ସେନାରେ ଆଉଟ୍ସୋର୍ସିଂ
ନୂଆଦିଲ୍ଲୀ, ୯ା୧: ଭାରତୀୟ ସେନା ତା’ର ବିଭିନ୍ନ ପ୍ରଶିକ୍ଷଣରେ ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରିବ । ଏହାକୁ କ୍ରସ୍-ସ୍କିଲିଂ ଟେକ୍ନିକାଲ୍ ଟ୍ରେଡ୍ ଯୋଜନା କରାଯାଉଛି । ମୁଖ୍ୟତଃ ଭେଟେରାନ୍ମାନେ ଏହିସବୁ ପଦରେ ନିଯୁକ୍ତି ପାଇବେ । କିନ୍ତୁ ନିଯୁକ୍ତି ଠିକାରେ ଦେବା ପାଇଁ ଯୋଜନା ହେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏପରି ଯୋଜନା ଆସନ୍ତା ୫ ବର୍ଷ ଭିତରେ ଏକାଧିକ ପର୍ଯ୍ୟାୟରେ ଲାଗୁ କରାଯିବ । ଏହାର ପ୍ରଧାନ ଲକ୍ଷ୍ୟ ସେନାର ମୌଳିକ ସମସ୍ୟାଗୁଡିକରେ ହ୍ରାସ ଘଟାଇବା ।
ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ଉକ୍ତି ଉଦ୍ଧାର କରି ବରିଷ୍ଠ ସାମ୍ବାଦିକା ଆମୃତା ନାୟକ ଦତ୍ତା ଲେଖିଛନ୍ତି, ଭାରତୀୟ ସେନାରେ ସଂସ୍କାର ଆଣିବା କାର୍ଯ୍ୟ ଜାରି ରହିଛି । ସେନାର ସବୁ ୟୁନିଟ୍ର ବିବରଣୀ ସଂଗ୍ରହ କରାଯାଉଛି ।
ଏବେ ଭାରତୀୟ ସେନାରେ ଅଛନ୍ତି ୧୨ ଲକ୍ଷ ୮୦ ହଜାର ଯବାନ । ଏହି ସଂଖ୍ୟା କମ୍ । କରୋନା ମହାମାରୀ କାରଣରୁ ଗତ ୨ ବର୍ଷ ଭିତରେ ଯବାନ ନିଯୁକ୍ତି ହୋଇପାରି ନାହିଁ । ତେଣୁ ସ୍ଥଳ ସେନାରେ ୧ ଲକ୍ଷ ୨୫ ହଜାର ଯବାନ କମ୍ ଅଛନ୍ତି । ଗତବର୍ଷ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅନୁସାରେ ଖାଲି ପଡିଥିବା ୪୦ ହଜାର ଯବାନ ପଦ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । କିନ୍ତୁ ଏହାଦ୍ୱାରା ସମସ୍ୟା ଦୂର ହେବ ନାହିଁ । କାରଣ ପ୍ରତିବର୍ଷ ୬୦ ହଜାର ଯବାନ ଅବସର ନେଉଛନ୍ତି ।
ଅନ୍ୟ ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ମିଡିଆକୁ କହିଛନ୍ତି, ଠିକା ଭିତ୍ତିରେ ଗ୍ରେଡ୍-ଏ ଟ୍ରେନିଂ ଇନ୍ଷ୍ଟିଚୁ୍ୟସନ୍ରେ ଭେଟେରାନ୍ମାନଙ୍କୁ ନିଯୁକ୍ତ କରିବା ଯୋଜନା ଅଛି । ବିଶେଷକରି ସାମରିକ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥିବା ବ୍ୟକ୍ତିଙ୍କୁ ଠିକାରେ ନିଯୁକ୍ତ କରାଯିବ । ଗ୍ରେଡ୍-ଏ ଟ୍ରେନିଂ ସଂସ୍ଥା ମଧ୍ୟରେ ଡେରାଡୁନ୍ସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀ, ଆର୍ମି ୱାର୍ କଲେଜ ଓ ଇନ୍ଫାଣ୍ଟ୍ରି ସ୍କୁଲ୍ ଅନ୍ୟତମ । ଗ୍ରେଡ୍-ବି ତାଲିମ ସଂସ୍ଥାନ ମଧ୍ୟରେ ବିଭିନ୍ନ ରେଜିମେଣ୍ଟାଲ୍ ସେଣ୍ଟର ସାମିଲ । ନ୍ୟାସ୍ନାଲ୍ କ୍ୟାଡେଟ୍ କୋର୍ (ଏନ୍ସିସି) ତାଲିମ ଦାୟିତ୍ୱ ଅବସରପ୍ରାପ୍ତ ସୈନିକମାନଙ୍କୁ ଦିଆଯିବା ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଛି । କାଟ୍ରିଂ ଓ ଫାସ୍ଲିଟି ମ୍ୟାନେଜ୍ମେଣ୍ଟ ମଧ୍ୟ ତା’ର ପ୍ରଶାସନିକ ସେବା ଆଉଟ୍ସୋର୍ସ କରିପାରେ । ବର୍ତ୍ତମାନ ଏହି କାର୍ଯ୍ୟ ସେନାରେ କାର୍ଯ୍ୟରତ ଟ୍ରେଡ୍ମ୍ୟାନ୍ଙ୍କ ଦ୍ୱାରା ସମ୍ପାଦିତ ହେଉଛି । ମୋଟାମୋଟିଭାବେ କହିବାକୁ ଗଲେ ସରକାର ସେନାରେ ସ୍ଥାୟୀ ଚାକିରି ସଂଖ୍ୟା କମାଇବାକୁ ଚେଷ୍ଟିତ । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଯୁଦ୍ଧାସ୍ତ୍ରଗୁଡିକର ଅଟୋମେସନ୍ ଉପରେ ଗୁରୁତ୍ୱ ଦେବା ଦ୍ୱାରା ବନ୍ଧୁକ ଓ ଟ୍ୟାଙ୍କ୍ ଚଳାଉଥିବା ଯବାନଙ୍କ ଆବଶ୍ୟକତା କମ୍ ହୋଇପାରେ । ଏହିକ୍ରମରେ ଆର୍ଟିଲେରି କୋର୍ ରେଜିମେଣ୍ଟ୍ରେ ମାନବ ସମ୍ବଳ ହ୍ରାସ କରାଯିବା ଯୋଜନା ରହିଛି । ଭବିଷ୍ୟତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ସାଟେଲାଇଟ୍ ଉପଯୋଗ ବୃଦ୍ଧି ସହିତ ସର୍ଭିଲାନ୍ସ କାମ ସହଜତର ହେବ । ଫଳତଃ ମ୍ୟାନ୍ ପାୱାର ଉପରେ ନିର୍ଭରତା କମିବ ।