ଶିଳ୍ପାୟନ ଭିତ୍ତିଭୂମି ବିକାଶ କାର୍ଯ୍ୟଯୋଜନା ଅନୁମୋଦିତ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଅଧିକ ଶିଳ୍ପାୟନ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ ମିଳିଛି ।
ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ନିଦ୍ଧାରଣ ନିମନ୍ତେ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦ୍ୱୀପ, ଝରସୁଗୁଡା, ଓ ରାୟଗଡା ଶିଳ୍ପାଞ୍ଚଳର ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ନେଇ ବ÷ଷୟିକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦୮.୬୭ କୋଟି ଟଙ୍କା ଆକଳନରେ ୧୮ ଟି ପ୍ରକଳ୍ପ ପାଇଁ ସୁପାରିଶ କରିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ସଡ଼କ ଯୋଗାଯୋଗ, ବାହ୍ୟ ଜଳଯୋଗାଣ ଏବଂ ଭଣ୍ଡାର ଘର ନିର୍ମାଣ ପ୍ରକଳ୍ପ ଅନୁମୋଦିତ ହୋଇଛି । ଇଡ୍କୋର ୩୦୨.୯୫ କୋଟି ଟଙ୍କା ଆକଳନରେ ୧୨ ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୮୬.୬୪ କୋଟି ଟଙ୍କା ଆକଳନରେ ୪ ପ୍ରକଳ୍ପ, ଏବଂ ଓଡ଼ିଶା ରାଜ୍ୟ ଓୟାର ହାଉସିଂ ନିଗମର ୧୯.୦୮ ଆକଳନରେ ୨ ପ୍ରକଳ୍ପ ରହିଛି । ପ୍ରକଳ୍ପଗୁଡିକ ମୁଖ୍ୟତଃ କଳାହାଣ୍ଡି, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନବରଙ୍ଗପୁର, ପୁରୀ ଜିଲ୍ଲାରେ ନିର୍ମାଣ କରାଯିବ ।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ, ପ୍ରକଳ୍ପଗୁଡିକ ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ହୋଇଥିବାରୁ ପୁଞ୍ଜି ନିବେଶ ଲାଗି ସ୍ୱତନ୍ତ୍ର ସହାୟତା ସ୍କିମ୍ ଅନ୍ତର୍ଭୁକ୍ତ ହୋଇପାରିବ । ଅନୁମୋଦିତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ଗତି-ଶକ୍ତି ପୋଟାଲରେ ଅପ୍ଲୋଡ୍ କରିବାକୁ ମୁଖ୍ୟ ସଚିବ ନିଦେ୍ର୍ଦଶ ଦେଇଥିଲେ । ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।