କାରଖାନାରେ ଦୁର୍ଘଟଣା ପରେ ଟିପ୍ପର ଚାଳକ ମୃତ

ସୁରକ୍ଷାରେ ତ୍ରୁଟି
କେନ୍ଦୁଝର (ଆପ୍ର): କାରଖାନା ପରିସରରେ ସୁରକ୍ଷାରେ ତୃଟି ଯୋଗୁଁ ଜଣେ ଟ୍ରକ ଚାଳକର ମୃତୁ୍ୟ ହୋଇଛି । ପୋଲିଓ ଏବଂ କାରଖାନା ଓ ବାଷ୍ପିତ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ଏସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟି୍ରଜ ପିଲେଟ ଏବଂ ବେନିଫିକେସନ କାରଖାନା ପରିସରରେ ଗତ ଗୁରୁବାର ଦିନ ସକାଳ ସମୟରେ ଏକ ଲୁହାପଥର ଗୁଣ୍ଡ ବୋଝେଇ ଟିପର ଦୁର୍ଘଟଣା ଘଟି ଟିପର ଚାଳକ ଙ୍କ ମୃତୁ୍ୟ ଘଟିଛି । କାରଖାନା ପରିସରରେ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଭିତରେ ଥିବା ରାସ୍ତା ବିପର୍ଯ୍ୟସ୍ତ ହୋଇଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାବେଳେ ଏବେ ଏକ ଦୁର୍ଘଟଣା ଘଟି ଜଣେ ଟିପର ଚାଳକ ଙ୍କ ମୃତୁ୍ୟ ଘଟିଛି । ମୃତ ଚାଳକ ଙ୍କ ନାମ ଛେଦି ମୁଣ୍ଡା ଏବଂ ବୟସ ୩୧ବର୍ଷ ବୋଲି ଜଣାପଡିଛି । ଏହାକୁ ନେଇ ବାମେବାରୀ ଥାନା ପୋଲିସ ଏକ କେସ ନଂ ୨୦୨ ଦଫା ୨୭୯, ୩୦୪ (ଏ) ଏକ ମାମଲା ରୁଜୁ କରିଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । କାରଖାନା ପରିସରରେ ବେପରୁଆ ଗାଡି ଚାଳନା ଯୋଗୁ ଗାଡି ଚାଳକ ର ମୃତୁ୍ୟ ହୋଇଥିବା ପୋଲିସ କହିଛି । କାରଖାନା ପରିସରରେ ଦୃତ ଗତିରେ ଗାଡି ଚଲାଉଥିଲେ ସୁରକ୍ଷା କର୍ମଚାରୀଙ୍କ ଭୂମିକା କୁ ନେଇ ପ୍ରଶ୍ନ ଉଠିଛି । କେନ୍ଦୁଝରସ୍ଥିତ ସହକାରୀ କାରଖାନା ଓ ବାଷ୍ପିତ ନିଦେ୍ର୍ଦଶାଳୟ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସହକାରୀ ନିଦେ୍ର୍ଦଶକ କାରଖାନା ଓ ବାଷ୍ପିତ ବିଭାଗର ଇଂ କେଦାର ନାଥ ହାଁସଦାଃ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
ଏହି ଘଟଣାକୁ ଭିନ୍ନ ମୋଡ ଦେଇ କାରଖାନା କର୍ତ୍ତୃପକ୍ଷଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଚାଲିଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କାରଖାନା ପରିସରରେ ଥିବା ରାସ୍ତାଘାଟ ଗୁଡିକ ସଠିକ ମାନର କରିବା ସହ ଶ୍ରମିକ ତଥା ଗାଡି ଚାଳକ ମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାର ବ୍ୟବସ୍ଥା ରହିଛି । ସେହିପରି କାରଖାନା ପରିସରରେ ଧୂଳି, ଧୂଆଁ ପ୍ରଦୂଷଣ ନିୟନ୍ତ୍ରଣ କରି ଦୁର୍ଘଟଣା ରୋକିବା ନେଇ ମଧ୍ୟ ପଦକ୍ଷେପ ନିଆଯାଇଥାଏ । ତେବେ ଏସବୁ ଅବ୍ୟବସ୍ଥା ତଦାରଖ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶ୍ରମ ବିଭାଗ, କାରଖାନା ଓ ବାଷ୍ପିତ ବିଭାଗ ଗସ୍ତ କରି ଯାଂଚ କରିଥାନ୍ତି । ତେବେ ଏହି କାରଖାନାରେ ସେ ସବୁ ଠିକ୍ ଭାବରେ ଯାଂଚ ହୋଇଛି କି ନାହିଁ ତାହାର ତଦନ୍ତ କରିବା ସହ ନିୟମିତ ରାସ୍ତାଘାଟ ସଫେଇ ଓ ଜଳସିଞ୍ଚନ କରାଯାଉନଥିବାରୁ ଗାଡି ଚଳାଚଳ ସମୟରେ ଧୂଳି ଉଡି ସମସ୍ୟା ଦେଖାଦେଇଥାଏ । ଏଣୁ ଏସବୁ ଦୃଷ୍ଟିକୋଣରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଡ୍ରାଇଭରକୁ କ୍ଷତିପୂରଣ ଦେଇ ନ୍ୟାୟ ଦେବାକୁ ଦାବି ହୋଇଛି । ଏନେଇ ବାମେବାରୀ ଥାନା ଅଧିକାରୀ ସ୍ୱରୂପ ରନ ନାୟକ କହିଛନ୍ତି ଯେ, ଘଟଣାକୁ ନେଇ କେସ କରାଯାଇ ତଦନ୍ତ ଚାଲିଛି । ସହକାରୀ ନିଦେ୍ର୍ଦଶକ କାରଖାନା ଓ ବାଷ୍ପିତ ବିଭାଗର ଇଂ କେଦାର ନାଥ ହାଁସଦାଃ ଙ୍କ ସହ ଯୋଗାଯୋଗ କରିବାରୁ କାରଖାନା ପରିସରରେ ଦୁର୍ଘଟଣାର ତଦନ୍ତ ଚାଲିଛି । ମାଲ ଗାଡିଗୁଡିକ କାରଖାନାରୁ ବାହାରିବା ସମୟରେ ଗାଡିର ଚକା ପାଣିରେ ଧୋଇବା ପାଇଁ ଯେଉଁ ବ୍ୟବସ୍ଥା ହେବା କଥା ତାହା ନାହିଁ । ଫଳରେ କାରଖାନା ଗାଡି ଯିବା ଆସିବା ସମୟରେ ଧୂଳି ଉଡି ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । କାରଖାନା ପରିସରରେ ଜଳସିଞ୍ଚନ ବ୍ୟବସ୍ଥା ମଧ୍ୟ ଠିକ୍ ଭାବରେ କାମ କରୁନଥିବା ଅଭିଯୋଗ ହୋଇଛି । କାରଖାନା ଭିତର ରାସ୍ତା ସଂପୂର୍ଣ୍ଣ ଭାବରେ ଗମନାଗମନ ଅନୁପଯୁକ୍ତ ହୋଇପଡିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାରଖାନା ଭିତର ରାସ୍ତାକୁ ପକ୍କା କରିବା ପାଇଁ ନିଦେ୍ର୍ଦଶନାମା ରହିଥିଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ ଦୀଘ ଦିନ ଧରି ଅଣଦେଖା କରୁଛନ୍ତି । ଯାହାଦ୍ୱାରା ଗାଡି ଚଳାଚଳ ସମୟରେ ପ୍ରବଳ ମାତ୍ରାରେ ଧୂଳି ଉଡି ଗୋଟିଏ ଗାଡି ଅନ୍ୟ ଗାଡିକୁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଦୁର୍ଘଟଣା ଆଶଙ୍କା ରହୁଛି । ଗାଡି ଚାଲିବା ଦ୍ୱାରା ଏତେ ମାତ୍ରାରେ ଧୂଳି ଉଡୁଛି ଯେ କାରଖାନାର କର୍ମଚାରୀମାନେ ମଧ୍ୟ କାରଖାନା ପରିସରରେ କାମ କରିବା ନିରାପଦ ମଣୁନାହାଁନ୍ତି । କାରଖାନା ଯାଞ୍ଚ ପାଇଁ ଶିଳ୍ପ ବିଭାଗ ଏକ କମିଟି ଗଠନ କରଛନ୍ତି । ଯାହାକୁ ସେଣ୍ଟ୍ରାଲ ଇନ୍ସପେକ୍ସନ କୋ-ଅଡିନେସନ ଗୃପ (ସିଆଇସିଜି) କୁହାଯାଉଛି । ଏହି ଗ୍ରୁପରେ ଶ୍ରମ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କାରଖାନା ଓ ବାଷ୍ପିତ ନିଦେ୍ର୍ଦଶାଳୟ କୁ ସାମିଲ କରାଯାଇଛି । କମ୍ପୁ୍ୟଟର ଜେନେରେଟେଡ ପ୍ରୋଗ୍ରାମ ଅନୁସାରେ ଏହାର ଅଧିକାରୀମାନେ ବିଭିନ୍ନ କଳକାରଖାନା ପରିଦର୍ଶନ କରିବାର ନିୟମ ରହିଛି । କିନ୍ତୁ ଶିଳ୍ପ ବିଭାଗର ଏହି ମହତ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାରେ ଫେଲ ମାରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *