ବେଆଇନ ନିର୍ମାଣ ଉଚ୍ଛେଦ ପାଇଁ ତହସିଲ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି (ଆପ୍ର): ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଓରତି ପଞ୍ଚାୟତର କେତେକ ଅଜଣା ବ୍ୟକ୍ତି ଗୋଚର ଚକନାଳୀ କିସମ ଜମିକୁ ଜବରଦଖଲ କରିଛନ୍ତି । ଏହି ଜମିରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି । ଯାହାଦ୍ୱାରା ଅସରପଡା, କୃଷ୍ଣଦାସପୁର, ଦିଆନପୁର ରାଜସ୍ୱ ଗ୍ରାମର ବାସିନ୍ଦାମାନଙ୍କ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସରକାରୀ ନୀତି ନିୟମକୁ ଉଲଘଂନ କରାଯାଇ ଗୋଚର ଓ ଚକନାଳୀ କିସମ ଜମିରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଉଚ୍ଛେଦ କରିବା ଏବଂ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିରୋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଏହି ତିନି ଗ୍ରାମର ବାସିନ୍ଦା ଶନିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ସରକାର ଜନସାଧାରଣଙ୍କର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ୟମ ଜାରୀ ରଖିଥିବା ବେଳେ ଶାସନରେ ସ୍ୱଚ୍ଛତା ନିମନ୍ତେ ୫-ଟି ଭଳି ଏକ ନୂତନ ବିଭାଗ ସୃଷ୍ଟି କରିଛନ୍ତି । ହେଲେ ତହସିଲ ଓ ବ୍ଲକ୍ ପ୍ରଶାସନର ଜ୍ଞାତ ସାରରେ ଏଭଳି ବେଆଇନ ନିର୍ମାଣ କରାଯାଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ଏହି ତିନି ଗ୍ରାମର ବାସିନ୍ଦାମାନେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।
ରାଜସ୍ୱ ଗ୍ରାମରେ ବହୁ ମଧ୍ୟବିତ୍ତ, ଚାଷୀ ଓ ଦଳିତ ପରିବାରର ଲୋକମାନେ ବସବାସ କରିଥାଆନ୍ତି । ଗୋଚର ଜମି ଗୁଡିକୁ ଜବରଦଖଲ କରିବା ପରେ ସେମାନେ ଘରେ ପଶୁଥିବା ଗୃହପାଳିତ ପ୍ରାଣୀମାନଙ୍କୁ କେଉଁଠାରେ ଚରାବୁଲା କରାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି । ସେହିପରି ଚକନାଳକୁ ଜବରଦଖଲ କରିବା ଦ୍ୱାରା ଚାଷ କ୍ଷେତକୁ ଜଳସେଚନରେ ପ୍ରତିବଦ୍ଧକ ସୃଷ୍ଟି ହେବ । ଯାହାଦ୍ୱାରା ଚାଷୀମାନେ ସମସ୍ୟାରେ ପଡିବେ । ତେଣୁ ଏହି ବେଆଇନ ନିର୍ମାଣକୁ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି । ଅଶୋକ ସାହୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ଧାରଣାସ୍ଥଳରେ ବିଦ୍ୟାଧର ଦାସ, ଚନ୍ଦ୍ରମଣୀ ସେଠୀ, ବୈରାଗୀ ସେଠୀ, ଅଜୟ କୁମାର ମଲ୍ଲିକ, ପ୍ରମୋଦ ମଲ୍ଲିକ, ମନୋଜ କୁମାର ମଲ୍ଲିକ, କାଶୀନାଥ ମଲ୍ଲିକ ସମେତ ବହୁ ବ୍ୟକ୍ତି ଧାରଣାରେ ବସିଥିଲେ । ତହସିଲଦାର ଦିଲ୍ଲୀପ କୁମାର ନାୟକ ଧାରଣାକାରୀମାନଙ୍କୁ ଡାକି ତାଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେବା ସହ ଏକ ଦାବିପତ୍ର ଗ୍ରହଣ କରିଛନ୍ତି ।