ମାତୃଭାଷାରେ ଶିକ୍ଷା ବଢ଼ାଏ ଦକ୍ଷତା
ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୧୧ା୧୧ (ବୁ୍ୟରୋ): ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବାପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ । ମାତୃଭାଷାରେ ଶିକ୍ଷାଦାନଦ୍ୱାରା ଉକ୍ରୃଷ୍ଟ ଶିକ୍ଷା ପ୍ରାପ୍ତି ସହ ସଂସ୍କୃତି ସହ ପରିଚିତ କରାଇଥାଏ । ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ପାଇଥାଏ । ଓଡ଼ିଆ ଜାତିର ଅତୀତ ବୈଷୟିକ ଜ୍ଞାନକୌଶଳ ସହ ଜଡିତ ଥିବାରୁ ଓଡିଆ ଭାଷାରେ ବେଷୟିକ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେବ ନାହିଁ । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ବାଧାବନ୍ଧନ ଶୂନ୍ୟ କରିବା ପାଇଁ ଆମେ ଚେଷ୍ଟା କରିବା । ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନ ହେବେ ତାହା ବି ଦେଖିବା । ଶୁକ୍ରବାର ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି କହିଛନ୍ତି । ମାତୃଭାଷାରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ କରିଥିବାରୁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମକୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏଥିସହ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ପୁସ୍ତକ ପ୍ରଦାନ କରିଥିଲେ ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ପ୍ରାୟ ଶତାଧିକ ଶିକ୍ଷାବିତ ଗବେଷକଙ୍କ ସହାୟତାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ୨୦ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ଉନ୍ମୋଚନ କରିବା ସହ ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲ “ଇ-କୁମ୍ଭ’ ଲୋକାର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏଆଇସିଟିର ଅଧ୍ୟକ୍ଷ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଅବସର ବେଉରିଆ ପ୍ରମୁଖ ଯୋଗଦେଇଥିଲେ ।
ଅନ୍ୟପଟେ ରାଜ୍ୟରେ ଇଞ୍ଜିନିୟରିଂ ପାଠପଢ଼ାର ଓଡିଆ ମାଧ୍ୟମକୁ ଏଆଇସିଟିଇ ଓ ସିଏସଟିଟିର ଅବଦାନକୁ ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷଠାରୁ ରାଜ୍ୟରେ ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା ହେବାକୁ ଯାଉଥିବାବେଳେ ଏଆଇସିଟିଇ ଓ ସିଏସଟିଟିର ସହଯୋଗରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପ୍ରଥମ ବର୍ଷ ବି-ଟେକ ଓ ଡିପ୍ଲୋମା ଲାଗି ପୁସ୍ତକ ପ୍ରକାଶ କରିଛନ୍ତି । ଏହା ଓଡ଼ିଆ ଶିକ୍ଷା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ । ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ-ଏଆଇସିଟିଇର ଓଡ଼ିଆରେ ଇଞ୍ଜିନିୟରିଂ ବହିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସେହିପରି ୩ ଭଲୁ୍ୟମର ପୁସ୍ତକରେ ପ୍ରାୟ ୫୦ ହଜାର ଟର୍ମିନୋଲଜିର ପରିପ୍ରକାଶ କରିଥିବା “କମିଶନ ଫର ସାଇଣ୍ଟିଫିକ ଆଣ୍ଡ ଟେକ୍ନିକାଲ ଟର୍ମିନୋଲଜି’ (ସିଏସଟିଟି)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ ମଧ୍ୟ ସାରାଦେଶର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ରାଜ୍ୟ ସରକାର ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ମାତୃଭାଷାରେ ସିଭିଲ ସର୍ଭିସ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସ୍କୁଲ ଓ କଲେଜର ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ ଲାଗି ପଦକ୍ଷେପ ନିଆଯାଇଛି । ଯାହା ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଦିଗରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନ ଓଡ଼ିଆ ଜନମାନସ ଓ ଓଡ଼ିଆ ଭାଷା ପାଇଁ ସ୍ମରଣୀୟ ଦିନ ହୋଇ ରହିବ । ଏଭଳି ଏକ ସାରସ୍ୱତ ସମାରୋହରେ ଜଣେ ଓଡ଼ିଆ ଭାବେ ରାଷ୍ଟ୍ରପତି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର (ଆଇଓଏସଆର)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ (ସିଏସଟିଟି) ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷକୁ ଉନ୍ମୋଚନ ହେବା ଓଡିଆଙ୍କ ପାଇଁ ଗୌରବର ବିଷୟ । ‘ଜାତୀୟ ଶିକ୍ଷା ଦିବସ’ ଅବସରରେ ମାର୍ଗଦର୍ଶନ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରୁ ଜାତୀୟ ଶିକ୍ଷା ନୀତି(ଏନଇପି) ଲାଗୁ ହୋଇଛି । ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ । ଆମ ଶିକ୍ଷା ବ୍ୟବସ୍ଥାକୁ ଭାରତୀୟ ଆତ୍ମା ସହ ଯୋଡିବା ପାଇଁ ହେଲେ ମାତୃଭାଷା ଓ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦେବାକୁ ହେବ । ଜାତୀୟ ଶିକ୍ଷା ନୀତିର ପରାମର୍ଶ କ୍ରମେ ଇଞ୍ଜିନିୟରିଂ କଲେଜର ପାଠ୍ୟକ୍ରମର ଦାୟିତ୍ୱ ସମ୍ଭାଳିଥିବା ଏଆଇସିଟିଇ ଏବଂ ଆଇଓଏସଆର ମିଳିତ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ବର୍ଷ ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ୨୦ ବିଷୟକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଶିକ୍ଷାବିତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହେଉଥିବାରୁ ଏହି ଦିନ ଓଡ଼ିଶା ଇତିହାସ ପୃଷ୍ଠାରେ ଲମ୍ବା ସମୟ ଧରି ଲିପିବଦ୍ଧ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୧୮ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବାପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇଓଏସଆର) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ସେହି ଅନୁସାରେ ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବାପାଇଁ ମାତ୍ର ଛଅ ମାସ ମଧ୍ୟରେ ସମାପ୍ତ କରିବା ସହ ହିନ୍ଦୀ ପରେ ଦ୍ୱିତୀୟ ଭାରତୀୟ ଭାଷା ଭାବରେ ଓଡିଆ ଭାଷାରେ ପୁସ୍ତକ ପ୍ରସ୍ତୁତି ଶେଷ ହୋଇଥିଲା । ଏହାଦ୍ୱାରା ଇଂରାଜୀ ଅନଭ୍ୟସ୍ତ ତଥା ଅପହଞ୍ଚ ଅଞ୍ଚଳର ପଢ଼ୁଥିବା ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଭଲ ଭାବରେ ବୁଝିବା ସହ ଏହି ପଦକ୍ଷେପ ଦ୍ୱାରା ଉପକୃତ ହେବେ ।
