ନବୀନ ନିବାସରେ ନେତାଙ୍କ ଭିଡ଼

ଉପନିର୍ବାଚନ ସମୀକ୍ଷା
ଭୁବନେଶ୍ୱର, ୭ା୧୨ (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ । ତିନି ବ୍ଲକ (ପଦ୍ମପୁର, ପାଇକମାଳ ଓ ଝାରବନ୍ଧ) ଓ ଏନଏସିରେ ଦଳ ଲିଡ଼ କରିବ । ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୫ ତାରିଖ ଦିନ ମତଦାନ ହୋଇଥିବାବେଳେ ଏହାର ଫଳକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ତେବେ ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ବିଜେଡି ଆଶା କରିଛି ଯେ, ଦଳ ପଦ୍ମପୁରରେ ବିଜୟ ହାସଲ କରିବ । ପଦ୍ମପୁର ଜନାଦେଶ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କଠାରୁ ଫିଡବ୍ୟାକ୍ ନିଆଯାଇଥିବାବେଳେ ଏଥିରେ ପ୍ରାୟ ୫୦ ନେତା ସାମିଲ ଥିବା ନଜରକୁ ଆସିଛି ।
ବୈଠକରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ବ୍ରଜ ପ୍ରଧାନ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ପଦ୍ମପୁରରେ ଲୋକଙ୍କର ସମସ୍ୟା କଣ ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଁଞ୍ଚୁଛି, ଲୋକଙ୍କ ଆବଶ୍ୟକତା କଣ ରହୁଛି କିପରି ସମସ୍ୟାର ସମାଧାନ କରାଯିବ ବୋଲି ବିଜେଡି ନେତାମାନେ ଆଲୋଚନା କରିଛନ୍ତି । ସେ ସମ୍ପର୍କରେ ୧୫ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ସୁଧୀର ସାମଲ, ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ସାରଦା ନାୟକ, ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ପୁଷ୍ପନ୍ଦ୍ର ସିଂଦେଓ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୫ ତାରିଖରେ ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲେହାନୀଙ୍କ ସୂଚନା ଅନୁସାରେ ଏଥର ୮୨.୧% ଭୋଟିଂ ହୋଇଛି । ମତଗଣନା ଡିସେମ୍ବର ୮ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *