ତ୍ରିପୁରାରେ ୮୧% ଭୋଟିଂ

ଅଗରତାଲା (ଏଜେନ୍ସି): ତ୍ରିପୁରାର ୬ଠ ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ୍ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ରୁ ମତଗ୍ରହଣ ଆରମ୍ଭ ହୋଇଥିବା ବେଳେ ଲୋକେ ଶୃଙ୍ଖଳିତ ଭାବେ ନିଜ ନିଜ ପୁଲିଂ ବୁଥ୍ରେ ଧାଡିରେ ଛିଡା ହୋଇ ଭୋଟ୍ ଦେବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହାରାହାରି ୮୧.୧ଠ% ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । ଅର୍ଥାତ୍ ପୂର୍ବବର୍ଷ (୨ଠ୧୮) ତୁଳନାରେ ଚଳିତ ଥର ୯% କମ୍ ଭୋଟିଂ ହୋଇଛି । ୨ଠ୧୮ରେ ତ୍ରିପୁରାରେ ୯ଠ% ଭୋଟିଂ ହୋଇଥିଲା ।
କଂଗ୍ରେସ ଓ ବିଜେପିକୁ ଆୟୋଗର ନୋଟିସ୍
ଗୁରୁବାର ତ୍ରିପୁରା ବିଧାନସଭା ନିର୍ବାଚନ ଥିବା ବେଳେ ସକାଳୁ ସକାଳୁ ଉଭୟ କଂଗ୍ରେସ ଏବଂ ବିଜେପିର କିଛି କିଛି ନେତାମାନେ ରାଜ୍ୟବାସୀଙ୍କୁ ନିଜ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେବାକୁ ଅପିଲ୍ କରିଥିଲେ । ତେବେ ଏସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଉଭୟ କଂଗ୍ରେସ ଏବଂ ବିଜେପିକୁ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନୀ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ନୋଟିସ୍ ଜାରି କରାଯାଇଛି ।
ଇଭିଏମ୍ରେ ୨୦ ମହିଳାଙ୍କ ସହ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
ଚଳିତ ଥର ତ୍ରିପୁରାରେ ମୋଟ୍ ୩୩୩୭ ପୁଲିଂ ବୁଥ୍ର ବ୍ୟବସ୍ଥା କରାଯାଇଥିଲା । ଏକକ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଏତେ ସଂଖ୍ୟକ ପୁଲିଂ ବୁଥ୍ ସ୍ଥାପନା କରାଯାଇଥିଲା । ତେବେ ସେଥିମଧ୍ୟରୁ ୧୧ଠଠ ବୁଥ୍କୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଥିଲା । ୨ଠ୨୩ରେ ଏହା ପ୍ରଥମ ତଥା ବୃହତ୍ ନିର୍ବାଚନ ଥିଲା । ସୁତରାଂ କୌଣସି ପ୍ରକାର ବିଶୃଙ୍ଖଳା, ହିଂସା ତଥା ଅଘଟଣ ଆଶଙ୍କାରେ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ (୪ଠଠ ପ୍ଲାଟୁନ୍ ପାରାମିଲିଟାରୀ ଫୋର୍ସ ମୁତୟନ) କଡାକଡି କରାଯାଇଥିଲା । ଚଳିତ ବର୍ଷ ମୋଟ୍ ୨୮.୧୩ ଲକ୍ଷ ତ୍ରିପୁରାବାସୀ ଭୋଟ୍ ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇ ନିର୍ବାଚନୀ ମୈଦାନରେ ଥିବା ୨୫୯ପ୍ରାର୍ଥୀଙ୍କ ଭାଗ୍ୟକୁ ଇଭିଏମ୍ରେ ସିଲ୍ କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ ୨ଠ ମହିଳା ପ୍ରାର୍ଥୀ ମଧ୍ୟ ରହିଛନ୍ତି । ଆସନ୍ତା ମାର୍ଚ୍ଚ ୨ରେ ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ଫଳାଫଳ ସହ ମାର୍ଚ୍ଚ୨ରେ ତ୍ରିପୁରା ରେଜଲ୍ଟ ମଧ୍ୟ ଘୋଷଣା କରାଯିବ ।
ରାଜ୍ୟବ୍ୟାପୀ ତ୍ରିମୁଖୀ ଲଢ଼େଇ
ଚଳିତ ର୍ନିବାଚନରେ ପ୍ରାୟ ସମସ୍ତ ଆସନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ବିଜେପି-ଆଇପିଏଫ୍ଟି ମେଣ୍ଟ, କଂଗ୍ରେସ-ବାମ ସାମ୍ମୁଖ୍ୟ ମେଣ୍ଟ ଏବଂ ଆଞ୍ଚଳିକ ଦଳ ଟିପରା ମୋର୍ଥା ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି । ବିଜେପି ୫୫ ଆସନରେ ସହଯୋଗୀ ମେଣ୍ଟ ଦଳ ଆଇପିଏଫ୍ଟି ୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି କଂଗ୍ରେସ ମାତ୍ର ୧୩ ଆସନରେ ଲଢ଼ୁଥିବା ବେଳେ ସହଯୋଗୀ ଦଳ ସିପିଆଇ(ଏମ୍) ୪୭ ଆସନରେ ପ୍ରାର୍ଥୀ ଦେଇଛି । ପ୍ରଥମ ଥର ପାଇଁ ଟିପ୍ରା ମୋର୍ଥା ୪୨ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛି । ତେବେ ପ୍ରାକ୍ ନିର୍ବାଚନୀ ସର୍ଭେ ଅନୁସାରେ ତ୍ରିପୁୂରାରେ କୌଣସି ଦଳ କିମ୍ବା ମେଣ୍ଟ ଦଳଙ୍କୁ ସ୍ପଷ୍ଟ ବହୁମତ ମିଳିବା ବଡ କଷ୍ଟକର ବ୍ୟାପାର ହୋଇପାରେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *