ଭାରତର ବିଜୟ ଅଭିଯାନ
ରାଉରକେଲା, ୧୩ା୧(ଆପ୍ର): ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ର ପ୍ରଥମ ଦିନରେ ଭାରତୀୟ ଦଳ ସ୍ପେନ୍କୁ ୨-୦ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ୍ରେ ବିଜୟ ଅଭିଯାନ ଆରମ୍ଭ କରିଛି । ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଭାରତୀୟ ଦଳର ଅମିତ ରୋହିଦାସ ପ୍ରଥମ କ୍ୱାର୍ଟର୍ରେ ପ୍ରଥମ ଗୋଲ୍ ଦେଇଥିଲେ ଯାହାକି ବିଶ୍ୱକପ୍ରେ ଭାରତର ୨୦୦ତମ ଗୋଲ୍ । ଏହାପରେ ସ୍ପେନ୍ର ଗୋଲ୍ପୋଷ୍ଟ୍ରେ ଭାରତୀୟ ଖେଳାଳୀମାନେ ଆକ୍ରମଣ ଜାରି ରଖିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ହାର୍ଦ୍ଦିକ ସିଂହ ଆଉ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ ।
ପ୍ରଥମ ଦିନରେ ଚାରିଟି ମ୍ୟାଚ୍ ଖେଳା ଯାଇଥିଲା । ଶେଷ ମ୍ୟାଚ୍ଟି ଭାରତ ଓ ସ୍ପେନ ମଧ୍ୟରେ ହୋଇଥିଲା । ପ୍ରଥମ କ୍ୱାର୍ଟର ଆରମ୍ଭରୁ ଭାରତ ଧୀମା ଖେଳିଥିଲା । କିନ୍ତୁ ସମୟକ୍ରମେ ଭାରତୀୟ ଖେଳାଳିମାନେ ବେଗ ବଢାଇଥିଲେ । ପ୍ରଥମ କ୍ୱାର୍ଟରର ଅଧା ସମୟ ବିତିବା ପର୍ଯ୍ୟନ୍ତ କୌଣସି ଟିମ୍କୁ ପେନାଲ୍ଟି କର୍ଣ୍ଣର ମିଳି ନ ଥିଲା । ତେବେ ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଭାରତ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା । ପରବର୍ତ୍ତୀ ପେନାଲ୍ଟି କର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିଥିଲା, ଆଉ ଏହି ଗୋଲ୍ ଦେଇଥିଲେ ଦଳର ଉପ-ଅଧିନାୟକ ତଥା ଓଡ଼ିଶାର ଅମିତ ରୋହିଦାସ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଟିମ୍ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ଶ୍ରୀଜେଶଙ୍କ ସ୍ଥାନରେ କୃଷ୍ଣ ପାଠକ ଗୋଲ୍କିପର ଦାୟିତ୍ୱ ନେଇଥିଲେ । ଏହି କ୍ୱାର୍ଟରରେ ମଧ୍ୟ ଭାରତ ତା’ର ଆକ୍ରମଣ ଜାରି ରଖିଥିଲେହେଁ ସ୍ପେନ୍ କାଉଣ୍ଟର ଆଟାକ୍ କରିଥିଲା । କିନ୍ତୁ ଭାରତକୁ ଚେକ୍ ଦେବାରେ ବିଫଳ ହୋଇଥିଲା ସ୍ପେନ୍ । ସ୍ପେନ୍ ତା’ର ପ୍ରଥମ ପେନାଲ୍ଟି କର୍ଣ୍ଣର ଦ୍ୱିତୀୟ କ୍ୱାର୍ଟରରେ ପାଇଥିବା ସତ୍ତ୍ୱେ ତାହାକୁ ଗୋଲ୍ରେ ପରିଣତ କରିପାରି ନଥିଲା । ଭାରତୀୟ ଗୋଲ୍କିପର କୃଷ୍ଣ ପାଠକ ଗୋଲ୍ ହେବାକୁ ଦେଇ ନଥିଲେ ।
ହାର୍ଦ୍ଦିକ ସିଂହଙ୍କ ଗୋଲ୍ ବଳରେ ଭାରତ ଭାରତ ୨-୦ ଆଗୁଆ ରହି ତୃତୀୟ କ୍ୱାର୍ଟରରେ ପହଞ୍ଚିଥିଲା । ସେଥିରେ କେହି କାହାକୁ ଗୋଲ୍ ଦେଇ ପାରି ନଥିଲେ ଯଦିଓ ଭାରତକୁ କିଛି ସୁଯୋଗ ମିଳିଥିଲା । ଫଳତଃ ତୃତୀୟ କ୍ୱାର୍ଟର ସେହି ୨-୦ରେ ଶେଷ ହୋଇଥିଲା । ଚତୁର୍ଥ କ୍ୱାର୍ଟରରେ ସ୍ପେନ୍ ଆକ୍ରାମକ ହେବାକୁ ପ୍ରୟାସ କରିଥିଲା । ଅଭିଷେକଙ୍କୁ ମିଳିଥିଲା ୟେଲୋ କାର୍ଡ ମିଳିବାରୁ ୧୦ ମିନିଟ୍ ପାଇଁ ୧୦ ଜଣ ଖେଳାଳିରେ ଭାରତୀୟ ଟିମ୍ ଖେଳିଥିଲେ । ଏହି କ୍ୱାର୍ଟରରେ କିଛି ସମୟ ପାଇଁ ଭାରତକୁ ଚାପରେ ରଖିବା ସହ ସ୍ପେନ୍ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ତାହାକୁ ଗୋଲରେ ପରିଣତ କରି ପାରିଲା ନାହିଁ । ପୂର୍ବଭଳି ଗୋଲ୍କିପର ପାଠକ ବାଧକ ସାଜିଥିଲେ । ପରିଶେଷରେ ଭାରତ ବିଜୟୀ ହେଲା । ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିବା ଅମିତ ରୋହିଦାସଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ୫-୦ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି । ଗୁରୁବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଛନ୍ତି । ଆର୍ଜେଣ୍ଟିନା ୧-୦ ଗୋଲର ଦକ୍ଷିଣ ଆଫ୍ରିକାକୁ ଓ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି ।