ଚତୁର୍ଥୀ ପୂର୍ବରୁ ଲିଭିଲା ମଥାର ସିନ୍ଦୂର
ବାଲେଶ୍ୱର, ୩ା୩ (ଆପ୍ର): ଆରମ୍ଭ ହୋଇ ନ ଥିଲା ଚତୁର୍ଥୀ ହୋମ । କାନ୍ଥରୁ ଲିଭିନି ଚିତା, ହାତରୁ ଲିଭିନି ମେହେନ୍ଦି । ତା’ ପୂର୍ବରୁ ନବବଧୂର ମଥାରୁ ଲିଭିଗଲା ସିନ୍ଦୂର । ସଂସାର ଗଢ଼ିବା ଆଗରୁ ଜୁଇରେ ଜଳିଲା ସ୍ୱାମୀର ମରଶରୀର । ଦୁଇଦିନ ପୂର୍ବେ ସାତ ଜନମ ପାଇଁ ହୋଇଥିବା ସାଥୀକୁ ପର କରି ଅଫେରା ରାଇଜରୁ ·ଲିଗଲେ ବର । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖଡ଼ୁପହି ସାହିରେ ।
ସାହିର ଅଜୟ କୁମାର ଭଞ୍ଜଙ୍କର ମାର୍ଚ୍ଚ ୧ରେ ଜାକଜମକରେ ବିବାହ ସମ୍ପନ୍ନ ହୋଇଥିଲା ଚାନ୍ଦିପୁର ଅଞ୍ଚଳର ଚାନ୍ଦିନୀଙ୍କ ସହିତ । ଶୁକ୍ରବାର ବିବାହ ଭୋଜି ଆୟୋଜନ କରାଯାଇଥିଲା । ଏଥିପାଇଁ ପରିବାର ଆତ୍ମୀୟସ୍ୱଜନ ବ୍ୟସ୍ତ ଥିଲେ । ଘୋ-ଘାରେ ଘର ଫାଟି ପଡ଼ୁଥିଲା । ନବବଧୂ ମଧ୍ୟ ସାତ ଜନମର ସାଥିଙ୍କୁ ପାଇ ଖୁସି ଥିଲା । କିନ୍ତୁ ଦଇବ ସହିଲାନି । ପରିବାର ଉପରେ ଛିଡ଼ି ପଡ଼ିଲା ଦୁଃଖର ପାହାଡ଼ । ପୋଖରୀରୁ ଅଜୟଙ୍କ ମୃତଦେହ ଉଦ୍ଧାର କରାଗଲା ।
ସକାଳେ ଅଜୟ ପୋଖରୀକୁ ଶୌଚ ହେବା ପାଇଁ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରି ପାଇ ନ ଥିଲେ । ପରେ ସେ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ନେଇଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ । ଅଜୟଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଯେଉଁମାନେ ବରଯାତ୍ରୀ ଯାଇଥିଲେ ସେହି ସାହି ଭାଇ ଅଜୟଙ୍କ ଶବ ମଶାଣିକୁ ନେଇଥିଲେ । ଏହି ଘଟଣା ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।