ରାହୁଲ ସଦ୍ଦାମ ହୁସେନ ଭଳି ଦିଶୁଛନ୍ତି: ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟୀ (ଏଜେନ୍ସି): ଭାରତ ଯୋଡ଼ ଯାତ୍ରା କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଇରାକ୍ର ପୂର୍ବତନ ଏକଛତ୍ରବାଦୀ ଶାସକ ସଦାମ୍ ହୁସେନ ଭଳି ଦେଖାଯାଉଥିବା ତାଚ୍ଛଲ୍ୟ କରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ସଦାମ ହୁସେନଙ୍କ ପରିବର୍ତ୍ତେ ନିଜର ଚେହେରାକୁ ସର୍ଦ୍ଦାର ପଟେଲ, ଜବାହରଲାଲ ନେହରୁ କିମ୍ବା ମହାତ୍ମା ଗାନ୍ଧିଙ୍କ ଭଳି କଲେ ଭଲ ବୋଲି ମଧ୍ୟ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଛନ୍ତି । ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଚି ଯାଇଛି । ପଦଯାତ୍ରା ସମୟରେ ଅନେକ ଲୋକ ରାହୁଲଙ୍କୁ ସମର୍ଥନ କରୁଛନ୍ତି । ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାବେଳେ ରାହୁଲ ଗାନ୍ଧି ନିଜର ଦାଢ଼ି ଓ ଚୁଟି ମଧ୍ୟ ନ କାଟି ବଢ଼ାଇବାରେ ଲାଗିଛନ୍ତି । ତାଙ୍କର ଏପରି ରୂପକୁ ଦେଖି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି ।
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅହମ୍ମଦାବାଦରେ ପ୍ରଚାର କରିବାକୁ ଯାଇଥିବା ବିଶ୍ୱଶର୍ମା ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି, ମୁଁ ବର୍ତ୍ତମାନ ଦେଖିବାକୁ ପାଇଲି ଯେ ତାଙ୍କ (ରାହୁଲ ଗାନ୍ଧି) ଚେହେରା ବଦଳି ଗଲାଣି । ନିକଟରେ ଗୋଟିଏ ଟିଭି ଚାନେଲରେ ମୁଁ କହିଥିଲି ଯେ ତାଙ୍କ ନୂଆ ଲୁକ୍ରେ କୌଣସି ପ୍ରକାରର ଅସୁବିଧା ନାହିଁ । କିନ୍ତୁ ଯଦି ଆପଣ ନିଜର ଲୁକ୍ ବଦଳାଉଛନ୍ତି, ତା’ହେଲେ ଏହାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିମ୍ବା ନେହରୁଙ୍କ ଭଳି କରନ୍ତୁ । ଗାନ୍ଧିଜୀଙ୍କ ଭଳି ଦେଖାଗଲେ ବି ବହୁତ ଭଲ । ହେଲେ କାହିଁକି ଆପଣଙ୍କ ଚେହେରା ସଦାମ ହୁସେନଙ୍କ ଭଳି ବଦଳି ଯାଉଛି? ଏହାର କାରଣ ହେଉଛି କଂଗ୍ରେସର ସଂସ୍କୃତି ଭାରତୀୟ ଲୋକଙ୍କ ସହ ନିକଟତର ନୁହେଁ । ଯେଉଁମାନେ ଭାରତକୁ ବୁଝି ନାହାନ୍ତି, ସେମାନଙ୍କ ସଂସ୍କୃତି ସହ କଂଗ୍ରେସର ସଂସ୍କୃତି ବେଶ ନିକଟତର ।
ସେ ଆହୁରି ଦାବି କରିଛନ୍ତି, ରାହୁଲ ଗାନ୍ଧି ତାଙ୍କ ଯାତ୍ରାବେଳେ ହିମାଚଳ ପ୍ରଦେଶ ଯାଇ ନଥିଲେ । ସେଠାରେ ନିକଟରେ ନିର୍ବାଚନ ହୋଇଥିଲା । ସେ ଗୁଜରାଟରେ ମଧ୍ୟ ନିଜ ଯାତ୍ରା କରୁ ନାହାନ୍ତି । ଯେଉଁ ରାଜ୍ୟରେ ନିର୍ବାଚନ ନାହିଁ, ସେଠାରେ ହିଁ ସେ ଫୋକସ୍ କରୁଛନ୍ତି । କାରଣ ସେ ଜାଣିଛନ୍ତି, ସେ ଯେଉଁଠିକି ଯିବେ ସେଠାରେ କଂଗ୍ରେସ ହାରିବ ।