ଦ୍ୱିତୀୟ ମ୍ୟାଚ୍ରେ ବି ଖେଳିବେନି ରୋହିତ
ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା
ନୂଆଦିଲ୍ଲୀ, ୧୯ା୧୨ (ଏଜେନ୍ସି): ଆଘାତଜନିତ କାରଣରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଡିସେମ୍ବର ୨୨ରୁ ଢାକାର ମୀରପୁର ଠାରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ବି ବାଦ୍ ପଡ଼ିଛନ୍ତି ।
ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ସମୟରେ ବାମ ବୃଦ୍ଧାଙ୍ଗୁଳିରେ ଆଘାତ ପରେ ରୋହିତ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିଲେ । ଏକ କ୍ରିକେଟ୍ ୱେବ୍ସାଇଟ୍ର ରିପୋର୍ଟ ଅନୁଯାୟୀ ସେ ଦ୍ୱିତୀୟ ଟେଷ୍ଟ ଖେଳିବା ପାଇଁ ଢାକା ଯିବେ ନାହିଁ । ସୋମବାର ରୋହିତଙ୍କ ଅନୁପଲବ୍ଧତା ନେଇ ଖବର ଆସିଥିଲା । ତାଙ୍କ ବୃଦ୍ଧାଙ୍ଗୁଳି ସମ୍ପୂର୍ଣ୍ଣ ଠିକ୍ ହୋଇ ନାହିଁ ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଗକୁ ଭାରତୀୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ, ଚୟନ କମିଟି ଓ ଟିମ୍ ମ୍ୟାନେଜ୍ମେଣ୍ଟ ଏହି ସ୍ତରରେ ତାଙ୍କୁ ନେଇ ରିସ୍କ ନ ନେବାକୁ ସ୍ଥିର କରିଥିଲା । ଜଣାପଡ଼ିଛି ଯେ ଟେଷ୍ଟରେ ରୋହିତ ହୁଏତ ବ୍ୟାଟିଂ କରିପାରିବେ; କିନ୍ତୁ ଫିଲ୍ଡିଂରେ ରିସ୍କ ରହିଛି । ମେଡିକାଲ୍ ଟିମ୍ ଓ ଟିମ୍ ମ୍ୟାନେଜ୍ମେଣ୍ଟ ଅନୁଭବ କରୁଛି ଯେ ଯଦି ଫିଲ୍ଡ ସମୟରେ ସେହି ବୃଦ୍ଧାଙ୍ଗୁଳିରେ ପୁଣି ଥରେ ଆଘାତ ଲାଗେ, ତା’ହେଲେ ଆଘାତ ଗୁରୁତର ହୋଇପାରେ ।
ତେବେ ଦୁଇ ଦିନ ପୂର୍ବେ ଭାରତୀୟ ଅଧିନାୟକ ସମ୍ପୂର୍ଣ୍ଣ ଫିଟ୍ ହେବାର ଖବର ଆସିଥିଲା । କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ରୋହିତ ବୋର୍ଡକୁ ଫିଟ୍ ହେବା ସମ୍ପର୍କରେ ସୂଚନା ଦେଇଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ସେ ଶୀଘ୍ର ଟିମ୍ ସହ ଯୋଗ ଦେବେ ।
ବାଂଲାଦେଶ ଗସ୍ତ ପରେ ଟିମ୍ ଇଣ୍ଡିଆ ମୁମ୍ବାଇ ଠାରେ ୨୦୨୩ ଜାନୁଆରୀ ୩ରୁ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ସିଜନ୍ ଆରମ୍ଭ କରିବ । ଏଥିରେ ତିନି ଟି-୨୦ ଓ ତିନି ଦିନିକିଆ ମ୍ୟାଚ୍ ରହିଛି ।
ରୋହିତ ଢାକା ନ ଯିବାର ଅର୍ଥ ଉପ-ଅଧିନାୟକ ଲୋକେଶ ରାହୁଲ ଶେର୍-ଇ-ବାଂଲା ନାସ୍ନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟରେ ଭାରତୀୟ ଟିମ୍ର ନେତୃତ୍ୱ ନେବେ । ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମ୍ରେ ଟିମ୍ ଇଣ୍ଡିଆ ୧୮୮ ରନ୍ରେ ବିଜୟୀ ହୋଇ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି ।