ପୁଣି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ, ୧୯ା୧୨: ବ୍ୟାପକ କୃଷକ ଆନେ୍ଦାଳନ ଯୋଗୁଁ ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରି ନେବା ପାଇଁ କେନ୍ଦ୍ର ସରକାର ଗତବର୍ଷ ବାଧ୍ୟ ହୋଇଥିଲେ । ଏବେ ବଜେଟ୍ ପୂର୍ବରୁ ମୋଦି ସରକାରଙ୍କ ଉପରେ ଚାପ ପକାଇବା ଉଦେ୍ଦଶ୍ୟରେ ପୁଣିଥରେ କୃଷକ ସଂଗଠନମାନେ ଏକଜୁଟ ହୋଇ ଆନେ୍ଦାଳନ ମାର୍ଗ ଆପଣାଇବା ପାଇଁ ଚେତାବନୀ ଦେଇଛନ୍ତି । ଭାରତୀୟ କିଷାନ ସଂଘ (ବିକେଏସ୍) ନେତୃତ୍ୱରେ ମଙ୍ଗଳବାର ଏକ ରାଲିରେ ୫୫ ହଜାରରୁ ଅଧିକ ଯୋଗ ଦେଇଛନ୍ତି । ରାମଲୀଳା ମୈଦାନରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟତଃ ଦୁଇଟି ଦାବି ଉପସ୍ଥାପନ କରିଛନ୍ତି । କୃଷି ଉତ୍ପାଦ ଉପରୁ ଜିଏସ୍ଟି ପୂର୍ଣ୍ଣରୂପେ ପ୍ରତ୍ୟାହାର ଓ କିଷାନ ସମ୍ମାନ ନିଧି ରାଶି ବୃଦ୍ଧି ସେମାନଙ୍କ ମୁଖ୍ୟ ଦାବି । ଏବେ ସମ୍ମାନ ନିଧି ଆକାରରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଛି । ତାହାକୁ ୧୨ ହଜାର ଟଙ୍କା କରିବା ଏବଂ ଉତ୍ପାଦିତ ଫସଲ ପାଇଁ ଉଚିତ୍ ଦର ନିର୍ଦ୍ଧାରଣ ଲାଗି ସରକାର ଆଗାମୀ ବଜେଟ୍ରେ ବ୍ୟବସ୍ଥା କରନ୍ତୁ ବୋଲି କୃଷକ ନେତାମାନେ କହିଛନ୍ତି । ଏହାଛଡା ୧୦ ବର୍ଷ ଟ୍ରାକ୍ଟର ବ୍ୟବହାର ଉପରେ କଟକଣା ପ୍ରସ୍ତାବରେ ପୂର୍ଣ୍ଣଚ୍ଛେଦ ଓ ‘ପରାଲି’ ପୋଡି ପାଇଁ ଜରିମାନା ଆଦାୟ ବନ୍ଦ ସେମାନଙ୍କ ଦାବି ମଧ୍ୟରେ ଅନ୍ତର୍ଭୁକ୍ତ ।
ବିକେଏସ୍ର ଏକ ବିବୃତିରେ କୁହାଯାଇଛି, ଉତ୍ପାଦିତ ଫସଲ ପାଇଁ ଇନ୍ପୁଟ୍ କ୍ରେଡିଟ୍ ମିଳୁ ନ ଥିବାରୁ କୃଷି ଉତ୍ପାଦକୁ ଜିଏସ୍ଟି ମୁକ୍ତ କରାଯିବା ଆବଶ୍ୟକ । ସେହିପରି ମୁଦ୍ରାସ୍ଫୀତି ବୃଦ୍ଧି ଅନୁପାତରେ କିଷାନ ସମ୍ମାନ ନିଧି ପରିମାଣ ବଢ଼ାଯିବା ଦରକାର ।
ଚାଷୀ ଆନେ୍ଦାଳନକୁ ବିରୋଧ ଦଳମାନେ ସମର୍ଥନ କରିଛନ୍ତି । କଂଗ୍ରେସ ମହାସଚିବ ତଥା ସାଂସଦ କେ ସି ବେଣୁଗୋପାଳ କହିଛନ୍ତି କେନ୍ଦ୍ରସରକାର ସେମାନଙ୍କ ପ୍ରସଙ୍ଗ ପ୍ରତି ଧ୍ୟାନ ନ ଦେଲେ ପୁଣି ଥରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ଆମନ୍ତ୍ରଣ କରିବା ସାର ହେବ । ବିକେଏସ୍ର ଅଖିଳ ଭାରତୀୟ ଅଭିଯାନ ମୁଖ୍ୟ ରାଘବେନ୍ଦ୍ର ପଟେଲ କହିଛନ୍ତି ଗତ ଚାରି ମାସରେ ପ୍ରାୟ ୨୦ ହଜାର କିମି ପଦଯାତ୍ରା, ୧୩ ହଜାର କିମି ସାଇକେଲ ରାଲି ଓ ୧୮ ହଜାର ପଥପ୍ରାନ୍ତ ସଭା ହୋଇଛି । ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ବଡ଼ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ଏବେ ରାମଲିଳା ମୈଦାନରେ ମେଗାରାଲି ଆୟୋଜିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *