ବାମ ଓ କଂଗ୍ରେସ ସହ ବିଜେପିର ମେଣ୍ଟ
ପଞ୍ଚାୟତ ନିର୍ବାଚନରେ ମମତାଙ୍କୁ ଦେବେ ମାତ୍
କୋଲକାତା, ୩ା୩: ପଶ୍ଚିମବଙ୍ଗରେ ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ମାମଲା କୋର୍ଟରେ ଥିବାରୁ ରାୟ ପ୍ରକାଶ ପରେ ତାରିଖ ସ୍ଥିର ହେବ । ନିର୍ବାଚନ ପାଇଁ ଟିଏମ୍ସି, ବିଜେପି, ସିପିଏମ୍ ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ରାଜ୍ୟରେ ୨୦୨୪ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବ । ଆଶ୍ଚର୍ଯ୍ୟର ବିଷୟ ଯେ ପଞ୍ଚାୟତ ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ପରାସ୍ତ କରିବା ଲକ୍ଷ୍ୟରେ ୩ଟି ପରସ୍ପରବିରୋଧୀ ଦଳ ବିଜେପି, ବାମ ଓ କଂଗ୍ରେସ ମେଣ୍ଟ ଗଢିଛନ୍ତି ।
ବିଜେପିର ପ୍ରଦେଶ ଅଧ୍ୟକ୍ଷ ସୁକାନ୍ତ ମଜୁମ୍ଦାର ଏହାକୁ ସ୍ଥାନୀୟ ସ୍ତରର ମେଣ୍ଟ ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି, ଗ୍ରାମୀଣ ନେତାମାନେ ନିଜ ନିଜ ମଧ୍ୟରେ ଆଲୋଚନା କରି କାହାକୁ ଜିତାଇବାକୁ ହେବ ସ୍ଥିର କରିଥାନ୍ତି । ଟିଏମ୍ସିର ଗୁଣ୍ଡାଗର୍ଦ୍ଦି ଏତେ ବଢିଯାଇଛି ଯେ ଅନେକ ସ୍ଥାନରେ ତିନି ଦଳ ମଧ୍ୟରେ ଆପୋଷ ବୁଝାମଣାରେ ପ୍ରାର୍ଥୀ ଦିଆଯିବ । ସେହିପରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ବି ଏହି ତର୍କ ଦେଇଛନ୍ତି । ସେ କହିଛନ୍ତି, ସ୍ଥାନୀୟ ସ୍ତରରେ ଆମର ନିୟନ୍ତ୍ରଣ ନ ଥାଏ । ଭୋଟରମାନେ ନିଜ ନିଜ ମଧ୍ୟରେ ନିଷ୍ପତ୍ତି ନେଇ ପ୍ରାର୍ଥୀ ଚୟନ କରିଥାନ୍ତି । ରାଜ୍ୟରେ ଏକଛତ୍ରବାଦୀ ଶାସନ ଏତେ ବଢିଗଲାଣି ଯେ
ଲୋକେ ଟିଏମ୍ସିକୁ ହଟାଇବା ପାଇଁ ଯେକୌଣସି ରାସ୍ତା ଆପଣାଇବାକୁ ପ୍ରସ୍ତୁତ ।
ପଶ୍ଚିମବଙ୍ଗରେ ଦଳୀୟ ସଂକତରେ ପଞ୍ଚାୟତ ନିର୍ବାଚନ ହୋଇଥାଏ । ଏଥର ଟିଏମ୍ସି ଅଡୁଆରେ ପଡିବ । କାରଣ ସରକାରଙ୍କ ବିରୋଧରେ ଭ୍ରଷ୍ଟାଚାରର ଯେତେ ଅଭିଯୋଗ ଥାଇପାରେ ସବୁ ଲାଗିଛି । ତେଣୁ ଦଳ ବିରୋଧରେ ଏକ ମାହୋଲ ସୃଷ୍ଟି ହୋଇଛି ବୋଲି ବରିଷ୍ଠ ସାମ୍ବାଦିକ ସ୍ନିଗେ୍ଧନ୍ଦୁ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଯଦି ୨୦୧୮ ଭଳି ହିଂସାକାଣ୍ଡ ହୁଏ ମମତା ବାନାର୍ଜୀଙ୍କ ଦଳ ପାଇଁ ୨୦୨୪ରେ ଜିତିବା ଅଧିକ ମୁସ୍କିଲ ହେବ ।