ଅର୍ଚ୍ଚନାଙ୍କ ଜାମିନ ଖାରଜ

ଭୁବନେଶ୍ୱର (ବୁ୍ୟରୋ): ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇ ଝାରପଡ଼ା ଜେଲ୍ରେ ଛଟପଟ ହେଉଥିବା ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ମୁକୁଳିବା ପରି ମନେ ହେଉନି । ଅର୍ଚ୍ଚନାଙ୍କ ନାଁରେ ହନିଟ୍ରାପ୍, ବ୍ଲାକମେଲ୍ ଓ ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଛି । ଫଳରେ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ । ସୋମବାର ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଖାରଜ କରିଛନ୍ତି । ଫଳରେ ପ୍ରାୟ ୧୦ ଦିନ ହେବ ଜେଲ୍ ଚାରିକାନ୍ଥରେ ଛଟପଟ ହେଉଥିବା ଅର୍ଚ୍ଚନାଙ୍କ ଏବେ ମୁକୁଳିବା ଆଶା ପାଣି ଫୋଟକା ପରି ମିଳାଇଯାଇଛି ।
ସେପଟେ ଅର୍ଚ୍ଚନା ନାଗ ଘଟଣାକୁ ନେଇ ରାଜନୀତି ତେଜୁଛି । ତଦନ୍ତ ତ୍ୱରାନିତ କରିବା ଦାବିରେ କମିଶନରେଟ ପୁଲିସକୁ ବିଜେପିର ଏକ ପ୍ରତିନିଧି ମଣ୍ଡଳ ଭେଟିଛି । ଏହି ଘଟଣାରେ ପାୱାର କରିଡର ସମ୍ପୃକ୍ତି ଥିବାରୁ ତଦନ୍ତ ଶିଥିଳ ପଡ଼ିଥିବା ଦଳ ଅଭିଯୋଗ କରିଛି ।
ଅର୍ଚ୍ଚନା ସ୍କାଣ୍ଡାଲ୍ର ତଦନ୍ତ ତ୍ୱରାନ୍ୱିତ ଦାବି କରି ସୋମବାର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ପୁଲିସ୍କୁ ଭେଟିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଶାସକ ଦଳର ଅନେକ ମନ୍ତ୍ରୀ ଓ ବିଧାୟକ ଏହି ମାମଲାରେ ଜଡ଼ିତ ଅଛନ୍ତି । ଅର୍ଚ୍ଚନା ରଙ୍ଗଶାଳାର ଏହି ରଙ୍ଗୀନ ବଡ଼ପଣ୍ଡାଙ୍କୁ ରାଜ୍ୟବାସୀ ଚିହ୍ନିବା ଦରକାର । ବାବୁ ସିଂ କହିଛନ୍ତି, ସର୍ବଦଳ ସମ୍ମତି ଅନୁସାରେ ତଦନ୍ତ ହେବା ଦରକାର । ଅର୍ଚ୍ଚନା ଲିଙ୍କରେ ଥିବା ନେତା, ମନ୍ତ୍ରୀ, ଓ ଅଫିସରଙ୍କ ମୁଖା ଖୋଲିବା ଦରକାର । ଅର୍ଚ୍ଚନାକୁ ରିମାଣ୍ଡରେ ନିଆଯାଉ । ଇଓଡବ୍ଲୁ ଅର୍ଥନୈତିକ କାରବାରର ଖୁଲାସା ହେବାର ମଧ୍ୟ ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *