ବ୍ରିଟେନ୍ରେ କ୍ରୀତଦାସ ସାଜିବେ ୫ଠ ଭାରତୀୟ ଛାତ୍ର!

ଆଶଙ୍କା ବ୍ୟକ୍ତ କଲେ ହାଇକମିଶନର
ଲଣ୍ଡନ୍ (ଏଜେନ୍ସି): ବି୍ରଟେନ୍ରେ ଏବେ ଆଧୁନିକ କ୍ରୀତଦାସର ଏକ କୁତ୍ସିତ ପରମ୍ପରା ଆରମ୍ଭ ହେବାକୁ ଯାଉଛି । ତେବେ ଭାରତ ପାଇଁ ସବୁଠୁ ବଡ ବିଡମ୍ବନାର ବିଷୟ ହେଉଛି, ବି୍ରଟେନ୍ରେ ଏବେ ଏବେ ଆରମ୍ଭ ହେବାକୁ ଯାଉଥିବା ଏହି ପରମ୍ପରାରେ ପ୍ରାୟ ୫ଠ ଭାରତୀୟ ଛାତ୍ର (ବ୍ରିଟେନ୍କୁ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ଆସିଛନ୍ତି) ଫସିଯାଇଛନ୍ତି । ସିଧାସଳଖ କହିଲେ ୫ଠ ଭାରତୀୟ ଛାତ୍ର ଏବେ କୌଣସି ନା କୌଣସି କାରଣ ବଶତଃ ବ୍ରିଟେନ୍ରେ ଆଧୁନିକ ଦାସତ୍ୱ ବା କ୍ରୀତଦାସ ସାଜିଥିବା କିମ୍ବା ସାଜିବାକୁ ଯାଉଥିବା ଜଣାପଡିଛି । ବ୍ରିଟେନ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଆଶଙ୍କା ବ୍ୟକ୍ତ କରାଯିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଛି ।
ଦୂତାବାସ ହାଇକମିଶନରଙ୍କ ପକ୍ଷରୁ ଏନେଇ ଉକ୍ତ ଛାତ୍ରଛାତ୍ରୀଙ୍କୁ ଏଥିରୁ ବାରଣ ରହିବାକୁ ଅପିଲ୍ ମଧ୍ୟ କରାଯାଇଛି । ଏଥିପାଇଁ ସବୁପ୍ରକାର ସହାୟତା ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିିଶ୍ରୁତି ଦିଆଯିବା ସହ ସେମାନଙ୍କ ପାଇଁ ଦୂତାବାସ ଦ୍ୱାର ସବୁବେଳେ ଉନ୍ମୁକ୍ତ ରହିବ ବୋଲି କୁହାଯାଇଛି । ତେବେ ଛାତ୍ରଛାତ୍ରୀମାନେ ନିର୍ଭୟରେ ଥରେ ଆସି ଦୂତାବାସରେ ଦେଖା କରିବାକୁ, ନଚେତ୍ କେବଳ ଯୋଗାଯୋଗ କରିବାକୁ ହାଇକମିଶନ୍ ଅପିଲ୍ କରିଛନ୍ତି । ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଉଦ୍ଧାର କରିବାର ଦାୟିତ୍ୱ ନିଜେ ହାଇକମିଶନର ଗ୍ରହଣ କରିଛନ୍ତି । ପ୍ରାୟ ୫ଠ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭୟଭୀତ କରାଯାଇ କିମ୍ବା ସେମାନଙ୍କ ଉପରେ ଚାପ ପକାଯାଇ ବ୍ରିଟେନ୍ର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସେମାନଙ୍କୁ କ୍ରୀତଦାସ ଭାବେ ରଖିବାକୁ ଚାହୁଁଛନ୍ତି । ଏସମ୍ପର୍କରେ ବି୍ରଟେନ୍ ଗୁଇନ୍ଦା ବିଭାଗ ବ୍ରିଟେନ୍ ସରକାରଙ୍କୁ ସୂଚନା ଦେବା ପରେ ସ୍ଥାନୀୟ ସରକାର ଏସମ୍ପର୍କରେ ଭାରତୀୟ ଦୂତାବାସକୁ ଜଣାଇଛନ୍ତି । ଅନ୍ୟପକ୍ଷେ ଭାରତୀୟ ଛାତ୍ରଛାତ୍ରୀଙ୍କୁ କ୍ରୀତଦାସ ଭାବେ ରହିବାକୁ ପ୍ରବର୍ତ୍ତାଉଥିବା ବା ଚାପ ପକାଉଥିବା ୫ ଅଭିଯୁକ୍ତଙ୍କୁ ମଧ୍ୟ ବି୍ରଟେନ୍ ପୁଲିସ୍ ଗିରଫ କରିଛି । ଏମାନେ ମଧ୍ୟ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ତେବେ କେବଳ ଏହି ୫ଜଣଙ୍କୁ ଗିରଫ କଲେ କିଛି ଲାଭ ହେବନି ଏଥିପାଇଁ ବ୍ରିଟେନ୍ରେ ଏକ ର୍ୟାକେଟ୍ ବେଶ୍ ସକ୍ରିୟ ହୋଇଉଠିଥିବା ଆଶଙ୍କାରେ ଏବେ ବି୍ରଟେନ୍ ସରକାର ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ପ୍ରକାଶ, ବି୍ରଟେନ୍ରେ କ୍ରୀତଦାସ ପ୍ରଥାକୁ ନିଷିଦ୍ଧ କରାଯାଇଛି । ଆଇନ୍ ଅମାନ୍ୟକାରୀଙ୍କୁ କଡା ଦଣ୍ଡାଦେଶ ଦିଆଯିବାର ମଧ୍ୟ ପ୍ରାବଧାନ ରହିଛି । ଲଣ୍ଡନ୍ର ନର୍ଥ ୱେଲ୍ସରେ ପାଠ ପଢ଼ିବା ସହ କେୟାର ହୋମ୍ସରେ କାମ କରୁଥିବା ଏହି ୫ଠ ଭାରତୀୟ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଜାଣିବାକୁ ମିଳିଛି । ବ୍ରିଟେନ୍ ଗୁଇନ୍ଦା ବିଭାଗ ଏହି ଛାତ୍ରଛାତ୍ରୀଙ୍କୁ କ୍ରୀତଦାସ କରାଯିବା ପାଇଁ ଚାଲିଥିବା ଷଡଯନ୍ତ୍ର ସମ୍ପର୍କରେ ସୂଚନା ପାଇବା ପରେ ଏସମ୍ପର୍କରେ ବ୍ରିଟେନ୍ ସରକାରଙ୍କୁ ଅବଗତ କରାଇଛି । ୟୁକେ ସରକାରଙ୍କ ଗୁଇନ୍ଦା ଏବଂ ଶ୍ରମ ଶୋଷଣ ଯାଞ୍ଚ ଏଜେନ୍ସି ଗ୍ୟାଙ୍ଗମାଷ୍ଟର୍ସ ଏବଂ ଲେବର ଆବୁ୍ୟଜ୍ ଅଥରିଟି (ଜିଏଲଏଏ) ଶ୍ରମ ଶୋଷଣ ମାମଲାରେ ଚଳିତ ସପ୍ତାହରେ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଏଲଏଲଏ ଅନୁସାରେ ଗତ ୧୪ ସପ୍ତାହ ଧରି ବ୍ରିଟେନ୍ରେ ସର୍ଚ୍ଚ ଅପରେସନ୍ ଜାରି ରହିଛନ୍ତି । ବିଭିନ୍ନ ଦେଶର ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୫ଠ ଭାରତୀୟ ଛାତ୍ରଛାତ୍ରୀ ରହିଛନ୍ତି ଯେଉଁମାନେ ଆଧୁନିକ ଦାସତ୍ୱ ସ୍ୱୀକାର କରିବା ସହିତ ଶ୍ରମ ଶୋଷଣର ନିର୍ଯାତନା ଭୋଗୁଥିବା ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ମିଳିତ ଜାତିସଂଘ (ୟୁଏନ୍) ମଧ୍ୟ ନିଜ ରିପୋର୍ଟରେ ଗତ ୨ଠ୨୧ରେ ବିଶ୍ୱସ୍ତରରେ ପ୍ରାୟ ୫ଠ ମିଲିଅନ୍ ଲୋକ ବାଧ୍ୟବାଧକତାରେ ପର ଦେଶରେ ଆଧୁନିକ ଦାସତ୍ୱ ଗ୍ରହଣ କରିଥିବା ଦର୍ଶାଇଛି । ବିଶେଷକରି ଗତ ୫ ବର୍ଷ ମଧ୍ୟରେ ଏହି ଘଟଣା ବୃଦ୍ଧି ପାଇଥିବା ୟୁଏନ୍ ଦର୍ଶାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *