ମୋଦିଙ୍କ କୂଟନୈତିକ ବାଜିମାତ୍
ବାଲୀ, ୧୫ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡୋନେସିଆର ବାଲୀ ଠାରେ ଅନୁଷ୍ଠିତ ଜି-୨ଠ ଶିଖର ସମ୍ମିଳନୀରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ସମାପ୍ତି ପାଇଁ କୂଟନୈତିକ ପଦକ୍ଷେପ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଆମେରିକା ଓ ପଶ୍ଚିମ ଦେଶମାନେ ରୁଷ୍ ପ୍ରତି ଭାରତର ନିଷ୍ପକ୍ଷ ନୀତିକୁ ନିନ୍ଦା କରି ଆସୁଥିବା ବେଳେ ମୋଦି ସେପ୍ଟେମ୍ବରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ସ୍ପଷ୍ଟ ଭାବେ କହିଥିଲେ, ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ । ଏହାଦ୍ୱାରା ସେ ବିଶ୍ୱ ସମୁଦାୟଙ୍କୁ ଜଣାଇ ଦେଇଥିଲେ ଯେ ଭାରତ ଯୁଦ୍ଧ ବିରୋଧୀ । ଦୁନିଆର ଯେକୌଣସି ସମସ୍ୟାର ସମାଧାନ କେବଳ ଆଲୋଚନା ମାଧ୍ୟମରେ ସମ୍ଭବପର ବୋଲି ଭାରତର ମତ ।
ମଙ୍ଗଳବାର ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡନ ଓ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍ଙ୍କ ଆଗରେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ । ସେ କହିଲେ, ଶାନ୍ତି, ସଦ୍ଭାବ ଓ ସୁରକ୍ଷା ସୁନିଶ୍ଚିତ କରାଇବା ପାଇଁ ବିଶ୍ୱ ସମୁଦାୟଙ୍କୁ ସାମୂହିକ ସଂକଳ୍ପ ଦେଖାଇବାକୁ ହେବ । ଏହା ହିଁ ସମୟର ଆହ୍ୱାନ ।
ଫେବ୍ରୁଆରୀରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ଆରମ୍ଭ କରିଥିଲା । ତା’ପରେ ପ୍ରଥମ ଥର ପାଇଁ ଜି-୧ଠ ରାଷ୍ଟ୍ର ସଂଘ ନେତାମାନଙ୍କର ପ୍ରଥମ ବୈଠକ ବାଲୀରେ ଅନୁଷ୍ଠିତ ହୋଇଛି । ମୋଦି ଏହି ଶିଖର ସମ୍ମିଳନୀରେ ଯାହା କହିଲେ ସେଥିରେ ୨ଠ୨୩ର ଜି-୨ଠ ବୈଠକର ଏଜେଣ୍ଡା ପ୍ରଚ୍ଛନ୍ନ ଭାବେ କୁହାଯାଇଛି । ତା’ ସହିତ ପ୍ରଧାନମନ୍ତ୍ରୀ ଭାରତର ବିଦେଶ ନୀତିର ଏକ ଚିତ୍ର ଉପସ୍ଥାପନ କରିଛନ୍ତି । ଭାରତ କୌଣସି ପରିସ୍ଥିତିରେ ଯୁଦ୍ଧର ସମର୍ଥକ ନୁହେଁ ବୋଲି ପ୍ରତ୍ୟକ୍ଷରେ ମୋଦି ଜି-୨ଠ ସଦସ୍ୟମାନଙ୍କୁ ଜଣାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨ଠ୨୩ରେ ଭାରତ ଜି-୨ଠର ଅଧ୍ୟକ୍ଷତା କରିବ ।
ଜି-୨ଠ ସମ୍ମିଳନୀ ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଅଳ୍ପ ସମୟ ପାଇଁ ଦେଖାସାକ୍ଷତ ହୋଇଛି । ଡିନର୍ ଇଭେଣ୍ଟ୍ରେ ଦୁଇ ନେତା ହାତ ମିଳାଇଥିଲେ । ୨ଠ୨ଠର ଗଲୱାନ ଘାଟି ସଂଘର୍ଷ ପରେ ପ୍ରଥମ ଥର ପାଇଁ ମୋଦି ଓ ଜିନ୍ପିଙ୍ଗ୍ ମୁହାଁମୁହିଁ ଭେଟିଛନ୍ତି । ଜି-୨ଠ ସମ୍ମିଳନୀ ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ଆଶା କରାଯାଉଛି ।