ସିଏନ୍ଏନ୍, ୱାଶିଂଟନ୍ ପୋଷ୍ଟରେ ଛଟେଇ
ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ: ୟୁଏସ୍ ଗଣମାଧ୍ୟମ ଶିଳ୍ପ ଉପରେ ଚଡ଼କ
ୱାଶିଂଟନ୍/ ନୂଆଦିଲ୍ଲୀ (ଏଜେନ୍ସି): ବିଶ୍ୱସ୍ତରରେ ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଏବେ ଅନେକ ଶିଳ୍ପକ୍ଷେତ୍ରକୁ ଗୁରୁତର ଭାବେ ପ୍ରଭାବିତ କରିଛି । ମାନ୍ଦାବସ୍ଥାଜନିତ ଅତିରିକ୍ତ ଆର୍ଥିକ ବୋଝକୁ ଏବେ ଅନେକ ଶିଳ୍ପକ୍ଷେତ୍ର ସହ୍ୟ କରିପାରୁନାହାନ୍ତି । ଏପରି ସମୟରେ କେବଳ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ପ୍ରାୟ ସବୁ କ୍ଷେତ୍ରରେ ସକ୍ରିୟ ଥିବା ଉଦ୍ୟୋଗଗୁଡ଼ିକ ଭିଡିମୋଡି ହୋଇ ଚେଷ୍ଟା ଚଳାଇଛନ୍ତି । ତେବେ ଏହାକୁ ଚେଷ୍ଟା ନକରି ଷ୍ଟ୍ରଗଲ୍ ବୋଲି ଅଭିହିତ କରାଯିବା ଉଚିତ୍ ହେବ । ବର୍ତ୍ତମାନ ସମୟରେ ବିଶ୍ୱର ପ୍ରମୁଖ ଆଇଟି ତଥା ଟେକ୍ କମ୍ପାନୀଗୁଡ଼ିକ ନିଜ ହିସାବରେ ଖର୍ଚ୍ଚକାଟ କରିବା ଉଦେ୍ଦଶ୍ୟରେ ହଜାର ହଜାର ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ତେବେ ଏସବୁ ମଧ୍ୟରେ ଆମେରିକା ଭଳି ଆର୍ଥିକ ସ୍ୱଚ୍ଛଳ ତଥା ବିକଶିତ ଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ପ୍ରାପ୍ତ ସୂଚନାନୁସାରେ ଆମେରିକାରେ ଅଗ୍ରଣୀ ସମ୍ବାଦପତ୍ର ତାଲିକାରେ ସ୍ଥାନିତ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆର୍ଥିକ ମାନ୍ଦାବସ୍ଥାର ଦ୍ୱାହି ଦେଇ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଛନ୍ତି । ସିଏନ୍ଏନ୍, ୱାଶିଂଟନ୍ ପୋଷ୍ଟ, ନୁ୍ୟୟର୍କ ଟାଇମ୍ସ, ଭୋକ୍ସ ଭଳି ଆମେରିକୀୟ ଗଣମାଧ୍ୟମ ସଂସ୍ଥାଗୁୂଡ଼ିକ ଏନେଇ ସ୍ପଷ୍ଟ ମଧ୍ୟ କରିସାରିଛନ୍ତି । ମାନ୍ଦାବସ୍ଥା ସହ ଦରଦାମ୍ ବୃଦ୍ଧି ଭଳି ପରିସ୍ଥିତି ମଧ୍ୟରେ ଗଣମାଧ୍ୟମ ଶିଳ୍ପ ଏବେ କଠିନ ସମୟ ଦେଇ ଗତି କରୁଥିବା ବେଳେ କର୍ମଚାରୀ ଛଟେଇ କରିବା ଭଳି ଏକ କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଉପରୋକ୍ତ ଆମେରିକୀୟ ସଂଗଠନ ପ୍ରକାଶ କରିଛନ୍ତି । ତେବେ ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯାଉଛି ବା କରାଯିବ, ଆଗାମୀ କିଛି ମାସ ପର୍ଯ୍ୟନ୍ତ ସେମାନଙ୍କୁମାସିକ ଦରମା ଆକାରରେ ଆର୍ଥିକ ସହାୟତା ଯୋଗାଇଦିଆଯିବ ବୋଲି ସଂଗଠନ ମୁଖ୍ୟ ଦର୍ଶାଇଛନ୍ତି ।
ସବୁଠୁ ବଡ଼କଥା ହେଉଛି, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦୁଇ ଦୁଇ ଥର ପୁଲିତ୍ଜର ପୁରସ୍କାର ପ୍ରାପ୍ତ କରିଥିବା ୱାଶିଂଟନ୍ ପୋଷ୍ଟ ମ୍ୟାଗାଜିନ୍ (ରବିବାର ସପ୍ଲିମେଣ୍ଟ) କୁ ଗତ ଡିସେମ୍ବର ମାସରେ ହିଁ ବନ୍ଦ କରି ଦିଆଯାଇଛି । ଏତଦ୍ବ୍ୟତୀତ ଭାଇସ୍ ମିଡିଆ ସିଇଓ ନାନ୍ସୀ ଡବୁ୍ୟକ୍ ତାଙ୍କ କମ୍ପାନୀ ବିକ୍ରି ଲାଗି ପ୍ରସ୍ତୁତ ବୋଲି କହିଛନ୍ତି । ଏଥିରୁ ଆମେରିକୀୟ ଗଣମାଧ୍ୟମ ଶିଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ସହଜରେ ପୂର୍ବାନୁମାନ କରାଯାଇପାରେ ।
ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ୨ଠ୨୧ରେ ଏସମ୍ପର୍କରେ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ ଆମେରିକାରେ ଗତ ୨ଠଠ୮ ମସିହାରୁ ୨ଠ୨ଠ ମଧ୍ୟରେ ନିୟମିତ ଭାବେ କର୍ମଚାରୀଙ୍କ ଛଟେଇ ଜାରି ରହିଛି । ବିଶେଷକରି ଗଣମାଧ୍ୟମ ଶିଳ୍ପ କ୍ଷେତ୍ରରେ କର୍ମରତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଛଟେଇ ପର୍ବ ପ୍ରଭାବୀ ଢ଼ଙ୍ଗରେ କରାଯାଇଛି । ୨ଠଠ୮ରେ ଯେଉଁଠି ଆମେରିକାରେ ମୋଟ୍ ୧,୧୪,ଠଠଠ ପଞ୍ଜିକୃତ ଗଣମାଧ୍ୟମ ପ୍ରତିନିଧି କର୍ମନିଯୁକ୍ତ ରହିଥିଲେ, ୨ଠ୨ଠ ସୁଦ୍ଧା ସେମାନଙ୍କ ସଂଖ୍ୟା ୮୫,ଠଠଠକୁ ହ୍ରାସ ପାଇଆସିଥିଲା । ଅର୍ଥାତ୍ ୧୨ ବର୍ଷ ମଧ୍ୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଧୀରେ ଧୀରେ କରି ୨୯,ଠଠଠ କର୍ମଚାରୀଙ୍କୁ ଛଟେଇ କରିସାରିଥିଲେ । ଏସ୍ ଆଣ୍ଡ୍ ପି ଗ୍ଲୋବାଲ୍ ରେଟିଂ ଏଜେନ୍ସିକୁ ନିଜ ସାକ୍ଷାତକାରରେ ନବୀନ ଶର୍ମା, ବରିଷ୍ଠ ଆମେରିକୀୟ ପତ୍ରକାର, ସ୍ତମ୍ବକାର ତଥା ବିଶ୍ଳେଷକ ମଧ୍ୟ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଗଣମାଧ୍ୟମ ଶିଳ୍ପ ଶତାବ୍ଦୀର ସବୁଠୁ ଖରାପ ସମୟର ସାମ୍ନା କରୁଥିବା ପ୍ରକାଶ କରିଛନ୍ତି ।