କରୋନା ମନୁଷ୍ୟକୃତ
ଉହାନ୍ ଲାବ୍ର ପୂର୍ବ ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ/ ବେଜିଂ (ଏଜେନ୍ସି): ସମଗ୍ର ବିଶ୍ୱ ପାଇଁ କରୋନା ଭୂତାଣୁ ପ୍ରାଣଘାତୀ ସାବ୍ୟସ୍ତ ହୋଇଥିଲା । ବିଶ୍ୱର ପ୍ରାୟ ସବୁ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ଭୟଙ୍କର ଭୂତାଣୁ କେଉଁଠୁ ଆସିଲା ସେନେଇ ଅନେକ ତର୍କ ବିତର୍କ ପୂର୍ବରୁ ମଧ୍ୟ ହୋଇଆସିଛି । କିନ୍ତୁ ଆମେରିକା ପକ୍ଷରୁ ପ୍ରଥମ ଥର ପାଇଁ ଦାବି କରାଯାଇଥିଲା ଯେ, ଏହି ଭୂତାଣୁ ଚୀନ୍ରୁ ଆସିଛି । ଚୀନ୍ର ଜଣେ ବୈଜ୍ଞାନିକଙ୍କ ସୂଚନାକୁ ଆଧାର କରି ବିଶ୍ୱର ପ୍ରମୁଖ ସମ୍ବାଦପତ୍ର ‘ଦି ନୁ୍ୟୟର୍କ ପୋଷ୍ଟ’ ଗତ ଦୁଇ ବର୍ଷ ପୂବେ ଏକ ରିପୋର୍ଟ ପ୍ରକାଶ କରିଥିବା ବେଳେ ଆମେରିକା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା ।
ଆମେରିକା ଆଜି ପର୍ଯ୍ୟନ୍ତ ବାରମ୍ବାର ଦାବି କରିଆସୁଛି ଯେ, ଚୀନ୍ର ଉହାନ୍ ପ୍ରଦେଶରେ ଥିବା ସରକାରୀ ଭାଇରୋଲୋଜି ସେଣ୍ଟର ତଥା ଲାବୋରେଟୋରୀରେ ଏହି ଭୂତାଣୁକୁ ବିକଶିତ କରାଯାଇଛି । ଚୀନ୍ ଏହାକୁ ଏକ ଅସ୍ତ୍ର ଭାବେ ଆମେରିକା ଉପରେ ପ୍ରୟୋଗ କରିବା ଲକ୍ଷ୍ୟରେ ରହିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଲାବୋରେଟୋରୀରେ ହିଁ ଏହି ଭୂତାଣୁ ଲିକ୍ ହୋଇଯାଇଥିଲା । ଫଳରେ ଚୀନ୍ରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ସମ୍ପ୍ରସାରିତ ହୋଇଯାଇଥିଲା । ତେବେ ଆମେରିକାର ଏପ୍ରକାର ଦାବି ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ), ମିଳିତ ଜାତିସଂଘ ପକ୍ଷରୁ ଏକ ଯାଞ୍ଚ୍ କମିଟି ଚୀନ୍ର ଉହାନ୍ ପ୍ରଦେଶକୁ ପଠାଯାଇଥିଲା । କିନ୍ତୁ ଏସମ୍ପର୍କରେ କୌଣସି ସଠିକ୍ ତଥ୍ୟ ଜାତିସଂଘ କିମ୍ବା ହୁ’ ପକ୍ଷରୁ ଦିଆଯାଇନଥିଲା ।
ଏସବୁ ମଧ୍ୟରେ ଚୀନ୍ର ଏହି ଉହାନ୍ସ୍ଥିତ ଭାଇରୋଲୋଜି ଲାବୋରେଟୋରୀରେ କାମ କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍୍ରିୟୁ ହଫ୍ଙ୍କ ଏକ ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି । ହଫ୍ଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବି୍ରଟିଶ ସମ୍ବାଦପତ୍ର ଦ ସନ୍’ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି । ହଫ୍ ନିଜ ଲିଖିତ ପୁସ୍ତକ ‘ଦି ଟ୍ରୁଥ୍ ଏବାଉଟ୍ ଉହାନ୍’ରେ ଏସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ହଫ୍ ଏପ୍ରକାର ମାରାତ୍ମକ ଭୂତାଣୁର ବିକାଶ ପାଇଁ ଚୀନ୍ ସହ ଆମେରିକା ସରକାରଙ୍କୁ ମଧ୍ୟ ଦାୟୀ କରିଛନ୍ତି ।
ହଫ୍ଙ୍କ ଅନୁସାରେ ଉହାନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜି (ଡବ୍ଲୁ୍ୟଆଇଭି)ରେ ଭୂତାଣୁମାନଙ୍କ ଉପରେ ଗବେଷଣା କରାଯିବା ପାଇଁ ଆମେରିକାର ପ୍ରାଥମିକ ନୋଡାଲ ଏଜେନ୍ସି ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ (ଏନ୍ଆଇଏଚ୍) ପକ୍ଷରୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦିଆଯାଉଥିଲା । କିନ୍ତୁ ସେଠାରେ ବାସ୍ତବରେ କ’ଣ ଚାଲୁଛି ସେସମ୍ପର୍କରେ ଅନୁଧ୍ୟାନ କରୁନଥିଲା ଏନ୍ଆଇଏଚ୍ । ସିଧାସଳଖ କହିଲେ ଅଜାଣତରେ ହେଲେ ମଧ୍ୟ ଆମେରିକା ହିଁ ଚୀନ୍ ହାତରେ କରୋନା ରୂପୀ ବାୟୋୱିପନ୍ ଟେକ୍ନୋଲୋଜିକୁ ଧରାଇଦେଇଥିଲା ବୋଲି କହିଲେ ଅତୁ୍ୟକ୍ତି ହେବନି । ହଫ୍ଙ୍କ ଏପ୍ରକାର ବିବୃତି ପ୍ରକାଶିତ ହେବା ପରେ ଏବେ ପୁଣିଥରେ କରୋନା-ଚୀନ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।