ପହିଲାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା
ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ (ବୁ୍ୟରୋ): ଏଣିକି ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ୍ ବ୍ୟବହାରକୁ ନିଷିଦ୍ଧ କରାଯିବ । ଆସନ୍ତା ପହିଲାରୁ ଏହି କଟକଣା ଲାଗୁ କରାଯିବ ବୋଲି ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ଜରୁରୀ ନୀତି ନିର୍ଘଣ୍ଟ ସୂଚନା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍ ବ୍ୟବହାର କରିପାରିବେ । ବାକି ଅନ୍ୟାନ୍ୟ ଅଧିକୃତ ଅଧିକାରୀ ଓ ସେବାୟତମାନେ ସାଧାରଣ କିପ୍ୟାଡ୍ ଥିବା ମୋବାଇଲ ବ୍ୟବହାର କରିବେ ବୋଲି ବୈଠକରେ ମୋହର ଲାଗିଛି ।
ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ଭକ୍ତମାନେ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିଲା । କେବଳ ଅଧିକାରୀ ଓ ସେବାୟତମାନେ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିଲେ । ମାତ୍ର ଏହାରି ମଧ୍ୟରେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଏବଂ ଗର୍ଭଗୃହ ଫଟୋ ମଧ୍ୟ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରିଥିଲା ଛତିଶାନିଯୋଗ । ଏନେଇ ବୈଠକରେ ବିସ୍ତୁତ ଭାବେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷରେ ଏହି କଟକଣାକୁ ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ । ବୈଠକରେ ଧନୁସଂକ୍ରାନ୍ତିଠାରୁ ମକର ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟକୁ ମଧ୍ୟ ଅନୁମୋଦନ କରାଯାଇଛି । ଆସନ୍ତା ୧୬ରୁ ଜାନୁୟାରୀ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ସମୟରେ ରାତି ୨ଟାରୁ ଦ୍ୱାର ଫିଟାଯାଇ ୬ଟା ସୁଦ୍ଧା ପହିଲିଭୋଗ ନୀତି ସମ୍ପାଦନ ହେବ । ଏହାଛଡା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷପୂର୍ଣ୍ଣିମା ତିଥିରେ ହେବାକୁ ଥିବା ଦେବାଭିଷେକ ନୀତି ନିର୍ଘଣ୍ଟ ହୋଇଛି । ଅନ୍ୟପକ୍ଷରେ ସେବାୟତଙ୍କ ଲାଗି ଜମିଜମା ସମସ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଛତିଶାନିଯୋଗ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।