ଗିରଫ ଭୟରେ ଇମ୍ରାନ ଗାଏବ

ଇସ୍ଲାମାବାଦ/ଲାହୋର, ୫ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍-ଏ-ଇନ୍ସାଫ୍ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାନ୍ଙ୍କ ଉପରେ ଗିରଫଦାରୀ ତଲୱାର ଝୁଲୁଛି । ରବିବାର ଇସ୍ଲାମାବାଦ ପୁଲିସ ଲାହୋର ଯାଇ ଇମ୍ରାନଙ୍କ ଜମନ ପାର୍କସ୍ଥିତ ବାସଭବନରେ ପହଞ୍ଚô ଖାଲି ହାତରେ ଫେରିଥିଲା । ଗିରଫଦାରୀ ଭୟରେ ଇମ୍ରାନ ଘର ଛାଡ଼ି ପଳାଇଛନ୍ତି ବୋଲି ପୁଲିସ୍ କହିଛି । ତେବେ ପୁଲିସ ଏହି ସୂଚନା ଦେବାର କିଛି ଘଣ୍ଟା ପରେ ସେହି ଲାହୋରରେ ଇମ୍ରାନ ଦଳୀୟ ସମର୍ଥକମାନଙ୍କୁ ଉଦ୍ବୋଧନ ଦେବା ଦେଖିବାକୁ ମିଳିଥିଲା । ଦେଶର ପ୍ରାଇମ୍ ମିନିଷ୍ଟରଙ୍କୁ ସେ ‘କ୍ରାଇମ୍ ମିନିଷ୍ଟର’ କହି ସରକାର ବିରୋଧରେ ତୀବ୍ର ବିଷୋଦ୍ଗାର୍ କରିଛନ୍ତି ।
ତୋଷଖାନା ସାମଗ୍ରୀ ବିକ୍ରି ମାମଲାରେ ବାରମ୍ବାର ଅଦାଲତି ଶୁଣାଣିକୁ ତିନିଥର ଏଡାଇଥିବାରୁ ଇମ୍ରାନ୍ଙ୍କ ନାମରେ କୋର୍ଟ ଗତ ୨୮ ତାରିଖ ଦିନ ଜାମିନବିହୀନ ପରୱାନା ଜାରି କରିଥିଲେ । ପିଟିଆଇର ବରିଷ୍ଠ ଉପାଧ୍ୟକ୍ଷ ଫୱାଦ ଚୌଧରୀ ସରକାରଙ୍କୁ ଧମକ ଦେଇ କହିଛନ୍ତି ଯଦି ଇମ୍ରାନ୍ଙ୍କୁ ଗିରଫ କରାଯାଏ, ଦେଶରେ ଭୟଙ୍କରସ୍ଥିତି ଉପୁଜିଯିବ । ଏଭଳି ପରିସ୍ଥିତିରେ ଦେଶ ଗୃହଯୁଦ୍ଧ ଆଡକୁ ମୁହାଁଉଛି ବୋଲି ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ୭୦ ବର୍ଷିୟ ଇମ୍ରାନ୍ଙ୍କ ନାମରେ ୭୪ଟି ମାମଲା ରୁଜୁ ହୋଇଛି । ବିଶେଷ କରି ବିଦେଶରୁ ପାକିସ୍ତାନକୁ ମିଳିଥିବା ଉପହାରଗୁଡିକୁ ସରକାରୀ ତୋଶଖାନାରେ ଜମା ନକରି ବେଆଇନ ଭାବେ ବିକି ଦେବା ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ଆସନ୍ତା ୭ତାରିଖ ଦିନ ତୋଶଖାନା ମାମଲାର ଶୁଣାଣି ପାଇଁ ଇମ୍ରାନଙ୍କୁ ସେସନ୍ସ କୋର୍ଟରେ ହାଜର କରାଇବା ଲାଗି ୱାରେଣ୍ଟି ଜାରି ହୋଇଛି । ସୂଚନା ଅନୁଯାୟୀ ଇମ୍ରାନ୍ କୋର୍ଟରେ ହାଜର ହେବେ ବୋଲି ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ପୁଲିସ୍ ଫେରିଆସିଛି ।
ତାଙ୍କ ସମ୍ଭାବ୍ୟ ଗିରଫଦାରୀକୁ ବିରୋଧ କରିବା ଲାଗି ଫୱାଦ ଚୌଧରୀ, ୟାସ୍ମିନ ରାଶିଦ, ଅଶଦ ଉମର, ଏଜାଜ୍ ଚୌଧରୀ ଓ ଶାହ ମହମୁଦ କୁରେସି ସମେତ ପିଟିଆଇର ବହୁ ବରିଷ୍ଠ ନେତା ଓ ଶହଶହ କର୍ମୀ ଇମ୍ରାନ୍ଙ୍କ ଘର ବାହାରେ ବିକ୍ଷୋଭ ଜାରି ରଖିଛନ୍ତି । ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି । ସରକାର ସୀମା ଅତିକ୍ରମ କଲେ ଗୁରୁତର ପରିଣତି ଭୋଗିବେ ବୋଲି ପିଟିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି । କୁରେସି କହିଛନ୍ତି ଇମ୍ରାନ୍ଙ୍କ ସୁରକ୍ଷା ନେଇ ଦଳ ଚିନ୍ତିତ । ତାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *