୨୨ରେ ବିଦା ହେବେ ବୃଜଭୂଷଣ

ନୂଆଦିଲ୍ଲୀ, ୧୯ା୧: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ସ୍ଥାନୀୟ ଯନ୍ତର-ମନ୍ତର ଠାରେ ଦୁଇ ଦିନ ହେଲା ଧାରଣାରେ ବସିଥିବା ରେସ୍ଲରମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟ କର୍ତ୍ତୃପକ୍ଷ ଗୁରୁବାର ଆଲୋଚନା କରିଛନ୍ତି । ଆଲୋଚନା ପରେ ଦେଶର ଷ୍ଟାର ମହିଳା ରେସ୍ଲର୍ ବିନେଶ ଫୋଗଟ କହିଛନ୍ତି ଆମେ ସରକାର ବା ସରକାରୀ ଲୋକଙ୍କ ବିରୋଧରେ ଲଢ଼ୁ ନାହୁଁ । ମହାସଂଘ ଅଧ୍ୟକ୍ଷଙ୍କ ଇସ୍ତଫା ସହିତ ରେସଲିଂ ଫେଡେରେସନ୍କୁ ଭାଙ୍ଗି ଦିଆଯିବା ଆମର ମୁଖ୍ୟ ଦାବି । ସବୁ ରାଜ୍ୟରେ ବୃଜଭୂଷଣଙ୍କ ଲୋକ ଅଛନ୍ତି । ସରକାର କୌଣସି କାର୍ଯ୍ୟାନୁଷ୍ଠାନ କଥା ନକହି ଆମକୁ କେବଳ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ରାତିକ ଅପେକ୍ଷା କରିବୁ, ବୃଜଭୂଷଣଙ୍କୁ ବରଖାସ୍ତ କରା ନ ଗଲେ ଆମେ ଏତଲା ଦେବାକୁ ବାଧ୍ୟ ହେବୁ ।
ଇତିମଧ୍ୟରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଜରୁରୀ ହସ୍ତକ୍ଷେପ ଦାବି କରିଥିବା ବେଳେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଉଚ୍ଚସ୍ତରରୁ ମିଳିଥିବା ନିଦେ୍ର୍ଦଶକୁ ପ୍ରମୁଖତା ଦେଇ ବୃଜଭୂଷଣଙ୍କ ସହ ଆଲୋଚନା କରିଛନ୍ତି । ସେ ବୃଜଭୂଷଣଙ୍କୁ ଇସ୍ତଫା ପାଇଁ ୭୨ ଘଣ୍ଟାର ଅଲ୍ଟିମେଟମ୍ ଦେଇଥିବା ଜଣାପଡିଛି । କେନ୍ଦ୍ର ସଚ୍ଚିବାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗୁରୁତର ଅଭିଯୋଗ ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ବୃଜଭୂଷଣ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ୟକ ।
ଖବର ମିଳିଛି ଯେ, ବୃଜଭୂଷଣ ୨୨ ତାରିଖ ଦିନ ଇସ୍ତଫା ଦେବେ । ସେଦିନ ହେବାକୁ ଥିବା ମହାସଂଘର ଇମର୍ଜେଣ୍ଟ ଜେନେରାଲ କାଉନ୍ସିଲ ବୈଠକରେ ସେ ଇସ୍ତଫା ଦେବା ସମ୍ଭାବନା ରହିଛି । ଯୌନ ଶୋଷଣ ଅଭିଯୋଗ ପରିପ୍ରେକ୍ଷୀରେ ସେ କହିଛନ୍ତି ଏହା ତାଙ୍କ ବିରୋଧରେ ଏକ ସୁନିୟୋଜିତ ଷଡ଼ଯନ୍ତ୍ର । ଫୋଗଟ୍ କହିଛନ୍ତି ଯୌନ ଶୋଷଣ କମରା ଭିତରେ ହୋଇଥାଏ ଯେଉଁଠି କ୍ୟାମେରା ଲାଗିନଥାଏ । କ୍ୟାମେରା ଲାଗିଥିଲେ ଆମ ଭିତରୁ ଶୋଷଣର ଶିକାର ହୋଇଥିବା ୫ଜଣ ମହିଳା କେବେଠୁ ସବୁ ପ୍ରଘଟ କରିଦେଇଥାନ୍ତେ । ଆମେ ଯଦି ସୁରକ୍ଷିତ ନହେଉ ହିନ୍ଦୁସ୍ତାନରେ କନ୍ୟା ସନ୍ତାନ ଜନ୍ମ ନହେବା ଉଚିତ୍ । ଯନ୍ତର-ମନ୍ତରଠାରେ ଧାରଣା ଦେଇଥିବା ରେସଲର୍ମାନେ ହେଲେ ବଜରଙ୍ଗ ପୁନିୟା, ବିନେଶ ଫୋଗଟ୍, ରବି ଦହିୟା, ଦୀପକ ପୁନିୟା, ଆଶୁ ମଲିକ, ସାକ୍ଷୀ ମଲିକ, ସତବର୍ତ୍ତ କାଦ୍ୟାନ, ଅନ୍ତିମ ପଙ୍ଘାଲ, ସୁମିତ, ସୁରଜିତ ମାନ, ସିତନ୍ଦର ମୋଖରିୟା, ସଙ୍ଗୀତା ଫୋଗଟ୍, ସରିତା ମୋର, ସୋନମ୍ ମଲିକ, ମହାବୀର ଫୋଗଟ୍, ସତ୍ୟ ରାଣା ଓ କୁଲଦୀପ ମଲିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *