ପୂର୍ବୋତ୍ତରରେ ଫୁଟିଲା ପଦ୍ମ
ନୂଆଦିଲ୍ଲୀ, ୨ ।୩: ପୂର୍ବୋତ୍ତରର ୩ ରାଜ୍ୟ ତି୍ରପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳ ଆସିଛି । ତି୍ରପୁରା ଓ ନାଗାଲାଣ୍ଡରେ ବିଜେପି ଓ ତା’ର ସହଯୋଗୀ ଦଳମାନଙ୍କୁ ମିଳିଛି ସଂଖ୍ୟା ଗରିଷ୍ଠତା । ବିଜେପି ମେଣ୍ଟ ନାଗାଲାଣ୍ଡରେ ୩୭ ଓ ତ୍ରିପୁରାରେ ୩୩ ଆସନ ଜିତିଛି । ଏହି ଦୁଇ ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୩୧ । ତେଣୁ ବିଜେପି ମେଣ୍ଟ ହିଁ ଏହି ଦୁଇ ରାଜ୍ୟରେ ପୁନର୍ବାର ସରକାର ଗଢ଼ିବାକୁ ଯାଉଛି । ନାଗାଲାଣ୍ଡରେ ବିଜେପି ନ୍ୟାସନାଲିଷ୍ଟ ଡେମୋକ୍ରେଟିକ୍ ପ୍ରୋଗେସିଭ୍ ପାର୍ଟି (ଏନ୍ଡିପିପି) ସହ ମେଣ୍ଟ କରିଥିଲା । ଏହି ରାଜ୍ୟରେ ୭୦ ବର୍ଷୀୟ ନେଫିୟୁ ରିୟୋ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ । ତିନି ରାଜ୍ୟ ନିର୍ବାଚନ ଫଳ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିବା ମଧ୍ୟରେ ପୂର୍ବୋତ୍ତର ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜେପି କର୍ମକର୍ତ୍ତାଙ୍କୁ ବଧେଇ ଦେଇଛନ୍ତି । ମେଘାଳୟରେ କିନ୍ତୁ ବିଜେପିକୁ ସଫଳତା ମିଳିନାହିଁ । ସେଠାରେ ଏନ୍ପିପି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ସଦ୍ୟ ସୂଚନା ଅନୁଯାୟୀ, ସେଠାରେ ଏନ୍ପିପିକୁ ବିଜେପି ସମର୍ଥନ ଦେବ । ତେଣୁ ମେଘାଳୟ ସରକାରରେ ମଧ୍ୟ ବିଜେପି ରହିବ । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସଙ୍ଗମାଙ୍କ ନ୍ୟାସନାଲ୍ ପିପୁଲସ୍ ପାର୍ଟି (ଏନ୍ପିପି) ୨୬ ଆସନ ବିଜୟ ଲାଭ କରିଛି । ଏହି ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୩୦ । ସୁତରାଂ ବିଜେପି ସମର୍ଥନରେ ଏନ୍ପିପି ସରକାର ଗଠନ କରିବା ସମ୍ଭାବନା ଅଧିକ । ଏନ୍ପିପି ଅଧ୍ୟକ୍ଷ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ ସଙ୍ଗମା ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସମର୍ଥନ ମାଗିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କ୍ଷମତାସୀନ ଏନ୍ପିପିକୁ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାସରମା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମେଘାଳୟରେ ପ୍ରଥମ ଥର ପାଇଁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେଇଥିଲା । ଗତଥର ମେଘାଳୟରେ ବିଜେପି ଶାସକ ଦଳ ଏନ୍ପିପି ସହ ମେଣ୍ଟ କରିଥିଲା । ଏଥର ନିର୍ବାଚନରେ କିନ୍ତୁ ବିଜେପି ଏନ୍ପିପି ମେଣ୍ଟରେ ରହିଲା ନାହିଁ । ତେବେ ମୁଖ୍ୟମନ୍ତ୍ରୀ ସଙ୍ଗମା ସୂଚନା ଦେଇଛନ୍ତି ଯେ ଯଦି ଝୁଲା ବିଧାନସଭା ଗଠିତ ହୁଏ, ବିଜେପି ଓ ଏନ୍ପିପି ପୁନର୍ବାର ଏକାଠି ହୋଇପାରିବେ । ତ୍ରିପୁରାରେ କଂଗ୍ରେସ, ବାମ ମେଣ୍ଟ ଓ ଟିପରା ମୋଥା ପାର୍ଟି (ଟିଏମ୍ପି) ନିରାଶ ହୋଇଛନ୍ତି । ବିଶେଷକରି ତିନି ପୂର୍ବୋତ୍ତର ରାଜ୍ୟରେ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ରାହୁଳ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଭୋଟରମାନଙ୍କୁ ପ୍ରଭାବିତ କରିନାହିଁ । ଦଳକୁ ତ୍ରିପୁରାରେ ମାତ୍ର ୯, ନାଗାଲାଣ୍ଡରେ ୪ ପ୍ରତିଶତ ଭୋଟ୍ ମିଳିଛି । ତେବେ ମେଘାଳୟରେ କଂଗ୍ରେସ ପ୍ରାୟ ୧୪ ପ୍ରତିଶତ ଭୋଟ୍ ହାତେଇଛି । ଏହି ସବୁ କାରଣରୁ ୨୦୨୪ ‘ଫାଇନାଲ୍’ ପୂର୍ବରୁ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଚାଲେଞ୍ଜ ଆଣିଦେଇଛି । ଏକଦା ତ୍ରିପୁରାରେ ବହୁବର୍ଷ ଧରି ଶାସନ କ୍ଷମତାରେ ଥିବା ବାମପନ୍ଥୀ ଦଳ ଏଥର ଶୋଚନୀୟ ଭାବେ ପରାସ୍ତ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶସାରା ବିରୋଧୀ ଦଳମାନେ ବିଜେପି ବିପକ୍ଷରେ ମେଣ୍ଟ ପ୍ରସ୍ତୁତି ଚଳାଇଥିବାବେଳେ ତିନି ପୂର୍ବୋତ୍ତର ରାଜ୍ୟରେ ବିଜେପିର ସ୍ଥିିତି ପୂର୍ବାପେକ୍ଷା ଆହୁରି ମଜଭୁତ ହୋଇଛି ।