ଆସୁଛି କମାଣ୍ଡୋ ଅର୍ଜୁନ
ନୂଆଦିଲ୍ଲୀ (ଏଜେନ୍ସି): ୨୯ ନଭେମ୍ବରରେ ୨ଠ୨୨ ଅର୍ଥାତ୍ ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଔଲି ଅଞ୍ଚଳରେ ଭାରତୀୟ ସେନା ଏବଂ ଆମେରିକା ସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ ଚାଲିଥିବା ସମୟରେ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଥିବା ଜଣାପଡିଛି । ନଭେମ୍ବର ୩ଠରେ ଭାରତୀୟ ସେନା ପକ୍ଷରୁ ଏହି ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରାଯିବା ପରେ ଏହା ଏବେ ଭାଇରାଲ୍ ହୋଇଛି ।
ଏହି ଭିଡିଓରେ ଭାରତୀୟ ସେନାର ଏକ ପ୍ରଶିକ୍ଷିତ ବାଜପକ୍ଷୀ ପାକିସ୍ତାନ ପଟୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଆସିଥିବା ଏକ ଡ୍ରୋନ୍କୁ ଆକାଶ ମାର୍ଗରେ ଆକ୍ରମଣ କରିବା ପୂର୍ବକ ଖସାଇଦେଉଥିବାର ଦେଖିବାକୁ ମିଳୁଛି । ଏହି ବାଜପକ୍ଷୀକୁ ଭାରତୀୟ ସେନାରେ କମାଣ୍ଡୋ ଅର୍ଜୁନ୍ ନାମରେ ସାମିଲ କରାଯାଇଛି । ତେବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଏବେ କମାଣ୍ଡୋ ଅର୍ଜୁନ୍ ଚୀନ୍ ଉପରେ ନଜର ରଖିବା ପାଇଁ ପ୍ରସ୍ତୁତ ହେଉଛି । ଭାରତୀୟ ସେନା ଏବେ କମାଣ୍ଡୋ ଅର୍ଜୁନ୍କୁ ଚୀନ୍ ସହ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ କରିବାକୁ ଯାଉଛି ।
ୟୁରେସିୟନ୍ ଟାଇମ୍ସ ନିଜ ରିପୋର୍ଟରେ ଦାବି କରିଛି ଯେ, କମାଣ୍ଡୋ ଅର୍ଜୁନ୍ ନାମକ ଭାରତୀୟ ସେନାର ଏହି ପ୍ରଶିକ୍ଷିତ ବାଜପକ୍ଷୀର ମୁଣ୍ଡଭାଗରେ ଏକ ଶକ୍ତିଶାଳୀ କ୍ୟାମେରା ଏବଂ ଶରୀରରେ ଜିପିଏସ୍ ଟ୍ରାକିଂ ସିଷ୍ଟମ୍ ଲଗାଯାଇଛି । ତେବେ ଭାରତୀୟ ସେନା ଯେଉଁ କ୍ୟାମେରାକୁ ଏହି ବାଜପକ୍ଷୀର ମସ୍ତିଷ୍କରେ ଫିଟ୍ କରିଛି, ତାହା ଚୀନ୍ ନିର୍ମିତ ବୋଲି ୟୁରେସିୟନ୍ ଟାଇମ୍ସ ଦର୍ଶାଇଛି । ସିଧାଅର୍ଥରେ କହିବାକୁ ଗଲେ ସୀମାରେ ଡ୍ରାଗନ୍ ସେନା ଉପରେ ନଜର ରଖିବା ପାଇଁ ଭାରତୀୟ ସେନା ଚୀନ୍ର ଟେକ୍ନୋଲୋଜିକୁ ହିଁ ଚୀନ୍ ବିରୋଧରେ ପ୍ରୟୋଗ କରିଛନ୍ତି ।
ସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ କମାଣ୍ଡୋ ଅର୍ଜୁନ ନାମକ ଏହି ବାଜପକ୍ଷୀକୁ ମିରଟ୍ର ରିମାଉଣ୍ଟ ୱେଟରନରୀ କର୍ପସ୍ ଟ୍ରେନିଂ (ପ୍ରଶିକ୍ଷଣ) ଦେଇଛି । ଏହି ବାଜପକ୍ଷୀ ଶତ୍ରୁଦେଶର ଡ୍ରୋନ୍କୁ ମାରି ଖସାଇବା, ଆକ୍ରମଣ କରିବା ଏବଂ ପିଛା କରିବା ବ୍ୟତୀତ ନିଜ ମୁଣ୍ଡରେ ଲାଗିଥିବା କ୍ୟାମେରା ଜରିଆରେ ଆକାଶମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବାରେ ବେଶ୍ ପାରଙ୍ଗମ୍ । ନିଦେ୍ର୍ଦଶ ମିଳିବା ମାତ୍ରେ ଏହି ପ୍ରଶିକ୍ଷିତ ବାଜପକ୍ଷୀ ଶତ୍ରୁ ଇଲାକାରେ ପ୍ରବେଶ କରିବା ସହ ସେମାନଙ୍କ ସମସ୍ତ ଗୁପ୍ତ ସୂଚନା ସଂଗ୍ରହ କରିବାରେ ମଧ୍ୟ ସିଦ୍ଧହସ୍ତ ହୋଇସାରିଛି । ତେବେ ଆକାଶମାର୍ଗରେ ଉଡୁଥିବା ସମୟରେ ବାଜପକ୍ଷୀର ସଠିକ୍ ସ୍ଥିତାବସ୍ଥା ଜାଣିବା ପାଇଁ ତା’ ଶରୀରରେ ଜିପିଏସ୍ ଲଗାଯାଇଛି ।
କମାଣ୍ଡୋ ଅର୍ଜୁନ୍କୁ ନିଦେ୍ର୍ଦଶ ଦେବା ପାଇଁ ଭାରତୀୟ ସେନାକୁ ପ୍ରଶିକ୍ଷିତ କୁକୁର (କମାଣ୍ଡୋ ଡଗ୍)ର ମଧ୍ୟ ସାହାଯ୍ୟ ନେବାକୁ ପଡୁଛି । ଏହି କମାଣ୍ଡୋ କୁକୁର ଭୁକିବା ମାତ୍ରେ କମାଣ୍ଡୋ ଅର୍ଜୁନ କ୍ଷୀପ୍ରଗତି (ଘଣ୍ଟାପ୍ରତି ବେଗ ୩୨ଠ କିମି)ରେ ଆକାଶମାର୍ଗକୁ ଉଡିଯାଇ ଟାର୍ଗେଟ୍ ଉପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ଅର୍ଜୁନ୍ର ତୀକ୍ଷ୍ମ ଦୃଷ୍ଟି (୩.୨ କିମି ଉଚ୍ଚତାରୁ ଠେକୁଆ ସମ ଜୀବଜନ୍ତୁ କିମ୍ବା ଯେକୌଣସି ସାମଗ୍ରୀକୁ ଦେଖିପାରିବାର ସାମର୍ଥ୍ୟ) ଏବଂ କ୍ଷୀପ୍ରବେଗ ହିଁ ଏହାକୁ ଭାରତୀୟ ସେନାର ଏକ ଲଢ଼ୁଆ ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛି । ୧୫ରୁ ୨୩ ଇଞ୍ଚ ଲମ୍ବ ଏହି ବାଜପକ୍ଷୀର ଡେଣାର ଲମ୍ବ ୩ଠରୁ ୪୫ ଇଞ୍ଚ୍ ରହିଛି । ପ୍ରକାଶ, ନେଦରଲାଣ୍ଡ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ଦେଶ ନିଜ ସେନାରେ ଏପ୍ରକାର ପ୍ରଶିକ୍ଷିତ ବାଜପକ୍ଷୀଙ୍କୁ ସାମିଲ କରୁଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଚଳିତ ମାସରେ ଭାରତୀୟ ସେନା ଏବଂ ଆମେରିକା ସେନା ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ-୨ଠ୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଦୁଇ ଦେଶ ମଧ୍ୟରେ ଏହି ମିଳିତ ଯୁଦ୍ଧାଭ୍ୟାସ ଆୟୋଜିତ ହୋଇଥାଏ । ତେବେ ଚଳିତ ବର୍ଷ ତଥା ଚଳିତ ମାସରେ ଭାରତର ଉତ୍ତରାଖଣ୍ଡରେ ଇଣ୍ଡୋ-ୟୁଏସ୍ ମିଳିତ ସାମରିକ ସମରାଭ୍ୟାସ ଆୟୋଜିତ ହୋଇଥିଲା ।