ଡ୍ରାଇଭର୍ ସିଟ୍ରେ ଭାରତ

ପ୍ରଥମ ଟେଷ୍ଟ, ଦ୍ୱିତୀୟ ଦିବସ
ନାଗପୁର, ୧୦ା୨ (ଏଜେନ୍ସି): ଅଧିନାୟକ ରୋହିତ ଶର୍ମାଙ୍କ ଉଜ୍ଜ୍ୱଳ ଶତକ ଏବଂ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ୍ଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ଡ୍ରାଇଭର୍ ସିଟ୍ରେ ପହଞ୍ଚିଛି । ଶୁକ୍ରବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟୋଜକ ଟିମ୍ ୭ ୱିକେଟ୍ ବିନିମୟରେ ୩୨୧ ରନ୍ କରି ୧୪୪ ରନ୍ରେ ଆଗରେ ରହିଛି ।
ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ କମ୍ବ୍ୟାକ୍ ମ୍ୟାନ୍ ଜାଡ଼େଜା (ଅପରାଜିତ ୬୬ ରନ୍) ଓ ଅକ୍ଷର ପଟେଲ୍ (ଅପରାଜିତ ୫୨) ଅଷ୍ଟମ ୱିକେଟ୍ ପାଇଁ ଅପରାଜିତ ୮୧ ରନ୍ର ଭାଗୀଦାରୀ କରି ଅନ୍ତିମ ସତ୍ରରେ ଅଷ୍ଟ୍ରେଲୀୟ ବୋଲର୍ଙ୍କୁ ନିରାଶ କରିଥିଲେ ।
ଭାରତର ଦୃଢ଼ ବ୍ୟାଟିଂ ପ୍ରଦର୍ଶନ ସତ୍ତ୍ୱେ ପ୍ରତିପକ୍ଷ ଟିମ୍ର ନବାଗତ ଅଫ୍ସ୍ପିନର୍ ୨୨ବର୍ଷୀୟ ଟୋଡ୍ ମର୍ଫି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସେ ୮୨ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ପାଟ୍ କମିନ୍ସ ଓ ନାଥନ୍ ଲାୟନ୍ସ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ପ୍ରଥମ ସତ୍ର: ପଡ଼ିଲା ଦୁଇ ୱିକେଟ୍
ଭାରତୀୟ ଟିମ୍ ୭୭/୧ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ରୋହିତ ଶର୍ମା ଓ ରବିଚନ୍ଦ୍ରନ୍ ଅଶ୍ୱିନ ଦ୍ୱିତୀୟ ୱିକେଟ୍ ପାଇଁ ୪୨ ରନ୍ ଯୋଗ କରିଥିଲେ । ଅଶ୍ୱିନ ବ୍ୟକ୍ତିଗତ ୨୩ ରନ୍ରେ ମର୍ଫିଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
ପରବର୍ତ୍ତୀ ବ୍ୟାଟର୍ ଚେତେଶ୍ୱର ପୂଜାରା ନିରାଶ କରିଥିଲେ । ସେ ମାତ୍ର ୭ ରନ୍ କରି ମର୍ଫିଙ୍କ ବଲ୍ରେ ସ୍କଟ୍ ବୋଲାଣ୍ଡଙ୍କୁ କ୍ୟାଚ୍ ଦେଇଥିଲେ । ଭୋଜନକାଳ ବିରତି ବେଳକୁ ସ୍କୋର୍ ହୋଇଥିଲା ୧୫୧/୩ ।
ଦ୍ୱିତୀୟ ସତ୍ର: କୋହଲି-ସୂର୍ଯ୍ୟ ବିଫଳ, ରୋହିତଙ୍କ ଶତକ
ଦ୍ୱିତୀୟ ସତ୍ରର ପ୍ରଥମ ବଲ୍ରେ କୋହଲିଙ୍କ ୱିକେଟ୍ ପଡ଼ିଥିଲା । କୋହଲି ମାତ୍ର ୧୨ ରନ୍ କରି ମର୍ଫିଙ୍କ ଚତୁର୍ଥ ଶିକାର ହୋଇଥିଲେ । ଏହାପରେ କ୍ରିଜ୍କୁ ଆସିଥିବା ସୂର୍ଯ୍ୟକୁମାର ଯାଦବ (୭) ବି ବିଫଳ ହୋଇଥିଲେ । ୧୬୮ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା ।
ଏହାପରେ ନୂଆ ବ୍ୟାଟର୍ ଜାଡ଼େଜାଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ ରୋହିତ । ଉଭୟ ଇନିଂସ୍କୁ ୨୦୦ ଅତିକ୍ରମ କରାଇଥିଲେ । ଷଷ୍ଠ ୱିକେଟ୍ ପାଇଁ ୬୧ ରନ୍ର ଭାଗୀଦାରୀ ହୋଇଥିଲା ।
ଇତ୍ୟବସରେ ରୋହିତ ୧୭୧ ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କର ନବମ ଟେଷ୍ଟ ଶତକ ଥିଲା । ତିନି ଫର୍ମାଟ୍ରେ ଶତକ ଲଗାଇବାରେ ସେ ପ୍ରଥମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି । ବିଶ୍ୱରେ ରୋହିତଙ୍କ ପୂର୍ବରୁ ତିଲକରତ୍ନ ଦିଲ୍ଶାନ, ଫାଫ୍ ଡୁ ପ୍ଲେସିସ୍ ଓ ବାବର ଆଜମ୍ ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ଚା’ପାନ ବିରତି ସୁଦ୍ଧା ସ୍କୋର୍ ଥିଲା ୨୨୬/୫ ।
ତୃତୀୟ ସତ୍ର: ଜାଡ଼େଜା-ଅକ୍ଷରଙ୍କ ଦମ୍ଦାର ଭାଗୀଦାରୀ
ତୃତୀୟ ସତ୍ରରେ ରୋହିତ-ଜାଡ଼େଜା ଯୋଡ଼ି ବେଶୀ ସମୟ ତିଷ୍ଠି ନ ଥିଲା । ରୋହିତ ବ୍ୟକ୍ତିଗତ ୧୨୦ ରନ୍ରେ କମିନ୍ସଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ସେ ୨୧୨ ବଲ୍ର ସାମ୍ନା କରି ୧୫ ଚୌକା ଓ ୨ ଛକା ମାରିଥିଲେ ।
ନବାଗତ ଶ୍ରୀକର ଭରତ ମାତ୍ର ୮ ରନ୍ କରି ପାଭିଲିଅନ୍ ଫେରିଥିଲେ । ତାଙ୍କ ୱିକେଟ୍ ବି ମର୍ଫିଙ୍କ ଖାତାକୁ ଯାଇଥିଲା । ୨୪୦ ରନ୍ରେ ସପ୍ତମ ୱିକେଟ୍ ପଡ଼ିଥିଲା । ଏହାପରେ ଜାଡ଼େଜା ନୂଆ ବ୍ୟାଟର୍ ଅକ୍ଷର ପଟେଲ୍ଙ୍କ ସହ ମିଶି ସ୍ଥିତି ସମ୍ଭାଳି ନେଇଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୩୦୦ ଅତିକ୍ରମ କରିଥିଲା । ଶେଷ ଯାଏଁ କେହି ଏହି ଯୋଡ଼ି ଭାଙ୍ଗିପାରି ନ ଥିଲେ । ଜାଡ଼େଜା ୧୧୪ ବଲ୍ରୁ ଓ ଅକ୍ଷର ୯୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଜାଡ଼େଜା ୯ ଚୌକା ସହାୟତାରେ ୬୬ ଓ ଅକ୍ଷର ୮ ଚୌକା ସହାୟତାରେ ୫୨ ରନ୍ କରି ଅପରାଜିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୧୭୭ ରନ୍ ସଂଗ୍ରହ କରିଥିଲା । ଜାଡ଼େଜା ପ୍ରଭାବଶାଳୀ ପ୍ରଦର୍ଶନ କରି ୫ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *