୨୫ଠ କୋଟିରେ ଶକ୍ତି ସୁଗର୍ସ ହେବ କାର୍ଯ୍ୟକ୍ଷମ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟର ସର୍ବବୃହତ ଚିନି କାରଖାନା ଶକ୍ତି ସୁଗର୍ସ କାରଖାନାକୁ ଚେନାଇ ସ୍ଥିତ ଇଣ୍ଡିଆନ ପୋଟାସ୍ ଲିମିଟେଡ ୧୩୪କୋଟି ୧୦ଲକ୍ଷ ଟଙ୍କାରେ କ୍ରୟ କରିବା ପରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଶକ୍ତି ସୁଗର୍ସ କମ୍ପାନୀ ପରିସରରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଛି । କମ୍ପାନୀର ବରିଷ୍ଠ ଅଧିକାରୀଗଣଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୂଚନା ଦେବାକୁ ଯାଇ ଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ଇଣ୍ଡିଆନ୍ ପୋଟାସ୍ ଚିନିରେ ନିଜର ଶିଳ୍ପକୁ ବୃଦ୍ଧି କରିବାପାଇଁ ଶକ୍ତି ସୁଗର୍ସକୁ କ୍ରୟ କରିଥିବା ପ୍ରକାଶ କରିଥିଲେ । କମ୍ପାନୀର ସମ୍ପ୍ରସାରଣ ଓ ଆନୁଷ୍ଠାନିକ ଉନ୍ନତି ନିମନ୍ତେ ୨୫୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ପ୍ରକାଶ କରିଥିଲେ । ଆଖୁପେଡାର କ୍ଷମତା ବୃଦ୍ଧି, ନୂତନ ରିଫାଇନିଂ ପ୍ରତିଷ୍ଠା ଓ କୃଷକମାନଙ୍କୁ ନୂତନ ଜ୍ଞାନ କୌଶଳ ଚାଷ ନିମନ୍ତେ ଦିଆଯିବବୋଲି ସେ ପ୍ରକାଶ କରିଥିଲେ । ମାତ୍ର ଏଠାରେ ପ୍ରଶ୍ନ ଉଠେ ଯେ ୧୯୯୨ ମସିହାରେ ସହର ଉପକଣ୍ଠ ହରିପୁରଠାରେ ଶକ୍ତି ସୁଗର୍ସ ସଂସ୍ଥା ପକ୍ଷରୁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ୧୯୯୪-୯୫ ମସିହାରେ କାରଖାନା ତାର ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରିଥିଲା । ରାଜ୍ୟର ବୃହତ ଚିନି କାରଖାନାଟି ହରିପୁର ନିକଟରେ ପ୍ରାୟ ୧ଶହ ଏକର ଜମିରେ ସ୍ଥାପନ କରାଯାଇଥିବା ବେଳେ ୧ଶହ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ବାର୍ଷିକ ୫ଶହ କୋଟି ଟଙ୍କାର ବ୍ୟବସାୟ କରୁଥିବା ଏହି କାରଖାନା ପ୍ରତି ବର୍ଷ ୧୯ ହଜାର ଟନ ଆଖୁପେଡିବାର ବ୍ୟବସ୍ଥା କରିଥିଲା । ବାର୍ଷିକ ୨୫ଶହ ମେଟି୍ରକ ଟନ ଚିନି ଉତ୍ପାଦନ ସହିତ ଏହି କାରଖାନାରୁ ୧୯୯୬ ମସିହାରେ ଆଲକହଲ ଉତ୍ପାଦନ କରିଥିଲା । ଏହା ସହିତ ଏହି କାରଖାନାରୁ ମୋଲାସସ ଉତ୍ପାଦନ ସହିତ ଜୈବଖତ, ଚିନି, ସୋୟାବିନ, ସିରିଲସ ଆଦି ଉତ୍ସାଦନ କରାଯାଇ ରପ୍ତାନୀ କରାଯାଉଛି ।
ଏହି କାରଖାନା ସ୍ଥାପନା ହେବା ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଚାଷୀ ଆଖୁଚାଷ କରି ଲାଭବାନ ହେବାସହିତ ସ୍ୱାବଲମ୍ବି ହୋଇପାରୁଥିଲେ । ଆଖୁ ଚାଷ ପାଇଁ କାରଖାନା ତରଫରୁ ବିଭିନ୍ନ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇ ଚାଷୀମାନଙ୍କୁ ଜଳ ଯୋଗାଣ ମଧ୍ୟ କରାଯାଉଥିଲା ।ଶକ୍ତି ସୁଗର୍ସ କାରଖାନାଦ୍ୱାରା ପ୍ରତ୍ୟକ୍ଷ ଭାବରେ ଦୁଇ ଶହ ଶ୍ରମିକ ଉପକୃତ ହେଉଥିବାବେଳେ ପରୋକ୍ଷରେ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ସେହିପରି ଆଖୁଭଳି ଲାଭଜନକ ଫସଲ ଉତ୍ପାଦନ କରି ଢେଙ୍କାନାଳ ସହିତ କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଅନ୍ୟାନ୍ୟ ଜିଲ୍ଳାର ଚାଷୀମାନେ ଉପକୃତ ହେଉଛନ୍ତିି । ଏହି ଅବସରରେ ଆଇପିଏଲର ବରିଷ୍ଠ ଅଧିକାରୀ କହିଥିଲେ ଯେ ଓଡିଶାରେ କୃଷ୍ି କ୍ଷେତ୍ରର ବିକାଶ ହେଉଛି । ଏହାର ଅଭିବୃଦ୍ଧି, ବିକାଶ, ସମ୍ପ୍ରସାରଣ ସହିତ ଏହାର କ୍ଷମତା ବୃଦ୍ଧି କରିବା ପାଇଁ ଆଇପିଏଲ ୨୫୦ କୋଟି ଟଙ୍କା ଗଛିତ ରଖିଛି । କୃଷକ ମାନଙ୍କର ବିକାଶ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷିର ବିକାଶ କରାଯିବ । ନୂତନ ପଦ୍ଧତିରେ ଆଖୁଚାଷ ସହିତ ଏକ ବିଶୋଧନ କେନ୍ଦ୍ର ସ୍ଥାପନ କରିବାକୁ କହିଥିଲେ । କୃଷକମାନଙ୍କର ସମସ୍ୟାକୁ ଉକ୍ତ କମ୍ପାନୀ କେତେଦୂର ସମାଧାନ କରିପାରୁଛି ତାହା ଦେଖିବାକୁ ବାକି ରହିଲା ।