କଂଗ୍ରେସ ଘୋଷଣା କଲା ‘ପ୍ରତିଜ୍ଞା ପତ୍ର’

ହିମାଚଳ ବିଧାନସଭା ନିର୍ବାଚନ
ଶିମଲା (ଏଜେନ୍ସି): ଆସନ୍ତା ୧୨ରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସବୁ ରାଜନୈତିକ ଦଳ ଏବେ ନିଜ ହିସାବରେ ରଣନୀତି ପ୍ରସ୍ତୁତି କରିବା ସହ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଭୋଟରଙ୍କୁ ପ୍ରଲୋଭିତ କରି ନିଜ ଆଡକୁ ଆକୃଷ୍ଟ କରିବା ଦିଗରେ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ଶନିବାର କଂଗ୍ରେସ ପକ୍ଷରୁ ଏଠାରେ ୧ଠ ଦଫା ପ୍ରତିଶ୍ରୁତି ବିଶିଷ୍ଟ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି । କଂଗ୍ରେସ ଏହାକୁ ପ୍ରତିଜ୍ଞା ପତ୍ର ଭାବେ ଅଭିହିତ କରିଛି ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଏଆଇସିସି ଇନ୍ଚାର୍ଜ ରାଜୀବ ଶୁକ୍ଳା, ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ କଂଗ୍ରେସ ଏହି ପ୍ରତିଜ୍ଞା ପତ୍ର’କୁ ସାର୍ବଜନୀନ କରିଛି । ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମୁଖ୍ୟତଃ ଦରବୃଦ୍ଧି, ବେକାରୀ ଓ ସରକାରୀ ଚାକିରିଆଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତା’ର ସମାଧାନ କରାଯିବ ବୋଲି କହିଛି । ମହିଳା, ଯୁବବର୍ଗ, ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଆଶା ଓ ଆକାଂକ୍ଷାକୁ ଏଥିରେ ଗୁରୁତ୍ୱ ଦିଆଯାଇଥିବା ଧନୀ ରାମ ଶାଣ୍ଡିଲ କହିଛନ୍ତି ।
ଦିନକ ପୂର୍ବେ କାଙ୍ଗଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ୍ ବୈଠକରେ ୧ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଏତଦ୍ବ୍ୟତୀତ କଂଗ୍ରେସ ସରକାର ଗଠନ କଲେ ଅଗ୍ନିବୀର ପ୍ରକ୍ରିୟାକୁ ମଧ୍ୟ ଉଚ୍ଛେଦ କରାଯିବ । ଏତଦ୍ବ୍ୟତୀତ ରାଜ୍ୟର ସମସ୍ତ ଠିକା କର୍ମ·ରୀଙ୍କୁ ଦୁଇ ବର୍ଷ ମଧ୍ୟରେ ନିୟମିତ କରାଯିବ ବୋଲି ମଧ୍ୟ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ସବୁଠୁ ବଡ଼ କଥା, ରାଜ୍ୟରେ ‘ଯୁବ କମିଶନ’ ଗଠନ କରିବାକୁ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *