ଦିନିକିଆରେ ଭାରତର ସର୍ବବୃହତ୍ ପରାଜୟ

ବିଶାଖାପାଟଣା, ୧୯ା୩ (ଏଜେନ୍ସି): ପେସର୍ ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂ ଏବଂ ମିଚେଲ୍ ମାର୍ଶ ଓ ଟ୍ରେଭିସ୍ ହେଡ୍ଙ୍କ ଦୃଢ଼ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ରବିବାର ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦ ୱିକେଟ୍ରେ ପରାସ୍ତ କରିଛି । ୨୩୪ ବଲ୍ ବାକି ଥାଇ ଭାରତ ଏହି ମ୍ୟାଚ୍ ହାରିଯାଇଛି । ଏହି ଦୃଷ୍ଟିରୁ ଦିନିକିଆ ଇତିହାସରେ ଏହା ଭାରତର ସବୁଠାରୁ ବଡ଼ ପରାଜୟ । ଏହି ମ୍ୟାଚ୍ ପରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚିଛି । ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ ।
ଏଭଳି ପରାଜୟର ପୂର୍ବ ରେକର୍ଡ ୨୧୨ ବଲ୍ ଥିଲା । ସେତେବେଳେ ନୁ୍ୟଜିଲାଣ୍ଡ ହାମିଲ୍ଟନ୍ ଠାରେ ୨୦୧୯ରେ ଭାରତକୁ ହରାଇଥିଲା । ଏହାଛଡ଼ା ଟିମ୍ ଇଣ୍ଡିଆ ଷଷ୍ଠ ଥର ୧୦ ୱିକେଟ୍ରେ ପରାଜିତ ହୋଇଥିଲା । ଷ୍ଟାର୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
୧୧ ଓଭର୍ ମଧ୍ୟରେ ପାଞ୍ଚ ବୋଲର୍ ବଦଳିଲେ, ହେଲେ ୱିକେଟ୍ ମିଳିଲାନି
ଭାରତୀୟ ଟିମ୍ ୨୬ ଓଭର୍ରେ ମାତ୍ର ୧୧୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ୧୧ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୧୨୧ ରନ୍ କରି ବିଜୟୀ ହୋଇଥିଲା । ମିଚେଲ୍ ମାର୍ଶ ୩୬ ବଲ୍ରୁ ୬୬ (୬ ଚୌକା ଓ ୬ ଛକା ସହାୟତାରେ) ଓ ଟ୍ରେଭିସ୍ ହେଡ୍ ୩୦ ବଲ୍ରୁ ୫୧ (୧୦ ଚୌକା ସହାୟତାରେ) ରନ୍ କରି ଅପରାଜିତ ଥିଲେ ।
ଅଷ୍ଟ୍ରେଲୀୟ ଇନିଂସ୍ର ୧୧ ଓଭର୍ ମଧ୍ୟରେ ଭାରତୀୟ ଅଧିନାୟକ ପାଞ୍ଚ ବୋଲର୍ ବଦଳାଇଥିଲେ, ହେଲେ ଗୋଟିଏ ବି ୱିକେଟ୍ ମିଳି ନ ଥିଲା । ଏହି ସମୟରେ ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଅକ୍ଷର ପଟେଲ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ବୋଲିଂ କରିଥିଲେ ।
ଏହା ପୂର୍ବରୁ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭ୍ରମଣକାରୀ ଟିମ୍କୁ କାମେରନ୍ ଗ୍ରୀନ୍ ଓ ନାଥନ ଏଲିସ୍ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଅନ୍ୟପଟେ, ରୋହିତ ଶର୍ମା ଅଧିନାୟକ ଭାବେ ଭାରତୀୟ ଟିମ୍କୁ ଫେରିଥିଲେ । ଏହା ଫଳରେ ପୂର୍ବ ମ୍ୟାଚ୍ରେ ଓପନିଂ କରିଥିବା ଈଶାନ କିଶନ ବାଦ୍ ପଡ଼ିଥିଲେ । ସେହିପରି ଶାର୍ଦ୍ଦୂଳ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।
ଦୁଇ ଅଙ୍କ ଛୁଇଁପାରି ନ ଥିଲେ ସାତ ବ୍ୟାଟର୍
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ର ସାତ ବ୍ୟାଟର୍ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ସେଥିମଧ୍ୟରୁ ଶୀର୍ଷ ଓ ମଧ୍ୟକ୍ରମର ଚାରି ବ୍ୟାଟର୍ ଥିଲେ । ଷ୍ଟାର୍କ ୫୩ ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ସିନ୍ ଆବୋଟ୍ ୩ ଓ ନାଥନ୍ ଇଲିଅସ୍ ୨ ୱିକେଟ୍ ନେଇଥିଲେ । ପୂର୍ବ ରାତିର ବର୍ଷା ଯୋଗୁଁ ପିଚ୍ରୁ ଦ୍ରୁତ ବୋଲର୍ଙ୍କୁ ସ୍ୱିଙ୍ଗ୍ ଓ ସିମ୍ ମିଳିଥିଲା ।
ରୋହିତ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ପ୍ରଥମ ଓଭର୍ରେ ଭାଙ୍ଗିଥିଲା । ଗିଲ୍ ଖାତା ଖୋଲି ନ ପାରି ଷ୍ଟାର୍କଙ୍କ ବଲ୍ରେ ମାର୍ନସ ଲାବୁଶେନଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ ରୋହିତ ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୨୯ ରନ୍ ଯୋଗ କରିଥିଲେ । ରୋହିତ (୧୩)ଙ୍କୁ ଆଉଟ୍ କରି ଷ୍ଟାର୍କ ଭାରତକୁ ଦ୍ୱିତୀୟ ଝଟ୍କା ଦେଇଥିଲେ ।
ସଙ୍କଟ ଅବ୍ୟାହତ ରହିଥିଲା । ଏହା ପର ବଲ୍ରେ ସୂର୍ଯ୍ୟକୁମାରଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ ଷ୍ଟାର୍କ । ସୂର୍ଯ୍ୟକୁମାର କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ କୌଣସି ରନ୍ କରିପାରି ନ ଥିଲେ ।
ପୂର୍ବ ମ୍ୟାଚ୍ରେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଲଗାଇ ଟିମ୍ର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଲୋକେଶ ରାହୁଲ (୯) ଦୁଇ ଅଙ୍କ ସ୍କୋର୍ କରି ନ ପାରି ଷ୍ଟାର୍କଙ୍କ ଚତୁର୍ଥ ଶିକାର ହୋଇଥିଲେ । ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୧) ବି ନିରାଶ ହୋଇଥିଲେ । ଏହି ୱିକେଟ୍ ସିନ୍ ଆବୋଟ୍କୁ ମିଳିଥିଲା । ୪୯ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ଟିମ୍ର ସ୍କୋର୍ ୭୧ ହୋଇଥିବା ବେଳେ ଜଗିରଖି ଖେଳୁଥିବା କୋହଲିଙ୍କ ଇନିଂସ୍ର ଅନ୍ତ ଘଟିଥିଲା । ସେ ବ୍ୟକ୍ତିଗତ ୩୧ ରନ୍ରେ ଏଲିସ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡ଼େଜା (୧୬) ବି ଏଲିସ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଅକ୍ଷରଙ୍କ ପ୍ରୟାସରେ ଇନିଂସ୍ ଆଉ କିଛି ବାଟ ଯାଇଥିଲା ।
କୁଲଦୀପ ଯାଦବ (୪) ଓ ମହମ୍ମଦ ଶାମୀ (୦) ଆବୋଟ୍ଙ୍କ ଶିକାର ହୋଇଥିବା ବେଳେ ମହମ୍ମଦ ସିରାଜ (୦) ଶେଷ ବ୍ୟାଟର୍ ଭାବେ ଷ୍ଟାର୍କଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ୍ ୨୯ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *