଜାତୀୟ ନିରାପତ୍ତା ଅଧିନିୟମ ଲାଗୁ ହୋଇପାରେ ।
ଅମୃତପାଲକୁ ଗିରଫ କରାଯାଇ ଥିବା ସୂଚନା ଶନିବାର ଅପରାହ୍ଣରେ ଆସିଥିଲା, କିନ୍ତୁ ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ କୁହାଗଲା ଯେ ସେ ଫେରାର୍ ହୋଇଯାଇଛି । ଖବର ଅନୁଯାୟୀ ଅମୃତପାଲର ମର୍ସିଡିଜ୍କୁ ପିଛା କରୁଥିବାବେଳେ ସେ ଏକ ଗାଁ ଭିତରେ କାର୍ ଛାଡ଼ିଦେଇ ବାଇକ୍ରେ ଫେରାର୍ ହୋଇଯାଇଥିଲା । ତା’ କାର୍ ଭିତରୁ ରାଇଫଲ୍ ଓ କାର୍ଟିଜ୍ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *