ଦିନକ ପରେ ପଞ୍ଚୁକ: ସିଂହଦ୍ୱାରରେ ବାରିକେଡ୍
ପୁରୀ (ବୁ୍ୟରୋ): ଚଳିତବର୍ଷ ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଏପରିକି ଗତ ଦୁଇବର୍ଷ ମହାମାରୀ କରୋନା ଲାଗି କଟକଣା ରହିଥିବାରୁ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀମାନେ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିପାରି ନ ଥିଲେ । ଚଳିତବର୍ଷ ଅତ୍ୟଧକ ଭିଡ଼ ସମ୍ଭାବନାକୁ ଲକ୍ଷ୍ୟ କରି ବାରିକେଡ୍ କରାଯାଇଛି । ୮ହଜାର ହବିଷ୍ୟାଳୀ ପହିଲି କାର୍ତ୍ତିକରୁ ହବିଷ୍ୟ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ରହିଛନ୍ତି । ପଞ୍ଚୁକ ହବିଷ୍ୟ ପାଳନ କରିବା ପାଇଁ ଅଧିକ ୨ହଜାର ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏହି ହବିଷ୍ୟାଳୀଙ୍କ ସମ୍ପର୍କୀୟ ବନ୍ଧୁ, କୁଣିଆ ଆସିଥିବାରୁ ଶ୍ରୀମନ୍ଦିର ଅଞ୍ଚଳ ଲୋକାରଣ୍ୟ ହେବାର ସମ୍ଭାବନା ରହିଛି । ପୁଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ନିର୍ମାଣ କରାଯାଇଛି । ବାରିକେଡ୍ରେ ପ୍ରବେଶ କରି ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବା ପାଇଁ ପୁଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ପାଞ୍ଚ ପ୍ରକାର ବେଶରେ ଦର୍ଶନ ଦେବେ ଶ୍ରୀଜିଉ
କାର୍ତ୍ତିକ ମାସରେ ଶ୍ରୀଜିଉମାନଙ୍କୁ ରାଧାଦାମୋଦର ବେଶ କରାଯାଇଥିଲା । ପଞ୍ଚୁକ ପାଞ୍ଚଦିନ ପାଞ୍ଚପ୍ରକାର ବେଶରେ ପ୍ରଭୁ ଦର୍ଶନ ଦେବେ । ପଞ୍ଚୁକର ପ୍ରଥମ ଦିନ ଠିଆକିଆ ବେଶ, ଦ୍ୱିତୀୟ ଦିନ ବାଙ୍କଚୁଡ଼ବେଶ ବା ବାମନ ବେଶ, ତୃତୀୟ ଦିନ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନ ଲକ୍ଷ୍ମୀ ନୃସିଂହ ବେଶ, ଓ ପଞ୍ଚମ ଦିନ ପୂର୍ଣ୍ଣମୀରେ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ଏଥିପାଇଁ ହବିଷ୍ୟାଳୀଙ୍କ ସମେତ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରରେ ସମାଗମ ହେବେ । ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ସିଂହଦ୍ୱାର ସମ୍ମୁଖରେ ଭଜନ ସମାରୋହ ଅନୁଷ୍ଠିତ ହେବ । ପୂର୍ଣ୍ଣମୀ ଦିନ ହବିଷ୍ୟାଳୀ ଘର ବାହୁଡ଼ିବା ପାଇଁ ପ୍ରସ୍ତୁତ ହେବେ ।