ତୁରନ୍ତ ଫସଲବୀମା ଅର୍ଥ ଦିଅ

ଭୁବନେଶ୍ୱର (ବୁ୍ୟରୋ): ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି । ଚାଷୀଭାଇ ଓ ଭଉଣୀଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ ଅନ୍ୟ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀଙ୍କ ପାଇଁ ବିପଦ ହ୍ରାସ କରିବାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏନ୍ଡିଆର୍ଏଫ୍ / ଏସ୍ଡିଆର୍ଏଫ୍ ନିୟମ ଅନୁଯାୟୀ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯାଉଛି ।
୨୦୧୬ରୁ ରାଜ୍ୟ ସରକାର ଏହି ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବୈଷୟିକ ହସ୍ତକ୍ଷେପ ଗ୍ରହଣ କରାଯାଉଛି । ଉଲ୍ଲେଖଯୋଗ୍ୟ, ପ୍ରିମିୟମ୍ ସବ୍ସିଡିର ଅର୍ଥରାଶି ପ୍ରତିବର୍ଷ ବଢ଼ୁଥିବା ସତ୍ତ୍ୱେ ବୀମା କମ୍ପାନୀଗୁଡ଼ିକୁ ପ୍ରିମିୟମ୍ ସବ୍ସିଡି ଅର୍ଥରାଶି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ସବୁବେଳେ ନିର୍ଦ୍ଧାରିତ ସମୟସୀମାକୁ ମାନି ଆସିଛନ୍ତି । ୨୦୨୧ ଖରିଫ୍ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ ବୀମା ୟୁନିଟ୍ରେ ଫସଲ କଟା ଉପରେ ଆପତ୍ତି ଉଠାଇ ଥିଲେ ଓ ଚାଷୀଙ୍କ ବୀମା ଦାବିକୁ ଅଟକାଇ ରଖିଥିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ ବୀମା ୟୁନିଟ୍ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ଯଦିଓ ରାଜ୍ୟ ସରକାର ସମସ୍ତ ବୀମା ୟୁନିଟ୍ ସମ୍ବନ୍ଧୀୟ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ, ତଥାପି ଅବଶିଷ୍ଟ ୨୨୫ ବୀମା ୟୁନିଟ୍ ସମ୍ବନ୍ଧୀୟ ବୀମା ରାଶି ପ୍ରଦାନକୁ ବୀମା କମ୍ପାନୀ ଅଟକାଇ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିକୁ ଲେଖିଥିଲେ ।
ଏହି ୨୨୫ ମାମଲା ମଧ୍ୟରୁ ବୈଷୟିକ ପରାମର୍ଶଦାତା କମିଟି ୧୮୯ ମାମଲାର ଶୁଣାଣି ନଭେମ୍ବର ୩ ତାରିଖ ଦିନ କରିଛି ଓ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବୈଠକରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟର ଅନେକ ଚାଷୀଙ୍କ ସମସ୍ୟାର ସମାଧାନ କରୁନାହିଁ । ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଜଣାଇଥିଲେ ।
ବୀମା ରାଶି ପାଇବାରେ ଅହେତୁକ ବିଳମ୍ବ ଚାଷୀଙ୍କ ଚାଷକାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ବିଶେଷକରି କୋଭିଡ୍-୧୯ ମହାମାରୀର ଆର୍ଥିକ ଦୁରବସ୍ଥାରୁ ମୁକୁଳିବା ପାଇଁ ଚାଷୀକୁଳ ପ୍ରୟାସ କରୁଥିବାବେଳେ ବୀମା କମ୍ପାନୀଙ୍କ ଏତାଦୃଶ ଚାଷୀ ବିରୋଧୀ ପଦକ୍ଷେପ ଅନେକ ଜିଲ୍ଲାରେ କ୍ରମାଗତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ୨୦୨୨ ଖରିଫ୍ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଚାଷୀଙ୍କ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି । ଖରିଫ ୨୦୨୧ ସମୟରେ ୧୦ ଲକ୍ଷ ୫୦ ହଜାର ହେକ୍ଟର ଚାଷ ଜମି ପାଇଁ ୧୨ ଲକ୍ଷ ୨୯ ହଜାର ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୨୦୨୨ ଖରିଫ ସମୟରେ ୯ ଲକ୍ଷ ୫୮ ହଜାର ଚାଷ ଜମି ପାଇଁ ୧୧ ଲକ୍ଷ ୪୯ ହଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *