ବିଜେପି ପ୍ରତି ଲୋକଙ୍କ ଆଶୀର୍ବାଦ ରହିଛି
ଭୁବନେଶ୍ୱର/ଧାମନଗର, ୨୮ା୧୦ (ବୁ୍ୟରୋ): ଧାମନଗରବାସୀଙ୍କ ଅଜସ୍ର ଶ୍ରଦ୍ଧା ଓ ସମର୍ଥନ ଦିବଂଗତ ଜନନେତା ବିଷ୍ଣୁ ସେଠୀଙ୍କ ପୁଅ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ରହିଥିବା ବିପୁଳ ସମାଗମ ପ୍ରମାଣିତ କରୁଛି । ଲୋକଙ୍କ ଆଶୀର୍ବାଦ ସୂରଜଙ୍କ ଭଳି ଜଣେ ଦକ୍ଷ ଯୁବ ନେତୃତ୍ୱକୁ ମାଟି ମା’ର ସେବା କରିବାର ସୁଯୋଗ ଦେବ ବୋଲି ଧାମନଗର ଉପନିର୍ବାଚନ ପ୍ରଚାରକୁ ଓହ୍ଲାଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ରଙ୍କୁ ନେଇ ଧାମନଗର ବିଜେପି ଶୁକ୍ରବାର ଏକ ବିଶାଳ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ଅଭିଯାନକୁ ତୀବ୍ର କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଯାଜପୁର ଦେଇ ଷେଣ୍ଢପୁରରେ ପହଞ୍ଚିଥିଲେ । ସେଠାରୁ ଦଳର ପ୍ରାର୍ଥୀ ସୂରଜଙ୍କୁ ନେଇ ଏକ ରୋଡ ସୋ ସାଙ୍ଗକୁ ପଦଯାତ୍ରାରେ ଖଡ଼ିପଦା, ଦୋବଲ, ଧାମନଗର ଏନ୍ଏସି, ତାଳପଦା, ବନ୍ଧଟିଆ, ଅରୁଣ ବଜାର, କୋଠାର, ଅସୁରାଳି, ଉଚ୍ଚ ପଦା, ମଙ୍ଗଳପୁର, ସରପୁର, ଆନନ୍ଦ ବଜାର, ଲୁଣିଆ, କଟସାହି ପ୍ରଭୃତି ଅଞ୍ଚଳ ପରିକ୍ରମା କରିଥିଲା । ୧୯୪୨ ଭାରତ ଛାଡ଼ ଆନେ୍ଦାଳନରେ ସଂଘଟିତ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ପୀଠ ସହିଦ ନଗରସ୍ଥିତ ସହିଦ ସ୍ମୃତି ମଣ୍ଡପରେ ମାଲ୍ୟାର୍ପଣ କରି ସହିଦ୍ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଧର୍ମେନ୍ଦ୍ର । ଏଠାରେ ଉପସ୍ଥିତ ଜନସାଧାରଣଙ୍କୁ ସେ ବିଜେଡ଼ି ସରକାର ଏକ ଅହଂକାରୀ ସରକାର ଏବଂ ଏହାର ପତନ ଖୁବଶୀଘ୍ର ବୋଲି ପ୍ରକାଶ କରି ସୂରଜଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ବିଜେପି ହଜାର ହଜାର କର୍ମୀଙ୍କୁ ବାଇକ୍ ଶୋଭାଯାତ୍ରାରେ ଯୋଡି ତାର ଉପସ୍ଥିତ ଜାହିର କରିଥିଲା । ବରିଷ୍ଠ ନେତା ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର, ବିଧାୟକ ଡା ବୁଢ଼ାନ ମୁର୍ମୁ, ନବ ମାଝୀ, ତେଜେଶ୍ୱର ପରିଡା, ସ୍ମୃତି ପଟ୍ଟନାୟକ, ସୁଷମା ବିଶ୍ୱାଳ, ଅଶୋକ ପୁହାଣ, ଗୌତମ ରାୟ, ଅଭିମନୁ୍ୟ ସେଠୀ, ବଦ୍ରି ଧଳ ପ୍ରମୂଖ ଶୋଭାଯାତ୍ରାରେ ସାମିଲ ଥିଲେ । ବିଭିନ୍ନ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଡ଼ାକବାଜି ଯନ୍ତ୍ରରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବାବେଳେ ଶୁକ୍ରବାର ବିଜେପି, ବିଜେଡି, ଏବଂ କଂଗ୍ରେସ ଦଳ ପକ୍ଷରୁ ବାଇକ ଶୋଭାଯାତ୍ରା, ପଦଯାତ୍ରା ଆଦି କରାଯାଇ ନିର୍ବାଚନ ପ୍ରଚାରକୁ ସରଗରମ କରାଯାଇଛି । ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୁର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପୁର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ ମହିଳା ନେତ୍ରୀ ବନ୍ଦିତା ପରିଡା, ଜୟଦେବ ଜେନା, ବରିଷ୍ଠ ନେତା ସୁର ରାଉତ ରାୟ, ଅନନ୍ତ ସେଠି ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ସମେତ ଦଳର ବହୁ ନେତା ଯୋଗ ଦେଇ ସହିଦନଗରଠାରେ ସହିଦସ୍ମୃତି ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ସେହିଠାରୁ ରୋଡ଼ ସୋ ଶୋଭାଯାତ୍ରା କରିଥିଲେ । ସେହିପରି ବିଜେଡିର ରୋଡ଼ ସୋରେ ଶୁକ୍ରବାର ଅଭିନେତ୍ରୀ ଏଲିନା ଦାସ, ପ୍ରାର୍ଥୀ ଅବନ୍ତି ଦାସ, ସାଂସଦ ମଞ୍ଜୁଲତା ମଣ୍ଡଳ,ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଧାୟକ ଅଶୋକ ବଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶର୍ମିଷ୍ଠା ବେହେରା, ପୁର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ଉଠା ଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ସମେତ ବିଜେଡିର ବହୁ ନେତୃମଣ୍ଡଳୀ ସାମିଲ ହୋଇ ରୋଡ଼ ସୋ’ରେ କୋଠାର, ଧୁଷୁରୀ, ପାଳସାହି, ସାହାସପୁର ଆଦି ଅଞ୍ଚଳ ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିଜ ସମର୍ଥକଙ୍କୁ ଧରି ଧାମନଗର ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ନିଜର ନୌକା ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି । ନିର୍ବାଚନ ଦିନ ଯେତିକି ସରି ଆସୁଛି ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ସେହି ତୁଳନାରେ ଅଧିକ ବଢ଼ାଇ ଚାଲିଥିବା ନଜରକୁ ଆସିଛି ।