ସୁପାରି କିଲିଂ ଅଭିଯୋଗ ଆଣିଲେ ସମ୍ପର୍କୀୟ

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା
ଭୁବନେଶ୍ୱର, ୨୨ା୧୨ (ବୁ୍ୟରୋ): ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କାହିଁକି କଲା ଆତ୍ମହତ୍ୟା? କଏଦୀଙ୍କ ପାଇଁ ସୁରକ୍ଷିତ ଜେଲ୍ ଭିତରେ ଓ ଜେଲ୍ କର୍ମଚାରୀଙ୍କ ଉପସ୍ଥିତିରେ କେମିତି କଲା ସୁଇସାଇଡ୍? ଫଟୋର ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବାବେଳେ ୬୦ ଘଣ୍ଟା ପରେ ବି କ୍ରାଇମବ୍ରାଞ୍ଚ ଚୁପ୍ । ଗୁରୁବାର କଣ୍ଟାବାଞ୍ଜି ଜେଲରେ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି । ଏସବୁ ଭିତରେ ୩ ଦିନ ହେଲା ଜେଲ୍ରେ ମୁଲାକାତ ବ୍ୟବସ୍ଥା ବନ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତେବାସୀଙ୍କ ସମ୍ପର୍କୀୟ ।
ଏକ ଝରକାରେ ଗାମୁଛା ୨ଟିକୁ ବ୍ୟବହାର କରି ଗୋବିନ୍ଦ କୁଆଡ଼େ ଆତ୍ମହତ୍ୟା କରିଛି । ତଳେ ପଡିଛି ପ୍ରାୟ ୨ ଫୁଟର ଏକ କାଠଗଣ୍ଡି । ଜେଲରେ ରୋଷେଇ ପାଇଁ ଆସୁଥିବା ମାଂସକୁ ଏଇଠି କଟାଯାଇଥାଏ । ଯାହା ଉପରେ ଚଢ଼ି ଆତ୍ମହତ୍ୟା କରିଥାଇପାରେ ଗୋବିନ୍ଦ ବୋଲି କୁହାଯାଉଛି । ଏକଥା ଯଦି ସତ, ତେବେ ଏହି କାଠଗଣ୍ଡିକୁ ଆଣିବାବେଳେ କାହା ନଜରରେ କେମିତି ପଡ଼ିଲାନି? ଦୁଇ ଦୁଇଟି ଗାମୁଛାକୁ ବାନ୍ଧିବା ଓ କାଠଗଣ୍ଡିକୁ ଆଣି ପକାଇବେଳେ କେହି କଣ ଦେଖିପାରିଲେନି? ସେତେବେଳେ କଣ ରୋଷେଇ ଘରେ କେହି ନଥିଲେ? ଜେଲରେ ୭୦ରୁ ଅଧିକ ଅନ୍ତେବାସୀଙ୍କ ମଧ୍ୟରୁ ଜଣଙ୍କ ଆଖିରେ ବି କେମିତି ଏହି ଦୃଶ୍ୟ ପଡ଼ିଲାନି? ବୋଲି ଏବେ ପ୍ରଶ୍ନ ଉଠିଛି ।
ଫଟୋକୁ ନେଇ ଏଭଳି ନାନା ପ୍ରଶ୍ନ ଉଠାଇ ଗୋବିନ୍ଦକୁ ସୁପାରୀ କିଲର୍ ଲଗାଇ କଣ୍ଟାବାଞ୍ଜି ଜେଲ୍ ଭିତରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ । ହାଇପ୍ରୋଫାଇଲ୍ ମାମଲା ହୋଇଥିବାରୁ ଜାଣିଶୁଣି ଗୋବିନ୍ଦକୁ ରାସ୍ତାରୁ ହଟାଇ ଦିଆଯାଇଛି ।
କ୍ରାଇମବ୍ରାଞ୍ଚ ନୁହେଁ, ବରଂ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛନ୍ତି ଗୋବିନ୍ଦଙ୍କ ସମ୍ପର୍କୀୟ । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଚାଲିଥିବା ଖୋଳତାଡ଼ରେ ଏଣ୍ଟ୍ରି ମାରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା । କୁହାଯାଉଛି, ସେ କଣ୍ଟାବାଞ୍ଜି ଜେଲର ରେଜିଷ୍ଟର ଚେକ୍ କରିଛନ୍ତି । ଗୋବିନ୍ଦ ମୃତୁ୍ୟର ପୂର୍ବ ଦିନ ଗୁଡ଼ିକରେ କିଏ କିଏ ଭେଟିବାକୁ ଆସିଥିଲେ? କେଉଁମାନେ ମୁଲାକାତ ରେଜିଷ୍ଟ୍ରରରେ ଦସ୍ତଖତ କରିଛନ୍ତି? ସେସବୁର ଯାଞ୍ଚ ସହ ଜେଲ୍ କର୍ମଚାରୀ ଓ ଅନ୍ତେବାସୀଙ୍କଠୁ ତଥ୍ୟ ଆଦାୟ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ।
ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଗୋବିନ୍ଦର ମୃତୁ୍ୟ ପରଠୁ ଗତ ୩ଦିନ ହେଲା କଣ୍ଟାବାଞ୍ଜି ଜେଲରେ ଅନ୍ତେବାସୀଙ୍କ ସହ ସମ୍ପର୍କିୟଙ୍କ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ପ୍ରଶ୍ନ, ହଠାତ ଏଭଳି ପଦକ୍ଷେପ କାହିଁକି? ଜେଲ୍ ଭିତରର କଥା କାଳେ ବାହାରେ ପ୍ରଘଟ ହୋଇଯିବ, ସେହି ଆଶଙ୍କା ଘାରିଛି କି ଜେଲ୍ କର୍ତ୍ତପକ୍ଷଙ୍କୁ? କେଉଁ କଥା ପ୍ରଘଟ ହେଲେ ଅଡୁଆ ହେବ ବୋଲି ଆଶଙ୍କା କରାଯାଉଛି? ଗୋବିନ୍ଦର ଆତ୍ମହତ୍ୟାର ଖୋଳତାଡ଼ ଭିତରେ ମମିତା ମେହେରଙ୍କ ଜନ୍ମଦିନ ପାଳନ କରିଛନ୍ତି ପରିବାର ଓ ସମ୍ପର୍କୀୟ । ସଙ୍କୀର୍ତ୍ତନ ସହ ସାମୂହିକ ଦୀପ ପ୍ରଜ୍ୱଳନ କରି ଆତ୍ମାର ସଦଗତି କାମନା କରିଛନ୍ତି ସମସ୍ତେ ।
ସେପଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ଜେଲ କର୍ତ୍ତୃପକ୍ଷଙ୍କୁ ସିସିଟିଭି ଫୁଟେଜ ମାଗିଲା କ୍ରାଇମବ୍ରାଞ୍ଚ । ସାଇଁଟିଫିକ ଟିମ୍ ଗୁରୁତ୍ୱପୂର୍ଣ୍ଣ ଡକୁ୍ୟମେଣ୍ଟ ଜବତ କରିବା ପରେ ଜେଲରୁ ସିସିଟିଭି ଫୁଟେଜ ମଗାଯାଇଛି । ତଦନ୍ତର ଅଗ୍ରଗତି ପାଇଁ ଏହି ଫୁଟେଜ ମଗାଯାଇଛି । ଜେଲରେ ଲାଗିଥିବା ୧୬ ସିସିଟିଭି ଫୁଟେଜ ମଗାଯାଇଛି । ସେପଟେ ଗୋବିନ୍ଦଙ୍କ ମୃତୁ୍ୟ ପରେ ଏବେ ରାଜନୈତିକ ବୟାନବାଜି ତେଜିଛି । ତାଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିବା ପରେ ଏହି ମାମଲା ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ସିସିଟିଭି ଫୁଟେଜରୁ କିଛି ସୂଚନା ମିଳିପାରେ ବୋଲି କ୍ରାଇମବ୍ରାଞ୍ଚ ଟିମ ଅନୁମାନ କରୁଛି । ଗୋବିନ୍ଦ ରହୁଥିବା ୧ନମ୍ପର ୱାର୍ଡରେ ସାଇଁଟିଫିକ ଟିମ କିଛି ଡକୁ୍ୟମେଣ୍ଟ ଆଉ ମେଡିସିନ ରିର୍ପୋଟ ପାଇଥିବାର ସୂଚନା ମିଳିଛି ।
ଅନ୍ୟପଟେ ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଏକ ସମ୍ବେଦନଶୀଳ ଘଟଣା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ମୃତୁ୍ୟବରଣ କରିବା ଓ ଡିଏନ୍ଏ ପରୀକ୍ଷାରେ ଅସାମଞ୍ଜସ୍ୟ ଦେଖାଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯାହା ଶୁଭ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ରେ ଲେଖିଛନ୍ତି । ଗୃହ ବିଭାଗର ପୁଲିସ୍ ଓ ଜେଲ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ସଠିକ ଉତ୍ତର ରଖିବା ଦରକାର । ଘଟଣାରେ ଶାସନ ବ୍ୟବସ୍ଥାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଉତ୍ତର ରଖିବା ଦରକାର । ପ୍ରଜାତନ୍ତ୍ରରେ ଉତ୍ତରଦାୟିତ୍ୱ୍ୱର ମହତ୍ତ୍ୱ ରହିଛି । ତଦନ୍ତର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେହିପରି ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସର ୫ଜଣିଆ ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗୋବିନ୍ଦ ସାହୁ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ମାରି ଦିଆଯାଇଛି । ସେଥିପାଇଁ ତାଙ୍କ ମୃତଚୁ୍ୟର ତଦନ୍ତ ହେବା ଉଚିତ । କୋର୍ଟଙ୍କ ନିରୀକ୍ଷଣରେ ଏସଆଇଟି ଟିମ୍ ଗୋବିନ୍ଦ ସାହୁ ମୃତୁ୍ୟର ତଦନ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ଦଳ । ଅନ୍ୟପଟେ ବିରୋଧୀଙ୍କ ଦାବିକୁ ନେଇ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଅସ୍ତିତ୍ୱ ବଞ୍ଚାଇବାକୁ ପ୍ରହେଳିକା କରୁଛନ୍ତି ବିରୋଧୀ । ସିବିଆଇ ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ସଂସ୍ଥା, ତେଣୁ ତାଙ୍କ କାର୍ଯ୍ୟ ପରିସର ଅନୁସାରେ ତଦନ୍ତ କରାଯିବ । ତାକୁ ନେଇ ବିବାଦ କରାଯିବା ଠିକ୍ ନୁହେଁ ବୋଲି ବିଜେଡି ବିଧାୟକ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *