ଦେଶର ପ୍ରଥମ ମତଦାତାଙ୍କ ପରଲୋକ
ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର
ସିମଳା, ୫ା୧୧: ସ୍ୱାଧୀନ ଭାରତର ପ୍ରଥମ ଭୋଟର ମାଷ୍ଟର ଶ୍ୟାମଶରଣ ନେଗୀଙ୍କର ଶନିବାର ସକାଳେ ୧ଠ୬ ବର୍ଷ ବୟସରେ ପରଲୋକ ଘଟିଛି । ନେଗୀ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ଅନ୍ତର୍ଗତ କଲ୍ପାର ଅଧିବାସୀ ଥିଲେ । ୨ ଦିନ ପୂର୍ବେ ସେ ପୋଷ୍ଟାଲ୍ ବାଲଟ୍ ଜରିଆରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେଇଥିଲେ ।
ନେଗୀ ୧୯୫୧-୫୨ ନିର୍ବାଚନରେ ପ୍ରଥମେ ଭୋଟ୍ ଦେଇଥିଲେ । ତାହା ଥିଲା ଦେଶର ପ୍ରଥମ ନିର୍ବାଚନ । ୧ଠ୬ ବର୍ଷ ଭିତରେ ସେ ୩୪ଥର ଭୋଟ୍ ଦେଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ୧୯୫୨ ଫେବ୍ରୁଆରୀରେ ହୋଇଥିଲା । କିନ୍ତୁ ହିମାଚଳ ପ୍ରଦେଶର ସୁଦୂର ଆଦିବାସୀ ଇଲାକାରେ ପ୍ରତିକୂଳ ପାଗ ଯୋଗୁଁ ମତଦାନ ଅସମ୍ଭବ ଥିଲା । ସେଥିଲାଗି ୫ ମାସ ପୂର୍ବରୁ ଅର୍ଥାତ୍ ୧୯୫୧ ମସିହା ଅକ୍ଟୋବର ୨୩ ତାରିଖ ଦିନ ଭୋଟିଂ କରାଗଲା । ସେତେବେଳେ ନେଗୀ ସ୍କୁଲ୍ରେ ଶିକ୍ଷକତା କରୁଥିବାରୁ ନିର୍ବାଚନ ଡୁ୍ୟଟିରେ ଥିଲେ । ଏହି କାରଣରୁ ସେ ସେଦିନ ସକାଳ ୭ଟାବେଳେ କଲ୍ପା ପ୍ରାଥମିକ ସ୍କୁଲ୍ରେ ପହଞ୍ଚô ସର୍ବପ୍ରଥମେ ଭୋଟ୍ ଦେଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ବ୍ୟକ୍ତିଗତ ଭାବେ ଅନ୍ତିମ ସଂସ୍କାରରେ ସାମିଲ୍ ହେବାପାଇଁ ନେଗୀଙ୍କ ପୈତୃକ ଗ୍ରାମରେ ପହଞ୍ଚôଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ।