ଦକ୍ଷିଣ ଆଫ୍ରିକାର ପ୍ରଥମ ପରାଜୟ
ଟି-୨୦ ବିଶ୍ୱକପ୍ ସୁପର୍-୧୨
ଡି/ଏଲ୍ରେ ଜିତିଲା ପାକିସ୍ତାନ; ଶାଦାବ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍
ନୂଆଦିଲ୍ଲୀ, ୩ା୧୧ (ଏଜେନ୍ସି): ଟି-୨୦ ବିଶ୍ୱକପ୍ ସୁପର୍-୧୨ ପର୍ଯ୍ୟାୟରେ ପ୍ରଥମ ପରାଜୟ ବରଣ କରିଛି ଦକ୍ଷିଣ ଆଫ୍ରିକା । ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ଡି/ଏଲ୍ ପଦ୍ଧତିରେ ୩୩ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହି ବିଜୟ ସହ ପାକିସ୍ତାନ ଏବେ ବି ସେମିଫାଇନାଲ୍ ଦୌଡ଼ରେ ରହିଛି । ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଶଦାବ ଖାଁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଗ୍ରୁପ୍-୨ ଟେବୁଲ୍ରେ ଭାରତ ଚାରି ମ୍ୟାଚ୍ରୁ ୬ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ସମାନ ସଂଖ୍ୟକ ମ୍ୟାଚ୍ରୁ ଯଥାକ୍ରମେ ୫ ଓ ୪ ପଏଣ୍ଟ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବାଂଲାଦେଶ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।
ପାକିସ୍ତାନ ନିଜ ପରବର୍ତ୍ତୀ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ । ସେହିପରି ନେଦରଲାଣ୍ଡ୍ସକୁ ନିଜ ଶେଷ ସୁପର୍-୧୨ ମ୍ୟାଚ୍ରେ ଭେଟିବ ଦକ୍ଷିଣ ଆଫ୍ରିକା । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ରେ ଜିମ୍ବାୱେକୁ ଭେଟିବ ।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ବାବର ଆଜମ୍ (୬) ଓ ମହମ୍ମଦ ରିଜୱାନ୍ (୪)ଙ୍କ ଓପନିଂ ଯୋଡ଼ି ବିଫଳ ହୋଇଥିଲେ । ଶାଦାବ ଖାଁ ୨୨ ବଲ୍ରୁ ୫୨ ରନ୍ର ଧୂଆଁଦାର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୩ ଚୌକା ଓ ୪ ଛକା ରହିଥିଲା । ଇଫତିଖାର ଅହମ୍ମଦ ୩୯ ବଲ୍ରୁ ୫୧ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ହାରିସ୍ ୨୮, ମହମ୍ମଦ ନୱାଜ୍ ୨୮ ରନ୍ର ଇନିଂସ୍ ଖେଳିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ୍ ନିର୍ତଜେ ସର୍ବାଧିକ ୪ ୱିକେଟ୍ ନେଇଥିଲେ । ୱେନ୍ ପର୍ନେଲ୍, କାଗିସୋ ରାବାଡ଼ା, ଲୁଙ୍ଗ୍ ଏନ୍ଗିଡ଼ି ଓ ତାବରେଜ୍ ଶାମ୍ସୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ୯ ଓଭର୍ରେ ୪ ୱିକେଟ୍ ହରାଇ ୬୯ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ଛାଡ଼ିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା ଏବଂ ଆଫ୍ରିକୀୟ ଟିମ୍କୁ ଡି/ଏଲ୍ ଅନୁଯାୟୀ ୧୪ ଓଭର୍୍ରେ ୧୪୨ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା । କିନ୍ତୁ ଟିମ୍ ୯ ୱିକେଟ୍ ହରାଇ ୧୦୮ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଟିମ୍ ପକ୍ଷରୁ ଟେମ୍ବା ବାଭୁମା (୧୯ ବଲ୍ରୁ ୩୬)ଙ୍କୁ ଛାଡ଼ିଦେଲେ ଅନ୍ୟ କାହା ପ୍ରଦର୍ଶନ ଆଶାଜନକ ନ ଥିଲା । ଏଡେନ୍ ମାର୍କ୍ରମ ୨୦, ଟ୍ରିଷ୍ଟାନ୍ ଷ୍ଟବ୍ସ ୧୮, ହେନରିଚ୍ କ୍ଲାସେନ୍ ୧୫, ରିଲୀ ରୋସୋ ୭ ରନ୍ କରିଥିବା ବେଳେ କୁଇଣ୍ଟନ୍ ଡି’ କକ୍ ଖାତା ଖୋଲି ପାରି ନ ଥିଲେ ।
ବିପକ୍ଷ ବୋଲର୍ ଶାହୀନ ଶାହ ଆଫ୍ରିଦୀ ୧୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ଶାଦାବ ଖାଁ ୨ ଏବଂ ନସୀମ ଶାହ, ହାରିସ୍ ରାଉଫ୍ ଓ ମହମ୍ମଦ ୱାସିମ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।