ବେଳାଭୂମିରେ ଅଲିଭ୍ ରିଡ୍ଲେ ମଡ଼କ

ପୁରୀ (ବୁ୍ୟରୋ): ପୁରୀ ବେଳାଭୂମି ଏବେ ଦିନକୁ ଦିନ ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି । ଅର୍ନ୍ତଜାତୀୟ ପର୍ଯ୍ୟଟନ ସହର ପୁରୀ ବେଳିଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଛୁଟି ଆସୁଥିବା ବେଳେ ବେଳାଭୂମିରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷ କରି ମାଳା ମାଳ ପ୍ଲାଷ୍ଟିକ୍ ସାଙ୍ଗକୁ ମଳତ୍ୟାଗ ଏବେ ରାଜ୍ୟବାସୀଙ୍କୁ ଲଜ୍ଜିତ କରୁଛି ।
ସେହିପରି ବିରଳ ଅଲିଭରିଡ୍ଲେଙ୍କ ମଡ଼କ ଏବେ ବେଳାଭୂମିରେ ପଡ଼ି ସଢ଼ୁଥିବା ବେଳେ ଏଥିପାଇଁ ଦାୟୀ କିଏ ବୋଲି ପରିବେଶବିତ୍ମାନେ ପ୍ରଶ୍ନ କରିଛନ୍ତି । କେତେକ ସ୍ଥାନରେ ଏହି କଇଁଛ ମଡ଼କକୁ କୁକୁର ଝୁଣି ଖାଉଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ଗୋଟିଏ ପଟେ କଇଁଛ ସୁରକ୍ଷା ନେଇ ରାଜ୍ୟ ବନ ବିଭାଗ ପକ୍ଷରୁ ସଚେତନତା ଏବଂ ସତର୍କତା କରାଯାଉଥିବା ବେଳେ ନିଷିଦ୍ଧାଞ୍ଚଳରେ ମାଛ ମାରିବାକୁ ପଶୁଥିବା ଟ୍ରଲର୍ଗୁଡ଼ିକୁ ନିୟନ୍ତ୍ରଣ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । କଇଁଚଙ୍କ ମଡ଼କ ପଡି ବେଳାଭୂମି ଅଞ୍ଚଳ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ନାକ ଟେକୁଛନ୍ତି । କଇଁଛଙ୍କ ମୃତଦେହକୁ କୁକୁର ଝୁଣି ଖାଉଥିବା ଦ୍ୟଶ୍ୟ ନେଇ ପରିବେଶବିତ୍ ସରୋଜ ଜେନା ଉଦ୍ବେଗ ପ୍ରକାଶ କରିଛନ୍ତି । ମତ୍ସ୍ୟଜୀବୀମାନେ ବନବିଭାଗର କେତେକ ଅସାଧୁ କର୍ମଚାରୀଙ୍କୁ ହାତବାରିସି କରି ବେଆଇନ ଟ୍ରଲର୍ ଚଳାଚଳ କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି । ଟ୍ରଲର ହେଉ ଅଥବା ଡଙ୍ଗାମାଡରେ କିମ୍ବା ଜାଲରେ ପଡି କଇଁଚଙ୍କ ମୁତୁ୍ୟ ହେଉଥିବା ବେଳେ ବନବିଭାଗ ନିଦାବିଷ୍ଣୁ ସାଜିଛି ବୋଲି ସେ ପ୍ରକାଶ କରିଛନ୍ତି ।
ସାଧାରଣତଃ ନଭେମ୍ବରରୁ ଅଲିଭରିଡ୍ଲେଙ୍କ ପୁରୀ ବେଳାଭୂମି ଆଗମନ ହୋଇଥାଏ । ନଭେମ୍ବର ଓ ଡିସେମ୍ବର ସେମାନଙ୍କ ମିଳନ ପର୍ବ ହୋଇଥିବା ବେଳେ ଫେବ୍ରୁଆରୀ ଶେଷ ଭାଗରେ ସେମାନେ କୂଳକୁ ଆସି ଅଣ୍ଡା ଦିଅନ୍ତି । କିନ୍ତୁ ଚଳିତ ଡିସେମ୍ବର ମାସ ଶେଷ ହେବାକୁ ବସିଲାଣି ପଛେ ବେଳାଭୂମିରେ କଇଁଛଙ୍କ ଚଳାଚଳ ଦେଖିବାକୁ ମିଳୁନାହିଁ । ପ୍ରତିବର୍ଷ ଏସମୟରେ ହଜାର ହଜାର ଅଲିଭରିଡ୍ଲେ ପୁରୀ ବେଳାଭୂମିକୁ ଆସୁଥିବା ବେଳେ ଏଥର ବ୍ୟତିକ୍ରମ ଦେଖା ଦେଇଛି । କିଛି ଦିନ ପୁର୍ବେ ପାନ୍ଥନିବାସ ବେଳଭୂମିରେ ଏକାଧିକ କଇଁଚ ମଡ଼କ ପଡିଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ବଳିଆପଣ୍ଡା ନିକଟରେ କେତେକ କଇଁଛ ମଡ଼କ ପଡିଥିବା ବେଳେ ଏହାକୁ କୁକୁରୁ ଝୁଣୁ ଖାଊଥିବା ଦେଖିବାକୁ ମିଳୁଛି । ବିଭାଗୀୟ କର୍ତ୍ତୃପକ୍ଷ କଇଁଛଙ୍କ ସୁରକ୍ଷା କେବଳ କାଗଜ କଲମରେ ସିମୀତ ରଖୁଥିବା ଦୃଢ଼ ଅଭିଯୋଗ ହେଉଥିବା ବେଳେ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର୍ ତଥା ଡଙ୍ଗା ଚଳାଚଳ ଉପରେ ବନ ବିଭାଗ କଡ଼ା ଦୃଷ୍ଟି ରଖିବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *