ଆଞ୍ଚଳିକ ବୈଷମ୍ୟ ଦୂର ହେବ

ପଶ୍ଚିମ ଓଡିଶାରେ ୫୦ କୋଟିର ୯ ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର, ୨୧ା୧୦ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ ପ୍ରକଳ୍ପ ଲୋକାର୍ପିତ କରିଥିବାବେଳେ ଆଉ ୯ ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି । ଲୋକାର୍ପିତ ୯ ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି । ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, ସ୍ପୋଟ୍ସ କମ୍ଲେକ୍ସ ଆଦିର ବିକାଶ ସହ କୋମନାଠାରେ ଏକ ମିଲେଟ୍ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇ କାମ କରୁଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି ।
ଗତବର୍ଷ ପରିଷଦର ଆନୁଆଲ ଗ୍ରାଣ୍ଟକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି । ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ ।
ବିଜୁ ଏକ୍ସପ୍ରେସ୍ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ, ଏହାଦ୍ୱାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଆଗାମୀ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ଶିଳ୍ପ ପାଇଁ ଏକ ସ୍ପେଶାଲ ଇନିସିଏଟିଭ୍ ପ୍ୟାକେଜ୍ ଘୋଷଣା ହେବ ବୋଲି ସେ କହିଥିଲେ । ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ୱତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ଉଚ୍ଚପ୍ରଶଂସା କରିବା ସହ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *