ଶ୍ରୀମନ୍ଦିରରୁ ପଥର ଖସିବା ମାନିଲା ପ୍ରଶାସନ

ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରରୁ ପଥର ଖସିବା ଘଟଣାକୁ ସ୍ୱୀକାର କଲା ଶ୍ରୀମନ୍ଦିର ପ୍ରଶାସନ । ଗତ ଦୀପାବଳୀ ଦିନ ଖସିଥିବା ପଥର ସମ୍ପର୍କରେ ଏଏସ୍ଆଇକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ।
ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ପଥରଟି ଶ୍ରୀମନ୍ଦିରର ଜଗମୋହନର ଦକ୍ଷିଣ ପୂର୍ବ ଦିଗରେ ଥିବା ଜେଟିପି ଚର୍ଚ୍ଚା ଘର ଉପରୁ ଖସିଛି । ଏଏସ୍ଆଇଙ୍କୁ ଅବଗତ କରାଯାଇଛି ସେମାନେ ପଥର ଖସିଥିବା ସ୍ଥାନକୁ ମରାମତି କରିବେ । ଫଳରେ ଶ୍ରୀମନ୍ଦିରରୁ ପଥର ଓ ଚୁନ ଖସିବା ଘଟଣାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍ଆଇ ହାତରେ ରହିଥିବାବେଳେ ସେମାନେ ସଠିକ୍ ଭାବେ ମନ୍ଦିର ଦାୟିତ୍ୱ ନେଉ ନ ଥିବା ନେଇ ଅଭିଯୋଗ କରିଛନ୍ତି ସେବାୟତ ଓ ଭକ୍ତ । ଶ୍ରୀମନ୍ଦିର ସର୍ବପୁରାତନ ମନ୍ଦିର ହୋଇଥିବାରୁ ଧୀରେ ଧୀରେ ପଥର ଦୁର୍ବଳ ହୋଇଯାଇଛି । ମାଙ୍କଡ଼ମାନେ ସେହି ସ୍ଥାନରେ ଡେଉଁଥିବାରୁ ଦୁର୍ବଳ ପଥର ଖସିପଡୁଛି ବୋଲି ଏଏସ୍ଆଇ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଦୀପାବଳୀଠାରୁ ପଥର ଖସିଥିବାବେଳେ ଆଜିପର୍ଯ୍ୟନ୍ତ ଘଟଣାସ୍ଥଳ ପରିଦର୍ଶନ ନ କରିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖସିଥିବା ପଥରର ଓଜନ ୨ରୁ ୩ କିଲୋ ହେବ ବୋଲି ଜଣାପଡ଼ିଛି । ସୂଚନାଥାଉକି, ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଗର୍ଭଗୃହ ରତ୍ନବେଦୀରେ ବଡ଼ଠାକୁର ବଳଭଦ୍ରଙ୍କ ପଛପଟୁ ପ୍ଲାଷ୍ଟର ଖଣ୍ଡ ଖସିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *