ପଥରପୁଞ୍ଜିରେ ବର୍ଷକରେ ୭ ମୃତ, ୨ ଆକ୍ରାନ୍ତ
କିଡ୍ନୀ ରୋଗ ଆତଙ୍କ
ଶେରଗଡ଼ (ଆପ୍ର): ପ୍ରଶାସନର ଅବହେଳା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହିନତା ଏବଂ ବେଆଇନ ଭାବେ ଗଢିଉଠିଥିବା କ୍ରସର ଯୋଗୁଁ ଶେରଗଡ଼ ବ୍ଲକ୍ର ବିଭିନ୍ନ ଗ୍ରାମରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ସାଧାରଣରେ ଅଭିଯୋଗ ହେଉଛି । ଡେଙ୍ଗାପଦର ପଞ୍ଚାୟତ ପଥରପୁଞ୍ଜି ଗ୍ରାମରେ କିଡ୍ନୀ ରୋଗରେ ଗତ ୧ ବର୍ଷ ମଧ୍ୟରେ ୭ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୨ରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ଶେରଗଡ଼ ବ୍ଲକ୍ରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ପଥରପୁଞ୍ଜି ଗ୍ରାମର ଅଧିକାଂଶ ବ୍ୟକ୍ତି ବିଶେଷ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରି ନ ପାରି କେହି ଜୀବନ ହାରିଲେଣି ତ ଅନ୍ୟ କେହି ଭଗବାନଙ୍କ ଭରସାରେ ପଡ଼ିରହିଛନ୍ତି ।
କିଡ୍ନୀ ରୋଗରେ ଆକ୍ରାନ୍ତ ମାଗି ଗୌଡ଼ (୪୩)ଙ୍କ ଚିକିତ୍ସା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚାଲିଛି । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ମାଗିଙ୍କ ସ୍ତ୍ରୀ ଧାର କରଜ କରି ଘରୋଇ ମେଡ଼ିକାଲରେ ଡାଇଲିସିସ ଜାରି ରଖିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ନିରଞ୍ଜନ ବେହେରା (୪୦) ଚିକିତ୍ସିତ ହୋଇ ଘରେ ଭଗବାନଙ୍କ ଭରସାରେ ଅଛନ୍ତି । ଗତ ୧ ବର୍ଷ ମଧ୍ୟରେ ପଥରପୁଞ୍ଜି ଗ୍ରାମର ରଜନୀ ପାଣି (୫୫), କନକ ସ୍ୱାଇଁ (୪୫), କିର୍ତନ ସ୍ୱାଇଁ (୫୮), ସୁରେନ୍ଦ୍ର ସ୍ୱାଇଁ (୫୨), ହନୁ ସ୍ୱାଇଁ (୫୦), ଦେବ ସ୍ୱାଇଁ (୪୬) ଓ ସରଜୁ ପାଣି (୩୬) ମୃତୁ୍ୟବରଣ କରିଛନ୍ତି । ଗ୍ରାମର ଜଣଙ୍କ ପରେ ଜଣେ ଏଥିରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଏନେଇ ସ୍ଥାନୀୟ ସମିତି ସଭ୍ୟାଙ୍କ ପ୍ରତିନିଧି ରମାକାନ୍ତ ସ୍ୱାଇଁ ପ୍ରକାଶ କରିଛନ୍ତି ଯେ, ଗ୍ରାମରେ ନିକଟରେ ଗଢ଼ିଉଠିଥିବା ଦୁଇଟି କ୍ରସରରୁ ବାହାରୁଥିବା ପଥରଗୁଣ୍ଡ ଏବଂ ପାହାଡ଼ରେ ଫୁଟାଯାଉଥିବା ପଥରରୁ ଗୁଣ୍ଡ ବାହାରିବାରୁ କିଡନୀ ରୋଗ ବ୍ୟାପୁଛି । ଗ୍ରାମରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିବା ସହ ପଥର ଗୁଣ୍ଡ ଫସଲ କିଆରିରେ ପଡ଼ିବା ଫଳରେ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କୁଛନ୍ତି । ପ୍ରଶାସନ ଉକ୍ତ ଦୁଇ କ୍ରସର ଓ ପଥର ବ୍ଲାଷ୍ଟିଂ ବନ୍ଦ ନ କଲେ ଆଗାମୀ ଦିନରେ ଗ୍ରାମବାସୀ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।