୬ରୁ ବିଜେପିର ଗାଁକୁ ଚାଲ ଅଭିଯାନ

ଭୁବନେଶ୍ୱର (ବୁ୍ୟରୋ): ପଛୁଆ ବର୍ଗଙ୍କ ପ୍ରତି ଆଦୌ ଦରଦ ଦେଖାଉନାହିଁ ବିଜେଡି ସରକାର । ଓଡିଶାରେ ସମୁଦାୟ ଜନସଂଖ୍ୟାର ୫୪% ପଛୁଆ ବର୍ଗର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ସମୁଦାୟଙ୍କୁ ଶିକ୍ଷା, ନିଯୁକ୍ତି ବା ସ୍ଥାନୀୟ ପଞ୍ଚାୟତ ଓ ପୈାର ନିର୍ବାଚନରେ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି ବିଜେଡି ସରକାର । ସମଗ୍ର ଦେଶରେ ଓଡିଶା ଏଭଳି ଏକ ରାଜ୍ୟ ଯେଉଁଠି ଅର୍ଦ୍ଧାଧିକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ରାଜ୍ୟ ସରକାର ବଞ୍ଚିତ କରିଛନ୍ତି ବୋଲି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି କ୍ରୀଷ୍ଣା ଗୌର କହିଛନ୍ତି ।
ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଗୈାର କହିଛନ୍ତି ଯେ, ପଛୁଆ ବର୍ଗ କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବା ବେଳେ ଓଡିଶାରେ ପଛୁଆ ବର୍ଗ କମିଶନଙ୍କୁ କୌଣସି କ୍ଷମତା ଦିଆଯାଇନାହିଁ । ଏହି ସଂସ୍ଥାଟି କେବଳ ନାମକୁ ମାତ୍ର ହୋଇଛି । ସେହିପରି କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଶିକ୍ଷା, ନିଯୁକ୍ତିରେ ୨୭% ସଂରକ୍ଷଣ ଦେଉଥିଲେ ବି ଓଡ଼ିଶା ସରକାର ରାଜ୍ୟ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ଓଡିଶାରେ ଥିବା ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କେବେ ସଂରକ୍ଷଣ କେବେ ମିଳିବ? ପଛୁଆ ବର୍ଗଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ରଖିପାରିବେ ନାହିଁ ବିଜେଡି ସରକାର ।ବିଜେପି ଶାସିତ ରାଜ୍ୟମାନଙ୍କରେ ପଛୁଆ ବର୍ଗକୁ ଶିକ୍ଷା, ନିଯୁକ୍ତି ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରଦାନ କରାଯାଉଛି । ମଧ୍ୟପ୍ରଦେଶ, ଉତରପ୍ରଦେଶ ଭଳି ବଡ଼ ବଡ଼ ବିଜେପି ଶାସିତ ରାଜ୍ୟରେ ପଛୁଆ ବର୍ଗଙ୍କ ସଂରକ୍ଷଣ ପାଇଁ ନ୍ୟାୟିକ ଲଢେଇ ଲଢି ସେମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରିଥିବାବେଳେ ଓଡିଶା ସରକାର କାହିଁକି ସେପରି କରିନାହାନ୍ତି ବୋଲି ଶ୍ରୀମତୀ ଗୌର କହିଛନ୍ତି ।
ଓବିସି ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ସ୍ପଷ୍ଟତା ନାହିଁ । ‘ଅନ୍ଲାଇନ – ଅଫ୍ଲାଇନ୍ ସର୍ଭେ’ କେବଳ ଏକ ଧୁଆଁବାଣ ଏବଂ ଓବିସିବର୍ଗଙ୍କୁ ପ୍ରତାରଣା । ଅନ୍ୟ ରାଜ୍ୟମାନଙ୍କ ଭଳି ‘ଡୋର-ଟୁ-ଡୋର ସର୍ଭେ’ କରି ପ୍ରକୃତ ତଥ୍ୟ ହାସଲ କାହିଁକି କରୁନାହାନ୍ତି ବୋଲି ଶ୍ରୀମତୀ ଗୌର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।ସନ୍ତା ଏପ୍ରିଲ ୬ ବିଜେପି ପ୍ରତିଷ୍ଠା ଦିବସରୁ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯ ଦିନ ଧରି ଓବିସି ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ‘ଗାଁ ଗାଁ ଚାଲ; ଘର ଘର ଚାଲ’ ଅଭିଯାନ ଚାଲିବ । ଏପ୍ରିଲ ୧୧ରେ ସମାଜ ସୁଧାରକ ଜ୍ୟୋତିବାରାଓ ଫୁଲେଜୀଙ୍କ ଜୟନ୍ତୀ ପାଳନ କରାଯିବ । ଏ ଅବସରରେ ମୋଦି ସରକାରଙ୍କ ଗତ ୯ ବର୍ଷର ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବାର କାର୍ଯ୍ୟ କରିବେ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ।
ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀମତୀ କ୍ରୀଷ୍ଣା ଗୌର, ରାଷ୍ଟ୍ରୀୟ ସଂଯୋଜକ ରାହୁଲ ନଗର, ରାଜ୍ୟ ସଂଯୋଜକ ସୁକାନ୍ତ ବିଶ୍ୱାଳ, ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରତାପ ପ୍ରଧାନ, ରାମଚନ୍ଦ୍ର ବେହେରା, ଦିଲୀପ କର୍ସେଲ, ଦୁର୍ଗାପ୍ରସନ୍ନ ନାୟକ, କରିସ୍ମା ମହାକୁଡଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *