ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ
ଭୁବନେଶ୍ୱର/ଜୟପୁର, ୩୧ା୧୦ (ବୁ୍ୟରୋ/ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣର ରୂପାନ୍ତର ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜୟପୁର ବିମାନପଟ୍ଟୀକୁ ଉଡ଼ାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଛି । ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହୋଇଛି । ସୋମବାରଠାରୁ ଭୁବନେଶ୍ୱରୁ ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ପୂର୍ବାହ୍ନ ୧୦.୩୦ରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କରିଛନ୍ତି । ଏହି ବିମାନ ସେବା ଯୋଗୁଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ ।
ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଆ ୱାନ ଏୟାର ୯ ସିଟ ବିଶିଷ୍ଟ ବିମାନ ଚଳାଇବ । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ ।
ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ । ଭୁବନେଶ୍ୱରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ୧୦୪୯ ଟଙ୍କା ରହିଛି । ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ଜୟପୁରକୁ ବିମାନ ସେବା ଆରମ୍ଭ ହେବା ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ଯେତିକି ଆନନ୍ଦର କଥା, ତାହାଠୁ ଅଧିକ ସୁଖର କଥା ସମଗ୍ର ଓଡିଶାବାସୀ ଓ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀଙ୍କ ପାଇଁ । ସେମାନେ ଏବେ କେବଳ ଦେଶବିଦେଶକୁ ଯାତ୍ରାକରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିବେ ଓ ଏଠାରେ ଚାଷ ହେଉଥିବା କଫିର ମହକ ସମଗ୍ର ବିଶ୍ୱ ପାଇବ ।
ସୂଚନା ଅନୁସାରେ, ୧୯୬୨ରେ ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡ୍ (ହାଲ୍) ପ୍ରତିଷ୍ଠା ସମୟରେ ୬୦ ଏକର ଜମିରେ ଜୟପୁରରେ ଏୟାରଷ୍ଟ୍ରିପ୍ ନିର୍ମାଣ ହୋଇଥିଲା । ତେବେ ପ୍ରଥମ ଥର ଲାଗି ଜୟପୁର ଏୟାରଷ୍ଟ୍ରିପ୍ରୁ ୮୦ ଦଶକର ଦ୍ୱିତୀୟାର୍ଦ୍ଧରେ ବାୟୁଦୂତ ବିମାନ ଜୟପୁରରୁ ବିଶାଖାପାଟଣା ଦେଇ ଭୁବନେଶ୍ୱରକୁ ଉଡ଼ିଥିଲା । ଏହା କିଛିମାସ ଚାଲିବା ପରେ କୌଣସି କାରଣ ବଶତଃ ବନ୍ଦ ହୋଇ ଯାଇଥିଲା । ସେହି ଦିନରୁ ଜୟପୁର ଏୟାରଷ୍ଟ୍ରିପ୍ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ୨୦୧୧ରେ ଏହାର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ଚିନ୍ତା କରିଥିଲେ । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପୂର୍ତ୍ତ ବିଭାଗ ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର ନିମନ୍ତେ ୬ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ ।
ମାଷ୍ଟର ପ୍ଲାନରେ ଟର୍ମିନାଲ୍ କୋଠାର ଉନ୍ନତିକରଣ, ରନ୍ ୱେର ଚଉଡ଼ା ବୃଦ୍ଧି, ପାଚେରୀ ନିର୍ମାଣ ଏବଂ ୨୬ନଂ ଜାତୀୟ ରାଜପଥରୁ ଏୟାରଷ୍ଟ୍ରିପ୍ ରାସ୍ତାର ପ୍ରଶସ୍ତିକରଣ ଇତ୍ୟାଦି ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଏୟାରଷ୍ଟ୍ରିପ୍ର ସମ୍ପ୍ରସାରଣ ନିମନ୍ତେ ଅଧିକ ଜମି ଅଧିଗ୍ରହଣ କରିବାକୁ ଯୋଜନା କରି ରାଜ୍ୟ ସରକାର ୨୦୧୩ରେ ଆର୍ ଏଣ୍ଡ୍ ବି ବିଭାଗକୁ ଦାୟିତ୍ୱ ଦେବା ସହ ୫୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ରନ୍ ୱେର ଚଉଡ଼ା ୧୫ମିଟରରୁ ୨୪ ମିଟରକୁ ବୃଦ୍ଧି କରାଯିବା ସହ ୨.୫ କିଲୋମିଟର ପାଚେରି ନିର୍ମାଣ ହୋଇଥିଲା । ୨୦୧୯ରେ ରାଜ୍ୟ ସରକାର ରନୱେର ଚଉଡ଼ା ୫୦୦୦ ଫୁଟକୁ ବୃଦ୍ଧି କରି ଏହାକୁ ଉନ୍ନିତ କରିବା ନିମନ୍ତେ ଏୟାର୍ ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କୁ ଯୋଗାଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟ ଶେଷ ପରେ ଏଏଆଇର ପ୍ରତିନିଧି ଏକାଧିକ ଥର ଜୟପୁର ଏୟାରପୋର୍ଟ ଗସ୍ତ କରି ପରୀକ୍ଷା ନିରୀକ୍ଷା କରିବା ପରେ ୨୦୨୨ ଅକ୍ଟୋବର ୨୦ରେ ଏଠାରୁ ବ୍ୟବସାୟିକ ବିମାନ ଉଡାଣ ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଦଶକ ଲାଇସେନ୍ସ ପ୍ରଦାନ କରିଥିଲେ । ଜୟପୁର ଏୟାରପୋର୍ଟ ରାଜ୍ୟର ତୃତୀୟ ବ୍ୟବସାୟିକ ବିମାନ ବନ୍ଦର ହୋଇଥିବାବେଳେ ଖୁବ୍ଶୀଘ୍ର ଜୟପୁରରୁ ବିଶାଖାପାଟଣା ଏବଂ ଅନ୍ୟାନ୍ୟ ସ୍ଥାନକୁ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।