ବିପର୍ଯ୍ୟୟ ଘଟାଇଲା ଜାପାନ; ଜର୍ମାନୀ ବିଦା
ଫିଫା ବିଶ୍ୱକପ୍ ୨୦୨୨
ଦୋହା, ୨ା୧୨ (ଏଜେନ୍ସି): ଫିଫା ବିଶ୍ୱକପ୍ରେ ଗୁରୁବାର ଗ୍ରୁପ୍-ଇ’ରେ ଖେଳାଯାଇଥିବା ମ୍ୟାଚ୍ରେ ଜାପାନ ବଡ଼ ବିପର୍ଯ୍ୟୟ ଘଟାଇ ସ୍ପେନ୍କୁ ୨-୧ରେ ପରାସ୍ତ କରିଛି । ଏହା ସହିତ ଜାପାନ ୨୦ ବର୍ଷ ପରେ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ରେ ସ୍ଥାନ ପାଇଛି । ଏହି ଟିମ୍ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ କ୍ରୋଏସିଆକୁ ଭେଟିବ ।
ଜାପାନର ବଡ଼ ବିପର୍ଯ୍ୟୟର ପରିଣାମ ଚାରି ଥର ବିଶ୍ୱ ବିଜେତା ଜର୍ମାନୀକୁ ଭୋଗିବାକୁ ପଡ଼ିଥିଲା । ମୁକୁଟର ଦାବିଦାର ବିବେଚନା କରାଯାଉଥିବା ଜର୍ମାନୀ ଟିମ୍ ଗ୍ରୁପ୍ ପର୍ଯ୍ୟାୟରୁହିଁ ବିଦାୟ ନେଇଥିଲା । ଫିଫା ବିଶ୍ୱକପ୍ର ୯୨ ବର୍ଷର ଇତିହାସରେ ପ୍ରଥମ ଥର ଜର୍ମାନୀ କ୍ରମାଗତ ଦୁଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି । ଏହା ପୂର୍ବରୁ ୨୦୧୮ ସଂସ୍କରଣରେ ମଧ୍ୟ ଜର୍ମାନୀ ପ୍ରଥମ ରାଉଣ୍ଡରୁ ଆଗକୁ ଯାଇପାରି ନ ଥିଲା ।
ଆଦ୍ୟ ଅଗ୍ରଣୀ ସତ୍ତ୍ୱେ ହାରିଲା ସ୍ପେନ୍
ସ୍ପେନ୍ ଆଦ୍ୟ ଅଗ୍ରଣୀ ହାସଲ ସତ୍ତ୍ୱେ ମ୍ୟାଚ୍ ହାରି ଯାଇଥିଲା । ଅଲ୍ଭାରୋ ମୋରାଟା ହେଡର୍ ଜରିଆରେ ଗୋଲ୍ କରି ସ୍ପେନ୍କୁ ୧-୦ରେ ଅଗ୍ରଣୀ କରିଥିଲେ । ମଧ୍ୟାନ୍ତର ପରେ ଜାପାନ ପ୍ରତ୍ୟାବର୍ତ୍ତନ କରିଥିଲା । ରିତସୁ ଡୋନ୍ ୪୮ତମ ମିନିଟ୍ରେ ଗୋଲ୍ ପରିଶୋଧ କରିଥିଲେ । ଏହାର ତିନି ମିନିଟ୍ ପରେ ଏଓ ତନାକା ଗୋଲ୍ କରି ଟିମ୍କୁ ୨-୧ରେ ଅଗ୍ରଣୀ କରିଥିଲେ । ଶେଷ ଯାଏଁ ସ୍ପେନ୍ ଗୋଲ୍ ପରିଶୋଧ କରିପାରି ନ ଥିଲା ।
ଜାପାନ ଠାରୁ ବିପର୍ଯ୍ୟୟର ଶିକାର ହେବା ସତ୍ତ୍ୱେ ସ୍ପେନ୍ ବିଶ୍ୱକପ୍ର ନକ୍ଆଉଟ୍ରେ ପ୍ରବେଶ କରିଛି । ଅନ୍ୟପଟେ, ଜର୍ମାନୀ ୪-୨ରେ କୋଷ୍ଟାରିକାକୁ ହରାଇବା ପରେ ବି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ଜର୍ମାନ୍ ଟିମ୍ ନକ୍ଆଉଟ୍ ପହଞ୍ଚିବା ପାଇଁ କୋଷ୍ଟାରିକାକୁ ଅଧିକ ଗୋଲ୍ ବ୍ୟବଧାନରେ ହରାଇବା ଆବଶ୍ୟକ ଥିଲା । ଟିମ୍ ମ୍ୟାଚ୍ ଜିତିଥିଲେହେଁ ସ୍ପେନ୍ ଠାରୁ ଗୋଲ୍ ବ୍ୟବଧାନରେ ପଛରେ ରହିଯାଇଥିଲା । ଜର୍ମାନୀ ତୃତୀୟ ସ୍ଥାନ ପାଇଥିଲା ।
ଜର୍ମାନୀ ଓ ସ୍ପେନ୍ ୪ ପଏଣ୍ଟ ଲେଖାଏଁ ପାଇଥିଲେ । ସ୍ପେନ୍ ୯ ଗୋଲ୍ କରିଥିବା ବେଳେ ୩ ଗୋଲ୍ ଖାଇଥିଲା । କିନ୍ତୁ ଜର୍ମାନୀ ୬ ଗୋଲ୍ କରିଥିବା ବେଳେ ୫ ଗୋଲ୍ ଖାଇଥିଲା । ଜର୍ମାନୀ ପକ୍ଷରୁ ଗ୍ରେବୀ (୧୦ମ ମିନିଟ୍), କାଇ ହାଭର୍ଟଜ (୭୩ତମ ଓ ୮୫ତମ), ଫୁଲ୍କ୍ରୁଗ୍ (୮୯ତମ) ଗୋଲ୍ ଦେଇଥିଲେ । କୋଷ୍ଟାରିକା ପକ୍ଷରୁ ତେଜେଦା (୫୮ତମ) ଓ ଜୁଆନ୍ (୭୦ତମ) ଗୋଲ୍ କରିଥିଲେ ।