୪ ଦେଶରେ ପ୍ରଳୟ: ୨୩ଠଠ ମୃତ
୭.୮ ମାତ୍ରାର ପ୍ରଚଣ୍ଡ ଭୂକମ୍ପ, ୭୮ ପଶ୍ଚାତ୍-କମ୍ପନ
ଅଙ୍କାରା, ୬ା୨: ମଧ୍ୟପ୍ରାଚ୍ୟର ୪ ଦେଶ ତୁର୍କୀ, ସିରିଆ, ଲେବାନନ ଓ ଇସ୍ରାଏଲରେ ସୋମବାର ଭୋର୍ ପ୍ରାୟ ୪ଟା ବେଳେ ୭.୮ ତୀବ୍ରତାର ଭୂକମ୍ପ ଆସି ଅମାପ ଧନଜୀବନ ହାନି କରିଛି । ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ (ଏପିସେଣ୍ଟର) ଥିଲା ତୁର୍କୀର ଗାଜିୟାଣ୍ଟେପ । ତେଣୁ ତୁର୍କୀରେ ସର୍ବାଧିକ ୧୫୪୧ ଲୋକ ପ୍ରାଣ ହରାଇଥିବା ମଧ୍ୟରାତ୍ରି ସୁଦ୍ଧା ହସ୍ତଗତ ରିପୋର୍ଟରୁ ଜଣାଯାଇଛି । ତୁର୍କୀର ଏଲ୍ବିସ୍ତାନରେ ସର୍ବାଧିକ ଧନଜୀବନ ହାନୀ ଘଟିଛି । ଭୂକମ୍ପ କେନ୍ଦ୍ରସ୍ଥଳ ଠାରୁ ୯୦ କିଲୋମିଟର ଦୂର ସିରିଆ ସୀମାନ୍ତରେ ମଧ୍ୟ ଅନୁରୂପ ପ୍ରଳୟ ଘଟି ଅତିକମ୍ରେ ୭୮୩ ଲୋକଙ୍କ ମୃତୁ୍ୟ ଘଟିଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଦୁଇ ଦେଶରେ ମୃତକ ସଂଖ୍ୟା ୨,୩୦୦ରୁ ଅଧିକ । ମୃତୁ୍ୟ ସଂଖ୍ୟା ୧୦ ହଜାର ଟପିବା ଆଶଙ୍କା ପ୍ରକାଶ ପାଇଛି । ମୋଟ୍ ୯,୭୩୩ ଜଣ ଆହତ ହୋଇଛନ୍ତି ଏବଂ ୩୪୭୧ କୋଠା ଭୁଷୁଡିଛି ।
ଭୂକମ୍ପର ପ୍ରଥମ ତୀବ୍ରତମ ଝଟ୍କା ଆସିବା ବେଳେ (ସ୍ଥାନୀୟ ସମୟ ଭୋର ୪ଟା ୧୭ ମିନିଟ୍ ବେଳେ) ଅଧିକାଂଶ ଲୋକ ଶୋଇଥିଲେ । ଏହାର ମାତ୍ର ୧୧ ମିନିଟ୍ ପରେ ଦ୍ୱିତୀୟ ଝଟ୍କା ଆସିଥିଲା । ଭୂପୃଷ୍ଠରୁ ୯.୯ କିମି ତଳେ ଭୂକମ୍ପର ଉଦ୍ଭବ ହୋଇଥିଲା । ୬ ଘଣ୍ଟା ପରେ ଅର୍ଥାତ୍ ଦିନ ପ୍ରାୟ ୧୦ଟା ବେଳେ ୭.୬ ମାତ୍ରାର ଭୂକମ୍ପ ଆସିବାରୁ କୋଠାବାଡ଼ି ଭୂଷୁଡ଼ି ଛାରଖାର ହୋଇଯାଇଥିଲା ଏବଂ ହଜାର ହଜାର ଲୋକ ଧ୍ୱଂସ୍ତସ୍ତୂପ ତଳେ ରହିଯାଇଥିଲେ । ତୁର୍କୀର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିର ମୁଖ୍ୟ କହିଛନ୍ତି ଏ ଯେଉଁ ଦ୍ୱିତୀୟ ଭୂକମ୍ପ ଆସିଲା ତାହା ପଶ୍ଚାତ-କମ୍ପନ ନୁହେଁ । ଇତି ମଧ୍ୟରେ ତୁର୍କୀ, ସିରିଆ ଆଦି ଦେଶରେ ୭୮ ପଶ୍ଚାତ-କମ୍ପନ ରେକର୍ଡ କରାଯାଇଛି । ସେଥିରୁ ୫ରୁ ଅଧିକ ଝଟ୍କାର ତୀବ୍ରତା ଥିଲା ୭ରୁ ଅଧିକ, ଅନ୍ୟ ସବୁର ତୀବ୍ରତା ୬.୭ରୁ ୬.୫ ମଧ୍ୟରେ ।
ଅଙ୍କାରା, ମାଲଟିଆ, ନୁରଦଗୀ, ଡାମାସ୍କସ୍, ଅଲେପ୍ପୋ, ହମା, ଲତକିୟା ସମେତ ୧୦ ସହରରେ ଅତିକମ୍ରେ ୧୭୧୦ରୁ ଅଧିକ କୋଠା ତାସ୍ ଘର ଭଳି ଭୁଷୁଡ଼ି ପଡ଼ିଛି । ଏହି ସବୁ ସହରରେ ଇମର୍ଜେନ୍ସି ଓ ରେଡ୍ ଆଲର୍ଟ ଜାରି କରାଯାଇଛି । ସ୍ୱ
ସ୍କୁଲ କଲେଜ ଗୁଡ଼ିକୁ ସପ୍ତହକ ପାଇଁ ବନ୍ଦ ରଖାଯାଇଛି । ସିରିଆରେ ୪୦ ସେକେଣ୍ଡ ଧରି ଝଟ୍କା ଅନୁଭୂତ ହୋଇଥିଲା । ସରକାର ଟ୍ରେନ୍ ଚଳାଚଳ ବନ୍ଦ କରି ଦେଇଛନ୍ତି । ଭୂକମ୍ପ ପ୍ରଭାବିତ ଇଲାକା ଗୁଡ଼ିକରେ ରକ୍ତଦାନ କେନ୍ଦ୍ର ଖୋଲା ଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତୁର୍କୀ ସରକାର ୨୦୦ ଫ୍ଲାଇଟ୍ ବାତିଲ କରି ସେନାବାହିନୀ ପାଇଁ ଏୟାର କରିଡର ସୃଷ୍ଟି କରିଛନ୍ତି ।
ଭୋର୍ ବେଳେ ବର୍ଷା ସହ ତୁଷାରପାତ ହେଉଥିବା ଉଦ୍ଧାର କାର୍ଯ୍ୟ ଗୁରୁତରଭାବେ ବ୍ୟାହାତ ହୋଇଥିଲା । ସହାୟତା କରିବା ପାଇଁ ଭାରତ ସମେତ ବହୁ ଦେଶ ଆଗେଇ ଆସିଛନ୍ତି । ଭାରତ ସରକାର ଏନ୍ଡିଆରଏଫ୍ର ୧୦୦ ସଦସ୍ୟ ବିଶିଷ୍ଟ ୨ ଟିମ୍ ଓ ଚିକିତ୍ସକ ଦଳ ତଥା ଡଗ୍ ସ୍କ୍ୱାଡ୍ ପଠାଉଛନ୍ତି । ୟୁରୋପୀୟ ସଂଘ, ଆମେରିକା, ୟୁକ୍ରେନ୍, ଇସ୍ରାଏଲ, ଆଜରବୈଜାନ, ରୋମାନିଆ ଓ ନିଦରଲାଣ୍ଡସ୍ ରେସ୍କୁ୍ୟ ଟିମ୍ ପଠାଉଛନ୍ତି । ରୁଷ୍ ମଧ୍ୟ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଦଳ ପଠାଇବ ବୋଲି ଘୋଷଣା କରିଛି ।
ତୁର୍କୀର ଅଧିକାଂଶ ଇଲାକା ଆନାଟୋଲିୟନ ନାମକ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ । ଏହି ପ୍ଲେଟ୍ ୟୁୂରେସୀୟ, ଆଫ୍ରିକୀୟ ଓ ଆରବୀୟ ପ୍ଲେଟ୍ ମଝିରେ ଅଛି । ଯେତେବେଳେ ଆଫ୍ରିକୀୟ ଓ ଆରବୀୟ ପ୍ଲେଟ୍ର ଚଳନ ଘଟେ, ତୁର୍କୀ ସ୍ୟାଣ୍ଡୱିଚ୍ ଭଳି ମଝିରେ ଚାପି ହୋଇ ଭୂପୃଷ୍ଠରେ ବ୍ୟାପକ ଧ୍ୱଂସଲୀଳା ଘଟିଥାଏ । ସୋମବାରର ଭୂକମ୍ପ ନର୍ଥ ଆନାଟୋଲିୟନ ଫଲ୍ଟ ଲାଇନରୁ ଆସିଥିଲା । ଏହାର ପ୍ରଭାବ ସୁଦୂର ଗ୍ରୀନ୍ଲାଣ୍ଡ୍ ଓ ଡେନମାର୍କରେ ମଧ୍ୟ ଅନୁଭୂତ ହୋଇଥିଲା ।
ପୃଥିବୀରେ ପ୍ରତିବର୍ଷ ପ୍ରାୟ ୨୦ ହଜାର ଭୂମିକମ୍ପ ଘଟିଥାଏ । କିନ୍ତୁ ଅଧିକାଂଶ ଭୂକମ୍ପର ତୀବ୍ରତା କମ୍ । ଅତିବେଶୀରେ ୧୦୦ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ଘଟିଥାଏ । ଏ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ୨୦୦୪ରେ ଭାରତ ମହାସାଗରରେ ହୋଇଥିଲା । ତା’ର ଅବଧି ଥିଲା ୧୦ ମିନିଟ୍ ।