ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ମୋ ସ୍ୱପ୍ନ
ଭୁବନେଶ୍ୱର, ୨୧ା୧୨ (ବୁ୍ୟରୋ): ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । ୫ଟି ଉପକ୍ରମରେ ରାଜ୍ୟର ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ ।
ବୁଧବାର ଲୋକସେବା ଭବନର କନ୍ଭେନସନ୍ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ରାଜ୍ୟର ୧୯ ସହରରେ ୨୪³୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ସହର ଗୁଡିକ ହେଲା ଭୁବନେଶ୍ୱର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର । ଏହିସବୁ ସହରର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ ।
୫ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା । ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ୱିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା । ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ୱାରା, ଏହି ୩ ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ ।
ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ୱପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି । ୧୯ ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ । ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଜନସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ୱଚ୍ଛ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୫ଟି ଉପକ୍ରମରେ ଏହି ସୁବିଧା ଦ୍ୱାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ । ବିଶ୍ୱର ବଡବଡ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ମଧ୍ୟ ଯୋଡି ହୋଇଛନ୍ତି ଏବଂ ବୁ୍ୟରୋ ଅଫ୍ ଷ୍ଟାଣ୍ଡାର୍ଡର ମାନ ଅନୁଯାୟୀ ଉତ୍ତମ ଓ ସ୍ୱଚ୍ଛ ଜଳ ପାଇପାରୁଛନ୍ତି । ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍କୋକୁ ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇଥିଲେ । ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ ଅନନ୍ତ ପଟ୍ଟନାୟକ, ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍, ୱାଟକୋର ସିଇଓ ପି.କେ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱରର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯ ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ।