ମହିଳା ଓ ପୁରୁଷ କ୍ରିକେଟର୍ଙ୍କୁ ସମାନ ମ୍ୟାଚ୍ ଫି’
ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା
ମୁମ୍ବାଇ, ୨୭ା୧୦ (ଏଜେନ୍ସି): ଭାରତୀୟ ଟିମ୍ର ମହିଳା କ୍ରିକେଟର୍ମାନଙ୍କୁ ଏବେ ପୁରୁଷ ଟିମ୍ର ଖେଳାଳିଙ୍କ ବରାବର ମ୍ୟାଚ୍ ଫି’ ମିଳିବ । ଗୁରୁବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଏହି ବଡ଼ ଘୋଷଣା କରିଛନ୍ତି ।
ବିସିସିଆଇର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଶାହା କହିଛନ୍ତି – ମୁଁ ପ୍ରତିଶ୍ରୂତି ଦେଇଥିଲି ଯେ ବିସିସିଆଇ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ର ଖେଳାଳିଙ୍କ ମ୍ୟାଚ୍ ଫି’ ସମାନ କରିବ । ଏହା ଏ ଦିଗରେ ଉଠାଯାଇଥିବା ପଦକ୍ଷେପ । ଏବେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ୍ ମହିଳା କ୍ରିକେଟର୍ମାନଙ୍କୁ ପୁରୁଷ ଟିମ୍ର ଖେଳାଳିଙ୍କ ବରାବର ଫି’ ମିଳିବ ।
ଇତ୍ୟବସରେ ଭାରତୀୟ ମହିଳା ଟିମ୍ର ଅଧିନାୟକ ହରମନପ୍ରୀତ କୌର ବିସିସିଆଇର ଏହି ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ ଏହାଦ୍ୱାରା ଦେଶର ଅନ୍ୟ ଯୁବତୀମାନେ କ୍ରିକେଟ୍ ଖେଳିବା ପାଇଁ ପ୍ରେରିତ ହେବେ ।
‘ଇଏସ୍ପିଏନ୍ କ୍ରିକ୍ଇନ୍ଫୋ’ ଅନୁଯାୟୀ, ଏବେ କେନ୍ଦ୍ରୀୟ ଚୁକ୍ତିରେ ସାମିଲ୍ ମହିଳା ଖେଳାଳିମାନଙ୍କୁ ଟେଷ୍ଟ ମ୍ୟାଚ୍ ପାଇଁ ଚାରି ଲକ୍ଷ ଟଙ୍କା ମିଳୁଛି । ତେବେ ଦିନିକିଆ ଓ ଟି-୨୦ ଉଭୟ ଫର୍ମାଟ୍ର ମ୍ୟାଚ୍ ଫି’ ଏକ ଲକ୍ଷ ଟଙ୍କା । ନୂଆ ବ୍ୟବସ୍ଥା ଅନୁଯାୟୀ, ଏବେ ସେମାନଙ୍କର ଟେଷ୍ଟ ମ୍ୟାଚ୍ର ଫି’ ୧୫ ଲକ୍ଷ ଟଙ୍କା ହେବ । ସେହିପରି ଦିନିକିଆ ପାଇଁ ଛଅ ଲକ୍ଷ ଓ ଟି-୨୦ ପାଇଁ ତିନି ଲକ୍ଷ ଟଙ୍କା ମ୍ୟାଚ୍ ଫି’ ଦିଆଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୁ୍ୟଜିଲାଣ୍ଡ କ୍ରିକେଟ୍ ବୋର୍ଡ ବର୍ଷ ଆରମ୍ଭରେ ପ୍ଲେୟାର୍ସ ଆସୋସିଏସନ୍ ସହିତ ଏକ ନୂଆ ଚୁକ୍ତି ସ୍ୱାକ୍ଷର କରିଥିଲା । ତଦନୁଯାୟୀ ଏବେ ପୁରୁଷ ଓ ମହିଳା କ୍ରିକେଟର୍ମାନଙ୍କୁ ବରାବର ମ୍ୟାଚ୍ ଫି’ ମିଳିବ । ଅଷ୍ଟ୍ରେଲୀୟ କ୍ରିକେଟ୍ ବୋର୍ଡ ଏ ଦିଗରେ ଏବେ ଯୋଜନା କରୁଛି ।