ଡାକ୍ତର ଅଭାବରୁ ରୋଗୀସେବା ବ୍ୟାହତ
ସମସ୍ୟାରେ ଜର୍ଜରିତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଆସିକା (ଆପ୍ର): ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଲାଗି ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଉକ୍ତ ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ । ଆସିକା ବ୍ଲକ ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିସିରା ସମେତ କମାଗଡ଼, ସାପୁଆପଲ୍ଲୀ, ଅସୁରାଇପଲ୍ଲୀ, ବେଣାପାଟ, ନୁଆଁପଲ୍ଲୀ, କେଶପୁର, ରାଙ୍କୁଡା, ନିମିନା, ଖଣ୍ଡରାବଳୀ, କେନ୍ଦୁପଦର, ଚାଟୁଳା, ବାଙ୍ଗରଡା, ପଣସପଲ୍ଲୀ, ଖୁକୁଣ୍ଡିଆ, ମୁନିଗାଡି, ସିଙ୍ଗିପୁର, ବନ୍ଥପଲ୍ଲୀ, କେଶରାପଲ୍ଲୀ, ମାଳତୀ, କଳାସୁତା, ଝାଡବନ୍ଧ, ପଣିବନ୍ଧ, ଦିଗି, ବାଡୁଳା, ସାହାସପୁର, ଝରପାରି, ଗାଇତାଶାସନ, ଗୋଳାବନ୍ଧପଲ୍ଲୀ, ଦନ୍ତାରିବଗଡ, କିଶୋରଚନ୍ଦ୍ରପଲ୍ଲୀ, ଗୁଣ୍ଠପଡା ସମେତ ଆଖପାଖ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗ୍ରାମର ଲୋକେ ନିର୍ଭର କରିଆସୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ରୋଗୀସେବା ବ୍ୟାହତ ହେଉଛି । ୨୦୧୦ରେ ଉକ୍ତ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଥିଲେ ମଧ୍ୟ ରୋଗୀସେବା ଓ ଭିତ୍ତିଭୂମି ସୁଦୃଢ କ୍ଷେତ୍ରରେ ଏହା ଢେର୍ ପଛରେ ପଡ଼ିଯାଇଛି । ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶହଶହ ରୋଗୀ ଉପଯୁକ୍ତ ସେବା ନ ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।