୧୭ ଓକିଲ ଗିରଫ
ସୁପ୍ରିମ୍ ଛାଟ ପରେ ବେଞ୍ଚ୍ ଆନେ୍ଦାଳନ ସ୍ଥଗିତ
ଭୁବନେଶ୍ୱର/ସମ୍ବଲପୁର, ୧୩ା୧୨ (ବୁ୍ୟରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଓକିଲଙ୍କ ଧର୍ମଘଟକୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥଗିତ ରଖାଯାଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନ୍ର ସମ୍ପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବାର୍ ଆସୋସିଏସନ୍ର ଆବାହକ ଅଶୋକ କୁମାର ଦାଶ ଏହି ସୂଚନା ଦେଇଛନ୍ତି ।
ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ଅଛି ବୋଲି କ୍ରିୟାନୁଷ୍ଠାନ କମିଟି କହିଛି । ଏ ଦିଗରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସମସ୍ତ ସାମ୍ବିଧାନିକ ସଂସ୍ଥାଠାରୁ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି । ସେହିପରି କମିଟି ଆନେ୍ଦାଳନ ସ୍ଥଗିତ ରଖିବା ସହ ସୁପ୍ରିମକୋର୍ଟଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି । ଏ ନେଇ କମିଟି କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଉପରେ ମଧ୍ୟ ଭରସା ରଖିଛି ।
ଅନ୍ୟପଟେ ବିଜେପି ଓକିଲଙ୍କ ଆନେ୍ଦାଳନକୁ ସମର୍ଥନ କରୁଛି । ଆନେ୍ଦାଳନରେ ମୁଁ ଅଂଶ ବିଶେଷ ଗଣତାନ୍ତ୍ରିକ ଉପାୟରେ ଅଳନେ୍ଦାଳନ କରିବା ସମସ୍ତ ନାଗରିଙ୍କର ଅଧିକାର । ଭାରତୀୟ ସମ୍ଭିଧାନ ଅନୁସାରେ ତାକୁ କେହି ବାରଣ ପାରିବେନି । ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୌଣସି ଠୋସ୍ ପ୍ରସ୍ତାବ ଦେଇନାହାନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ଏପରି କହିଥିଲେ । ଓଡ଼ିଶା ସରକାର କ’ଣ ପାଇଁ ଟାଳଟୁଳ ନୀତି କରୁଛନ୍ତି? ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କେଉଁଠି ହେବ, ସରକାର ସେ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ୨ ଟି ବେଞ୍ଚ ପ୍ରତିଷ୍ଠା ହେଲେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେପଟେ ସମ୍ବଲପୁରରେ ଚାଲିଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଆନେ୍ଦାଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ବିଜେଡି ଉପସଭାପତି କହିଛନ୍ତି, ସେମାନେ ଯାହା କହୁଛନ୍ତି ଅବନ୍ତର କଥା । ଝୁଣ୍ଟି ପଡ଼ିଲେ ସରକାର ଦାୟୀ କହିବା ଅବାନ୍ତର କଥା । ସୁପ୍ରିକୋର୍ଟଙ୍କ ନିଦେ୍ର୍ଦଶ କିପରି ଅନୁପାଳନ କରାଯିବ ସେ ନେଇ ନିଦେ୍ର୍ଦଶ ଅଛି । ବାକି କଣ ପ୍ରୋସେସ୍, ପଶ୍ଚିମାଞ୍ଚଳରେ କେଉଁଠି ହେବ ଓ ତାଙ୍କର ଅଧିବକ୍ତା ସଂଘ ଯାହା କହିବେ ସେ ଅନୁସାରେ ହେବ । ଖାଲି ବ୍ଲେମ୍ ଗେମ୍ କଲେ ହେବନି । ସରକାରଙ୍କ ଉପରେ ଦୋଷ ଲଦିବା ଠିକ୍ ନୁହେଁ, ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ । ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ଆଇନ୍ ବିଭାଗ ନେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସେପଟେ ଓଡ଼ିଶା ପୁଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ ଆକ୍ସନ ମୋଡରେ ଆସି ସମ୍ବଲପୁର କୋର୍ଟ ପରିସରକୁ ପୁଲିସ ଛାଉଣୀରେ ପରିଣତ କରିଛି । ଏଯାବତ ୧୭ ଜଣ ଆଇନଜୀବୀ ଗିରଫ ହୋଇସାରିଛନ୍ତି । କୋର୍ଟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ୨୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଗିରଫ ଓ ଲାଇସେନ୍ସ ବାତିଲକୁ ବେଆଇନ କହିବା ସହ ନ୍ୟାୟିକ ଲଢେଇ ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି ।
କୋର୍ଟ ରୁମ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିବା ଘଟଣା ସମ୍ବଲପୁର ଓକିଲଙ୍କୁ ମହଙ୍ଗା ପଡିଛି । ଘଟଣାରେ ପ୍ରଥମେ ବାର କାଉନସିଲ ଅଫ ଇଣ୍ଡିଆ ସମ୍ବଲପୁର ବାରର ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ବାତିଲ କରିଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନ୍ସଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ଓଡିଶା ଇତିହାସରେ ଏହା ପ୍ରଥମ । ଏହି ଘଟଣାର କିଛି ଘଣ୍ଟା ପରେ ପୁଲିସ ମଧ୍ୟ ଟାଉନ ଥାନାରେ ୩ ମାମଲା ରୁଜୁ କରି ୧୭ଜଣଙ୍କୁ ଗିରଫ କରିଛି । ଏନେଇ ଓକିଲଙ୍କ ବିରୁଦ୍ଧରେ ଟାଉନ ଥାନାରେ ୪୮୦/୨୦୨୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ଆଇପିସିର ୧୪୭, ୩୪୧,୩୨୩, ୩୫୩,୩୩୨, ୫୦୬, ୧୮୬, ୧୮୮, ୧୪୯ ଧାରା ଲଗାଇଛି ।
ସେହିପିର ଅନ୍ୟ ସଙ୍ଗଠନ ଯେପରି ଭୀମ ଆର୍ମୀ, ବଜରଙ୍ଗଦଳ, ମାରୱାଡି ଯୁବ ମୋର୍ଚ୍ଚା, ଘୁନଘୁଡିପଡା ବିସ୍ଥାପିତ ସଂଘ, ଏବିଭିପି ଓ ଅନ୍ୟାନ୍ୟ ସଙ୍ଗଠନ ପରେ ଟାଉନ ଥାନାରେ ୪୭୯/୨୦୦ କେସ ନମ୍ବରରେ ମାମଲା ରୁଜୁ ହୋଇଥିବାବେଳେ ଆଇପିସିର ୧୪୭, ୩୪୧, ୧୮୬, ୧୮୮, ୨୯୪, ୫୦୬, ୩୫୩, ୩୩୨ ଓ ୧୪୯ ଧାରା ଲାଗିଛି ।