ହାଇ ଆଲର୍ଟରେ ପେଣ୍ଟାଗନ୍
ୟୁରୋପକୁ ପଠାଉଛି ମହାବିନାଶକ ପରମାଣୁ ଅସ୍ତ୍ର
ୱାଶିଂଟନ୍, ୨୯ା୧୦: ଅପରେସନ୍ ଥଣ୍ଡ୍ର ମାଧ୍ୟମରେ ରୁଷ୍ ନିଜ ପରମାଣୁ ସାମର୍ଥ୍ୟ ପ୍ରଦର୍ଶନ ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକା ତଥା ତା’ର ମିତ୍ର ରାଷ୍ଟ୍ରମାନେ ବିଚଳିତ ହୋଇପଡିଛନ୍ତି । ଶୀଘ୍ରାତିଶୀଘ୍ର ୟୁରୋପରେ ହାଇ ଆକୁ୍ୟରେସି ପରମାଣୁ ଅସ୍ତ୍ର ମୁତୟନ କରିବାକୁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି । ରୁଷ୍ ସୀମା ସଂଲଗ୍ନ ନାଟୋ ଅନ୍ତର୍ଭୁକ୍ତ ଦେଶଗୁଡିକରେ ମୁତୟନ ହେବାକୁ ଥିବା ପରମାଣୁ ଅସ୍ତ୍ର ମଧ୍ୟରେ ବି୬୧-୧୨ ଥର୍ମୋନୁ୍ୟକ୍ଲିୟର ବୋମା ଅନ୍ତର୍ଭୁକ୍ତ ।
ଆମେରିକା ଓ ବ୍ରିଟେନ୍କୁ ଧ୍ୱଂସ କରିବା ଉଦେ୍ଦଶ୍ୟରେ ଅପରେସନ୍ ଥଣ୍ଡର୍ରେ ପରମାଣୁ ଅସ୍ତ୍ର ବହନକ୍ଷମ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିଲା ବୋଲି ରୁଷ୍ର ଜଣେ କର୍ଣ୍ଣେଲ୍ ବୟାନ ଦେବା ପରେ ପେଣ୍ଟାଗନ୍ (ଆମେରିକା ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ) ହାଇଆଲର୍ଟରେ ରହିଛି । ଅପରେସନ୍ ଥଣ୍ଡରକୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଅଭ୍ୟାସ ବୋଲି ଧରି ନେଇ ଆମେରିକାର ସ୍ଥଳ ଓ ନୌସେନା ହାଇପରସୋନିକ୍ ଯୁଦ୍ଧାସ୍ତ୍ର ପରୀକ୍ଷଣ କରିଛି ଏବଂ ୟୁରୋପକୁ ଅଧିକରୁ ଅଧିକ ଟାକ୍ଟିକାଲ୍ ନୁ୍ୟକ୍ଲିୟର ବୋମା ଯୋଗାଇବା ନିଷ୍ପତ୍ତି ନେଇଛି ବୋଲି ପଲିଟିକୋ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇଛି ।
ଏବେ ବେଲ୍ଜିୟମ୍, ନିଦରଲାଣ୍ଡସ୍, ଇଟାଲୀ, ଜର୍ମାନୀ ଓ ତୁର୍କୀର ବିଭିନ୍ନ ସ୍ଥାନରେ ପେଣ୍ଟାଗନ୍ର ପ୍ରାୟ ୧୦୦ ପରମାଣୁ ଅସ୍ତ୍ର ଅଛି ।
ସେଗୁଡିକର ସଂଖ୍ୟା ବଢାଇବା ଲାଗି ପେଣ୍ଟାଗନ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିଭିନ୍ନ ବୋମାବର୍ଷୀ ବିମାନର ଅପ୍ଗ୍ରେଡ୍ କରାଯାଇଛି । ଆମେରିକୀୟ ପ୍ରତିରକ୍ଷା ଅଧିକାରୀମାନେ ବେଲ୍ଜିୟମ୍ ରାଜଧାନୀ ବ୍ରସେଲ୍ସଠାରେ ନାଟୋ ସହଯୋଗୀମାନଙ୍କ ସହ ଏକ ଘରୋଇ ବୈଠକ ଡାକିଥିଲେ । ସେଠାରେ କୁହାଯାଇଥିଲା ଯେ ଡିସେମ୍ବର ସୁଦ୍ଧା ଅଧିକାଂଶ ପରମାଣୁ ଅସ୍ତ୍ର ଆସିଯିବ ।