ତାସ୍ଘର ଭଳି ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ କ୍ରମ

ତୃତୀୟ ଟେଷ୍ଟ, ପ୍ରଥମ ଦିବସ
ଇନେ୍ଦାର, ୧ା୩ (ଏଜେନ୍ସି): ହୋଲ୍କର କ୍ରିକେଟ୍ ଷ୍ଟାଡିୟମ୍ର ସ୍ପିନିଂ ୱିକେଟ୍ରେ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନ ଭାରତୀୟ ବ୍ୟାଟିଂ କ୍ରମ ତାସ୍ଘର ଭଳି ଭୁଶୁଡ଼ିଯାଇଛି । ରୋହିତ ସେନା ପ୍ର୍ରଥମ ଇନିଂସ୍ରେ ମାତ୍ର ୧୦୯ ରନ୍ ସଂଗ୍ରହ କରିଥିଲା, ଯାହାକି ଘରେ କଙ୍ଗାରୁ ଟିମ୍ ବିପକ୍ଷରେ ତା’ର ଚତୁର୍ଥ ସର୍ବନିମ୍ନ ଟେଷ୍ଟ ସ୍କୋର୍ । ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଟିମ୍ ୪ ୱିକେଟ୍ ବିନିମୟରେ ୧୫୬ ରନ୍ କରି ୪୭ ରନ୍ରେ ଆଗରେ ରହିଛି ।
ଅଷ୍ଟ୍ରେଲୀୟ ସ୍ପିନର୍ ମାଥୁ୍ୟ କୁନେମାନ୍ ଓ ନାଥନ୍ ଲାୟନ୍ ଭାରତର ବ୍ୟାଟିଂ ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦିନର ଦୁଇ ସତ୍ର ମଧ୍ୟରେ ମାତ୍ର ୩୩.୨ ଓଭର୍ ଖେଳି ଭାରତୀୟ ଟିମ୍ ଅଲ୍ଆଉଟ୍ ହୋଇଯାଇଥିଲା । କୁନେମାନ୍ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ଲାୟନ୍ଙ୍କୁ ତିନି ଓ ଟଡ୍ ମର୍ଫିଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
ଅଷ୍ଟ୍ରେଲୀୟ ଟିମ୍ ମାତ୍ର ୯ ରନ୍ରେ ଟ୍ରେଭିସ୍ ହେଡ୍ଙ୍କ ୱିକେଟ୍ ହରାଇଥିଲା । ହେଡ୍ଙ୍କୁ ରବୀନ୍ଦ୍ର ଜାଡ଼େଜା ଏଲ୍ବିଡବ୍ଲୁ୍ୟ ଆଉଟ୍ କରିଥିଲେ । କିନ୍ତୁ ଏହାପରେ ଅନ୍ୟତମ ଓପନର୍ ଉସ୍ମାନ ଖୱାଜା ନୂଆ ବ୍ୟାଟର୍ ମାର୍ନସ ଲାବୁସେନ୍ଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୯୬ ରନ୍ର ଭାଗୀଦାରୀ କରିଥିଲେ ।
ଲାବୁସେନ୍ (୩୧)ଙ୍କୁ ବୋଲ୍ଡ କରି ଜାଡ଼େଜା ଏହି ଯୋଡ଼ି ଭାଙ୍ଗିଥିଲେ । ଖୱାଜା (୬୦) ଜାଡ଼େଜାଙ୍କ ତୃତୀୟ ଶିକାର ହୋଇଥିଲେ । ସେ ସ୍ୱିପ୍ କରିବାକୁ ପ୍ରୟାସ କରୁଥିବା ବେଳେ ଡିପ୍ରେ ଶୁଭମନ ଗିଲ୍ଙ୍କୁ ଏକ ସହଜ କ୍ୟାଚ୍ ଦେଇଥିଲେ । ଏହାପରେ ୩୪ବର୍ଷୀୟ ତାରକା ଅଲ୍ରାଉଣ୍ଡର୍ ଅଧିନାୟକ ଷ୍ଟିଭ୍ ସ୍ମିଥ୍ (୨୬)ଙ୍କୁ ପାଭିଲିଅନ୍ ପଠାଇ ଚତୁର୍ଥ ସଫଳତା ପାଇଥିଲେ । ଷ୍ଟମ୍ପ୍ସ ଅପସାରଣ ବେଳକୁ ପିଟର୍ ହାଣ୍ଡ୍୍ସକମ୍ବ ୭ ଓ କାମେରନ୍ ଗ୍ରୀନ୍ ୬ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଉଟ୍ ଅଫ୍ ଫର୍ମ ଲୋକେଶ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍ଙ୍କୁ ସୁଯୋଗ ଦିଆଯାଇଥିଲା । ସେହିପରି ପେସର୍ଙ୍କ ମହମ୍ମଦ ଶାମୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଟିମ୍ରେ ସାମିଲ୍ କରାଯାଇଥିଲା । ଅଷ୍ଟ୍ରେଲୀୟ ଟିମ୍କୁ କାମେରନ୍ ଗ୍ରୀନ୍ ଓ ମିଚେଲ୍ ଷ୍ଟାର୍କ ପ୍ରତ୍ୟାବର୍ତ୍ତନ କରିଥିଲେ । ଟିମ୍ ତିନି ବିଶେଷଜ୍ଞ ସ୍ପିନର୍ – ନାଥନ୍ ଲାୟନ୍, ଟଡ୍ ମର୍ଫି ଓ ମାଥୁ୍ୟ କୁନେମନ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ଅପରିବର୍ତ୍ତତ ରଖିଥିଲା ।
୪୫ ରନ୍ ମଧ୍ୟରେ ଭାରତୀୟ ଟିମ୍ର ଅଧା ବ୍ୟାଟର୍ ପାଭିିଲିଅନ୍ ଫେରିଥିଲେ । ୨୭ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା । ଅଧିନାୟକ ରୋହିତ ଶର୍ମା ମାତ୍ର ୧୨ ରନ୍ କରି କୁନେମାନ୍ଙ୍କ ବଲ୍ରେ ଷ୍ଟମ୍ପ୍ଆଉଟ୍ ହୋଇଥିବା ବେଳେ ଶୁଭମନ ଗିଲ୍ ବ୍ୟକ୍ତିଗତ ୨୧ ରନ୍ରେ କୁନେମାନ୍ଙ୍କ ବଲ୍ରେ ସ୍ମିଥ୍ଙ୍କୁ କ୍ୟାଚ୍ ଦେଇଥିଲେ । ଚେତେଶ୍ୱର ପୂଜାରା (୧) ଓ ଜାଡ଼େଜା (୪) ଲାୟନ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଶ୍ରେୟାସ ଆୟର ଖାତା ଖୋଲି ନ ପାରି କୁନେମାନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଏହାପରେ ବିରାଟ କୋହଲି ଓ ଶ୍ରୀକର ଭରତ ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ, ହେଲେ ଏହି ଯୋଡ଼ି ବି ବିଫଳ ହୋଇଥିଲା । କୋହଲି ୨୨ ରନ୍ କରି ମର୍ଫିଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଶ୍ରୀକର (୧୭) ଲାୟନ୍ଙ୍କ ଶିକାର ହୋଇଥିଲେ ।
ରବିଚନ୍ଦ୍ରନ ଅଶ୍ୱିନ (୩) ଓ ଉମେଶ ଯାଦବ (୧୭)ଙ୍କ ୱିକେଟ୍ କୁନେମାନ୍ଙ୍କ ଖାତାକୁ ଯାଇଥିଲା । ମହମ୍ମଦ ସିରାଜ କୌଣସି ସ୍କୋର୍ ନ କରି ରନ୍ଆଉଟ୍ ହୋଇଯାଇଥିବା ବେଳେ ଅକ୍ଷର ପଟେଲ୍ ୧୨ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *