୨ଠ୨୪ ସୁଦ୍ଧା ସବୁ ଏନ୍ଏଚ୍ ଆମେରିକା ରାସ୍ତା ଭଳି ହେବ
ଭୁବନେଶ୍ୱର, ୪ା୩ (ବୁ୍ୟରୋ): ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମିର କାମ ଚାଲିଛି । କେବଳ ଓଡ଼ିଶା ନୁହେଁ, ସାରା ଭାରତର ବିଭିନ୍ନ ରାଜ୍ୟରେ ରାସ୍ତାକାମ ଚାଲୁ ରହିଛି । ଉଚ୍ଚମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ । ୨ଠ୨୪ ସୁଦ୍ଧା ଓଡ଼ିଶାରେ ରାସ୍ତାର ମାନ ଆମେରିକା ଭଳି ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଶନିବାର ଭୁବନେଶ୍ୱରରେ ଆୟୋଜିତ ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଥିଲେ ଯେ, ଭାରତର ଭିତ୍ତିଭୂମି ଦ୍ରୁତ ଅଗ୍ରଗତି କରିଛି । ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଥମେ ଯୋଗାଯୋଗକୁ ସୁଦୃଢ଼ କରିବାକୁ ପଡ଼ିବ ।ଶିଳ୍ପ ପାଇଁ ଜଳ, ବିଦୁ୍ୟତ୍ ଶକ୍ତି, ଯୋଗାଯୋଗ, ପରିବହନକୁ ସୁଦୃଢ଼ କରିବାକୁ ପଡ଼ିବ । ଏହିସବୁ ମୌଳିକ ସୁବିଧା ବ୍ୟତୀତ ଶିଳ୍ପ ପ୍ରତିଷ୍ଠା କଥା କଳ୍ପନା କରିବା ଅସମ୍ଭବ । ଦେଶରେ ଶିଳ୍ପ ପ୍ରତିଷ୍ଠା ହେଲେ ପୁଞ୍ଜି ନିବେଶ ହୋଇପାରିବ ଏବଂ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏହାଦ୍ୱାରା ଦେଶର ଅର୍ଥନୀତି ସୁଦୃଢ଼ ହେବ । ତେଣୁ ସର୍ବପ୍ରଥମେ ରାସ୍ତାକାମ ସୁଦୃଢ଼ କରିବାକୁ ପଡ଼ିବ । ଏଥିନିମନ୍ତେ ଆମ ଦେଶରେ ଜାତୀୟ ରାଜପଥ କାମକୁ ଆମେରିକା ମାନର କରାଯାଉଛି । ଦେଶରେ ଦୁଇଲେନ୍ ଠାରୁ ଆରମ୍ଭକରି ୮ଲେନ୍ ପର୍ଯ୍ୟନ୍ତ ରାସ୍ତାକାମ ହେଉଛି । ଶିଳ୍ପ କରିଡର୍ରେ ଗ୍ରୀନ୍ ଏକ୍ସପ୍ରେସ୍ ହାଇୱେ ନିର୍ମାଣ ଚାଲିଛି । ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡିଷ୍ଟ୍ରୀ, କ୍ଲଷ୍ଟର, ଲିଜିଷ୍ଟିକ୍ ପାର୍କ ନିର୍ମାଣ ଚାଲିଛି । ଏହା ଦେଶର ଅଗ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ । ଦେଶର ପେଟ୍ରୋଲ୍ ଓ ଡିଜେଲର ବିକଳ୍ପ ଭାବେ ଇଥେନାଲ୍, ମିଥାନାଇଲ୍, ବାୟୋଡିଜେଲ୍, ବାୟୋସିଏନ୍ଜି, ଗ୍ରୀନ୍ ହାଇଡ୍ରୋଜେନ୍, ସୋଲାର୍ ପାୱାର ଉପରେ କାମ ଚାଲିଛି । ଫଳରେ ଗ୍ରୀନ୍ ଇଣ୍ଡିଆର ସ୍ୱପ୍ନ ଖୁବ୍ଶୀଘ୍ର ସାକାର ହେବ । ଭାରତରେ ଲଜିଷ୍ଟିକ୍ ଖର୍ଚ୍ଚ ୧୬ ପ୍ରତିଶତ ଥିବାବେଳେ ଚାଇନାରେ ଏହା ୮ରୁ ୧ଠ ପ୍ରତିଶତ । ପଶ୍ଚିମ ଦେଶମାନଙ୍କରେ ଏହା ୧୨ ପ୍ରତିଶତରେ ସୀମିତ ରହିଛି । ଭାରତରେ ଏହାକୁ ଏକକ ସଂଖ୍ୟାରେ ସୀମିତ ରଖିବା ପାଇଁ କାର୍ଯ୍ୟ ଚାଲିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି ।