ଆଲୋଚନା ପାଇଁ ପୁତିନ୍ ରାଜି

ମସ୍କୋ, ୨୫ା୧୨: ୟୁକ୍ରେନ୍ ଯୁଦ୍ଧରେ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ଆଲୋଚନା କରିବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ପ୍ରସ୍ତୁତ । ତେବେ ଏଥିପାଇଁ ସେ କେତେକ ସର୍ତ୍ତ ରଖିଛନ୍ତି । ପ୍ରମୁଖ ସର୍ତ୍ତଟି ହେଉଛି, ଜେଲେନ୍ସ୍କି ସରକାର ଓ ତାଙ୍କୁ ସମର୍ଥନ କରୁଥିବା ପାଶ୍ଚାତ୍ୟ ଦେଶମାନେ ଆଲୋଚନାରେ ଭାଗ ନେଇପାରିବେ ନାହିଁ । ରବିବାର ରୋଷିଆ-୧ ଷ୍ଟେଟ୍ ଟେଲିଭିଜନରେ ପ୍ରସାରିତ ଏକ ସାକ୍ଷାତକାରରେ ପୁତିନ୍ କହିଛନ୍ତି ମୁଁ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ଏକ ସ୍ୱୀକାର୍ଯ୍ୟ ସମାଧାନ ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ । କିନ୍ତୁ ତାହା ସେମାନଙ୍କ ଉପରେ ନିର୍ଭର କରେ । ମୁଁ ଆଲୋଚନାର ପକ୍ଷପାତୀ, ସେମାନେ କିନ୍ତୁ ନାରାଜ । ରୁଷ୍ ୟୁକ୍ରେନ୍ରେ ଉଚିତ୍ ମାର୍ଗରେ କାମ କରୁଥିଲା । ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶମାନେ ରୁଷ୍ରେ ଅସ୍ଥିରତା ସୃଷ୍ଟି ପାଇଁ ଚେଷ୍ଟା କରିଥିଲେ । ରାଷ୍ଟ୍ରୀୟ ହିତ, ନିଜ ନାଗରିକମାନଙ୍କ ସୁରକ୍ଷା ପାଇଁ ଏବେବି ଆମେ ଠିକ୍ ବାଟରେ ଯାଉଛୁ । ରୁଷୀୟ ନାଗରିକଙ୍କ ସୁରକ୍ଷା ଛଡା ଆମ ପାଖେ ଅନ୍ୟ ବିକଳ୍ପ କିଛି ନାହିଁ । ଫେବୃଆରୀ ୨୪ ତାରିଖ ଦିନ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହା ସବୁଠାରୁ ବଡ ଘାତକ ସଂଘର୍ଷ ସାବ୍ୟସ୍ତ ହୋଇଛି । ତା’ସହିତ ୧୯୬୨ର କୁ୍ୟବା ମିସାଇଲ୍ ସଙ୍କଟ ପରଠାରୁ ମସ୍କୋ ଓ ପଶ୍ଚିମ ଗୋଲାର୍ଦ୍ଧ ମଧ୍ୟରେ ସବୁଠୁ ଅଧିକ ଟକ୍କର ଚାଲିଛି । ପୂର୍ବରୁ ମଧ୍ୟ ଥରେ ପୁତିନ୍ ଯୁଦ୍ଧ ଶେଷ ହେବା ସେ ଚାହାଁନ୍ତି ବୋଲି କହିଥିଲେ । ଯୁଦ୍ଧର କୂଟନୈତିକ ସମାଧାନ ଉପରେ ଗୁରୁତ୍ୱ ଦେଇ
ଗୁରୁବାର ପୁତିନ୍ ଏପରି ବିବୃତି ଦେଇଥିଲେ । ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ ବୋଲି ପୁତିନ୍ଙ୍କ ଏହି ଦୁଇ ବିବୃତିରୁ ସଙ୍କେତ ମିଳୁଥିଲେ ହେଁ ପୁତିନ୍ ଯେଉଁ ପେଞ୍ଚ ପୂରାଇଛନ୍ତି, ୨୦୨୩ରେ ଶାନ୍ତି ସ୍ଥାପନ ଆଶା ମଉଳିଯାଉଛି । ପୁତିନ୍ କହିଛନ୍ତି, ରୁଷ୍ ସେ ପର୍ଯ୍ୟନ୍ତ ଲଢ଼ିବ ଯେପର୍ଯ୍ୟନ୍ତ ତା’ର ସବୁ ଲକ୍ଷ୍ୟ ପ୍ରାପ୍ତ ହୋଇନାହିଁ । ଅପରପକ୍ଷେ ଜେଲେନସ୍କି କହିଛନ୍ତି, ୨୦୧୪ରେ ରୁଷ୍ ଦଖଲ କରିନେଇଥିବା କ୍ରିମିଆ ସମେତ ୟୁକ୍ରେନର ସବୁ ଇଲାକା ମୁକ୍ତ ନହେବା ପର୍ଯ୍ୟନ୍ତ ୟୁକ୍ରେନ୍ ସେନା ବିଶ୍ରାମ ନେବନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *